କନକ ବ୍ୟୁରୋ: ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ମହିଳା ଦଳ ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଶତକ ବଳରେ ବଡ଼ ବିଜୟରୁ ଅଭିଯାନ ଆରମ୍ଭ କରିଛି । ଘରୋଇ ଦଳ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚକୁ ଭାରତ ୯୭ ରନ୍‌ରେ ଜିତି ନେଇଛି । ଇଂଲଣ୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦୁଇ ଓପନର୍ ସ୍ମୃତି ମନ୍ଧାନା ଓ ଶେଫାଳୀ ବର୍ମା ପ୍ରଥମ ୱିକେଟ୍‌ରେ ୭୭ ରନ୍ ଯୋଡ଼ି ଭଲ ଆରମ୍ଭ ଦେଇଥିଲେ । ଶେଫାଳୀ ୨୦ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ହର୍ଲିନ ଦେଓଲ ୪୩ ରନ୍ (୨୩ ବଲ୍, ୭ ଚୌକା)ଙ୍କ ସହ ଦ୍ଵିତୀୟ ୱିକେଟ୍‌ ପାଇଁ ସ୍ମୃତି ୯୪ ରନ୍ ଯୋଡ଼ି ଥିଲେ । ସ୍ମୃତି ୧୧୨ (୬୨ ବଲ୍, ୧୫ ଚୌକା, ୩ ଛକା) ରନ୍ କରି ୧୯.୨ ଓଭରରେ ଆଉଟ୍ ହୋଇଥିଲା ବେଳେ ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୧୦ ରନ୍‌ର ବଡ଼ ସ୍କୋର୍ କରିଥିଲା । ଇଂଲଣ୍ଡର ଲୌରାନେ ବେଲ୍‌ ୩ ୱିକେଟ୍ ନେଇଥିଲେ ।

Advertisment

ଜବାବରେ ଇଂଲଣ୍ଡ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୪.୫ ଓଭରରେ ମାତ୍ର ୧୧୩ ରନ୍‌ରେ ଅଲ୍ଆଉଟ୍ ହୋଇଯାଇଥିଲା । କେବଳ ତାମି ବିଉମଣ୍ଟ ୬୬ (୪୨ ବଲ୍, ୧୦ ଚୌକା, ୧ ଛକା) ରନ୍‌ କରି କିଛି ସମୟ ଲଢ଼ିଥିଲେ । ୮ ଜଣ ବ୍ୟାଟର୍ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଭାରତ ପକ୍ଷରୁ ପଦାର୍ପଣ କରିଥିବା ଶ୍ରୀଚାରଣୀ ୪/୧୨ ବୋଲିଂ ସଫଳତା ପାଇଥିଲା । ବେଳେ ଦୀପ୍ତି ଶର୍ମା ଓ ରାଧା ଯାଦବ ୨ ଲେଖାଏଁ ୱିକେଟ୍ ନେଇଥିଲେ । ଶତକୀୟ ପାଳି ପାଇଁ ସ୍ମୃତି ପ୍ଲେୟାର ଅଫ୍ ଦ ମ୍ୟାଚ୍ ଭାବେ ପୁରସ୍କାର ପାଇଛନ୍ତି ।