ଜଶପ୍ରୀତ୍ ବୁମରାହଙ୍କ ରେକର୍ଡ ୫ ୱିକେଟ୍‌ ସଫଳତା ସତ୍ତ୍ବେ ଇଂଲଣ୍ଡ ପ୍ରଥମ ପାଳିରେ ୩୮୭ ରନ୍ କରି ନେଇଛି । ଜବାବରେ ଦ୍ବିତୀୟ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ଭାରତ ୧୪୫ ରନ୍‌ରେ ୩ ୱିକେଟ୍ ହରାଇ ୨୪୨ ରନ୍‌ ପଛରେ ରହିଛି । 

Advertisment

ଶୁକ୍ରବାର ଦ୍ବିତୀୟ ଦିନ ସକାଳେ ଇଂଲଣ୍ଡ ୨୫୧/୪ରୁ ଖେଳିବା ମାତ୍ରେ ଜୋ ରୁଟ୍‌ ତାଙ୍କ ଶତକ ପୂର୍ଣ୍ଣ କରି ନେଇଥିଲେ । ଲର୍ଡସରେ ଅଷ୍ଟମ ଓ କ୍ରମାଗତ ତୃତୀୟ ଶତକ ସହ ରେକର୍ଡ ବୁକ୍‌ରେ ବି ନାମ ସାମିଲ କରି ନେଇଥିଲେ । ଅନ୍ୟପଟେ କିନ୍ତୁ ଜଶପ୍ରୀତ୍ ବୁମରାହ ନିଜକୁ ପ୍ରମାଣିତ କରିଥିଲେ ସେ କାହିଁକି ବିଶ୍ବର ଏକ ନମ୍ବର ବୋଲର । ପୂର୍ବ ଦିନ ଅପରାହ୍ଣରେ ହ୍ୟାରି ବ୍ରୁକ୍‌ଙ୍କୁ ବୋଲ୍ଡ କରିବା ଭଳି ଶୁକ୍ରବାର ସେ‌ ବେନ୍ ଷ୍ଟୋକ୍ସ ଓ ଜୋ ରୁଟ୍‌ଙ୍କ ଷ୍ଟମ୍ପ୍ସ ମଧ୍ୟ ଭାଙ୍ଗିଥିଲେ । କ୍ରିସ୍ ଓକ୍ସଙ୍କୁ ମଧ୍ୟ ଗୋଲ୍‌ଡେନ୍ ଡକ୍‌ରେ ଶିକାର କରିଥିଲେ । ଜୋଫ୍ରା ଆର୍ଚରଙ୍କୁ ବୋଲ୍ଡ କରି ଐତିହାସିକ ଲର୍ଡସରେ ୫ ୱିକେଟ୍‌ ସଫଳତା ସ୍ବପ୍ନକୁ ସାକାର କରିଥିଲେ । ଏଥି ସହିତ କପିଳ ଦେବଙ୍କ ନାମରେ ଥିବା ଦେଶ ବାହାରେ ୧୨ ଥର ୫ ୱିକେଟ୍ ସଫଳତାକୁ ପଛରେ ପକାଇ ଦେଇଥିଲେ । ଦେଶ ବାହାରେ କପିଳ ୬୬ ଟେଷ୍ଟ୍‌ରୁ ୧୨ ଥର ୫ ୱିକେଟ୍ ସଫଳତା ପାଇଥିବା ବେଳେ ବୁମରାହ କିନ୍ତୁ ମାତ୍ର ୩୫ ଟେଷ୍ଟ୍‌ରୁ ୧୩ ଥର ୫ ୱିକେଟ୍‌ ସଫଳତା ପାଇଛନ୍ତି । ଏହି ତାଲିକାରେ ଅନୀଲ କୁମ୍ବଲେ (୧୦) ଓ ଈଶାନ୍ତ ଶର୍ମା (୯)ଙ୍କ ନାମ ବି ରହିଛି । ବୁମରାହ ମଧ୍ୟ ‌ସେନା (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ)  ଦେଶରେ ୧୧ ଥର ୫ ୱିକେଟ୍‌ ସଫଳତା ଅର୍ଜନ କରି ପାକିସ୍ତାନର ୱାସିମ୍ ଆକ୍ରମଙ୍କ ସମକକ୍ଷ ହୋଇଛନ୍ତି । ୩୧ ବର୍ଷୀୟ ବୁମରାହ ତାଙ୍କ ୪୭ ଟେଷ୍ଟ୍ ଜୀବନରେ ୨୧୫ ୱିକେଟ୍‌ ନେଇ ସମସ୍ତଙ୍କୁ ପଛରେ ପକାଇଛନ୍ତି । ଶୁକ୍ରବାର ବୁମରାହଙ୍କ ବ୍ୟତୀତ ଅନ୍ୟ ୨ ୱିକେଟ୍ ନେଇଥିଲେ ମହମ୍ମଦ ସିରାଜ । କିନ୍ତୁ ଏକାଧିକ କ୍ୟାଚ୍‌ ହାତଛଡ଼ା କାରଣରୁ ସେ ଅଧିକ ୱିକେଟ୍ ଅର୍ଜନରେ ବିଫଳ ହୋଇଥିଲେ । କିନ୍ତୁ ଯେଉଁ ଦୁଇ ବ୍ୟାଟର୍‌ (ଜାମି ସ୍ମିଥ୍ ଓ ବ୍ରାଏଡନ୍ କାର୍ସ)ଙ୍କ କ୍ୟାଚ୍‌ ହାତଛଡ଼ା ହୋଇଥିଲା ସେମାନେ ଅର୍ଦ୍ଧଶତକ ହାସଲ କରିବା ପରେ ସେ ତାଙ୍କ ୱିକେଟ୍‌ ଦଖଲ କରିଥିଲେ । ସ୍ମିଥ୍‌ ଓ କାର୍ସ ଅଷ୍ଟମ ୱିକେଟ୍‌ ପାଇଁ ୮୪ ରନ୍ ଯୋଡ଼ିବା ଭାରତକୁ ଦୃଢ଼ ସ୍ଥିତିରୁ ବାହାରେ ରଖିଥିଲା ।

ଜଶପ୍ରୀତ୍ ବୁମରାହ – ୧୩ 

କପିଳ ଦେବ- ୧୨  

 ଅନିଲ କୁମ୍ବଲେ – ୧୦

 ଇଶାନ୍ତ ଶର୍ମା- ୯

ଭାରତ ପାଳି ବି ଚମତ୍କାର ଢଙ୍ଗରେ ଆରମ୍ଭ ହୋଇଥିଲା । ଜୟସ୍ବାଲ ପ୍ରଥମ ଓଭରରେ କ୍ରିସ୍ ୱିକ୍ସଙ୍କଠାରୁ ୩ ଚୌକା ସହ ୧୩ ରନ୍ ଆଦାୟ କରିଥିଲେ ମଧ୍ୟ ପରବର୍ତ୍ତୀ ଓଭରରେ ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ । ସ୍ଲିପ୍‌ରେ କ୍ୟାଚ୍ ନେଇଥିଲେ ବ୍ରୁକ୍‌ । କରୁଣ ନାୟର (୬୨ ବଲ୍‌ରୁ ୪୦ ରନ୍) ବି ପ୍ରଥମ ସ୍ଲିପ୍‌ରେ ରୁଟ୍‌ଙ୍କ ଚମତ୍କାର କ୍ୟାଚ୍‌ କାରଣରୁ ପୁଣି ଥରେ ଭଲ ଆରମ୍ଭକୁ ବଡ଼ ପାଳିରେ ରୂପାନ୍ତର କରିପାରି ନଥିଲେ । କ୍ରିସ୍ ଓକ୍ସ ତାଙ୍କ ଦ୍ବିତୀୟ ସ୍ପେଲ୍‌ରେ ଅଧିନାୟକ ଶୁବମନ ଗିଲ୍ (୧୬)ଙ୍କୁ ଆଉଟ୍ କରି ଶକ୍ତ ଝଟ୍‌କା ଦେଇଥିଲେ ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୧୧୨.୩ ଓଭରରେ ୩୮୭/୧୦ (‌ଜୋ ରୁଟ୍‌-୧୦୪, ବ୍ରାଏଡନ୍ କାର୍ସ-୫୬, ଜାମି ସ୍ମିଥ୍-୫୧, ବେନ୍ ‌ଷ୍ଟୋକ୍ସ-୪୪, ଜଶପ୍ରୀତ୍ ବୁମରାହ-୫/୭୪, ନୀତୀଶ କୁମାର ରେଡ୍ଡୀ-୨/୬୨, ମହମ୍ମଦ ସିରାଜ-୨/୮୫, ରବୀନ୍ଦ୍ର ଜାଡ଼େଜା-୧/୨୯) । ଭାରତ ପ୍ରଥମ ପାଳି: ୪୩ ଓଭରରେ ୧୪୫/୩ (କେଏଲ୍ ରାହୁଲ-୫୩*, କରୁଣ ନାୟର-୪୦, ଋଷଭ ପନ୍ତ୍‌-୧୯*, ଶୁବମନ ଗିଲ୍‌-୧୬, ଯଶସ୍ବୀ ଜୟସ୍ବାଲ-୧୩, ବେନ୍ ‌ଷ୍ଟୋକ୍ସ-୧/୧୬,‌ ଜୋଫ୍ରା ଆର୍ଚର-୧/୨୨, କ୍ରିସ୍ ଓକ୍ସ-୧/୫୬) ।