କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଯାଇଛି । ଟେଷ୍ଟରୁ ବିରାଟ ଓ ରୋହିତଙ୍କ ଅବସର ପରେ ବିସିସିଆଇର ଚୟନକର୍ତ୍ତା କମିଟି ଇଂଲଣ୍ଡକୁ ମାତ୍ ଦେବାକୁ ଯୁବ ଟିମ୍ ପ୍ରସ୍ତୁତ କରିଛି । ଆଉ ଏହି ଟିମରେ ଅଛନ୍ତି ପଶ୍ଚିମବଙ୍ଗ ତରଫରୁ ରଣଜୀ ଖେଳୁଥିବା ଅଭିମନ୍ୟୁ ଈଶ୍ବରନ୍ । ଟିମ୍ ଇଣ୍ଡିଆରେ ତାଙ୍କର ଚୟନ ପରେ ଖୁସିରେ ଝୁମିଛନ୍ତି ଅଭିମନ୍ୟୁଙ୍କ ପିଲାଦିନର କ୍ରିକେଟ୍ କୋଚ୍ ନିର୍ମଳ ସେନଗୁପ୍ତା ।

Advertisment

ଡାହାଣହାତି ବ୍ୟାଟ୍ସମ୍ୟାନ ଅଭିମନ୍ୟୁଙ୍କୁ ଟିମ୍ ଇଣ୍ଡିଆର ପ୍ଲେଇଂ ଏକାଦଶରେ ସ୍ଥାନ ମିଳିବ ବୋଲି ପୂବର୍ରୁ ଦମ୍ଭୋକ୍ତି ବାଢ଼ିଥିଲେ ଅଭିମନ୍ୟୁଙ୍କ ପିଲାଦିନର କୋଚ୍ । ନିର୍ମଳ କହିଥିଲେ ଯେ, ମୋ ଛାତ୍ରମାନେ ଅଭିମନ୍ୟୁଙ୍କୁ ନିଜ ଆଦର୍ଶ ଭାବରେ ଦେଖନ୍ତି । କାରଣ ଅଭିମନ୍ୟୁ ୧୦ ବର୍ଷ ବୟସରେ କୋଲକାତା ଚାଲିଆସିଥିଲେ ଏବଂ ମୋ ତତ୍ତ୍ୱାବଧାନରେ କ୍ରିକେଟ୍ ତାଲିମ ନେବା ସହ ଜଣେ ଶୃଙ୍ଖଳିତ ବ୍ୟକ୍ତି ଭାବେ ନିଜକୁ ଗଢ଼ି ତୋଳିଛନ୍ତି । 

କୋଲକାତାରେ ରହିବା ସମୟରେ, ୨୯ ବର୍ଷୀୟ ଅଭିମନ୍ୟୁ 'ଡୋଙ୍ଗା' ଜିଲ୍ଲାରେ ତାଙ୍କ କୋଚ୍ ନିର୍ମଳ ସେନଗୁପ୍ତାଙ୍କ ସହିତ ରହୁଥିଲେ ଏବଂ ଅଭିମନ୍ୟୁ ସଫଳତା ପାଇଁ ତାଙ୍କ କୋଚଙ୍କୁ ଶ୍ରେୟ ଦେଉଥିଲେ । ଅଭିମନ୍ୟୁଙ୍କ କୋଚ୍ କୁହନ୍ତି 'ପ୍ରତ୍ୟେକ କୋଚଙ୍କ ସ୍ୱପ୍ନ ଯେ ତାଙ୍କ ଛାତ୍ର ଭାରତୀୟ ଟିମ୍ ପାଇଁ ଖେଳୁ । ଆଉ ଆଜି ମୁଁ ମଧ୍ୟ ବହୁତ ଖୁସି ଅନୁଭବ କରୁଛି ଅଭିମନ୍ୟୁ ଜାତୀୟ ଦଳରେ ସ୍ଥାନ ପାଇଛି । ସେ ମୋଠୁ ୧୦-୧୫ ବର୍ଷ ଧରି ତାଲିମ ନେଇଛନ୍ତି । ମୁଁ ବହୁତ ଆଶାବାଦୀ ଯେ, ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସ୍ଥାନ ପୂରଣ କରିବା ସହ ଦେଶ ପାଇଁ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଦେଖାଇବେ ।'

ସବୁଠାରୁ ବଡ଼ କଥା ହେଲା ଯେ, ଅଷ୍ଟ୍ରେଲିଆରେ ଭାରତ ୩-୧ରେ ପରାସ୍ତ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫି (BGT)ରେ ଈଶ୍ୱରନ୍ ଭାରତୀୟ ଦଳର ଅଂଶ ଥିଲେ, କିନ୍ତୁ ତାଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ମିଳିନଥିଲା । ସେ ୧୦୧ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୪୮.୮୭ ହାରରେ ୭୬୭୪ ରନ୍ କରିଛନ୍ତି, ଯେଉଁଥିରେ ୨୭ ଶତକ ଏବଂ ୨୯ ଅର୍ଦ୍ଧଶତକ ସହିତ ସର୍ବାଧିକ ୨୩୩ ରନ୍ ରେକର୍ଡ ରହିଛି । ସେ ଟିମ୍ ଇଣ୍ଡିଆ ‘ଏ’ ଦଳର ଜଣେ ନିୟମିତ ଖେଳାଳି । ମେ ୩୦ରୁ ଜୁନ୍ ୯ ପର୍ଯ୍ୟନ୍ତ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଇଂଲଣ୍ଡର ଦୁଇଟି ସ୍ଥାନରେ ହେବାକୁଥିବା ଦୁଇଟି ଅଭ୍ୟାସ ମ୍ୟାଚ୍ ପାଇଁ କ୍ୟାପଟେନ୍ସି କରିବେ ଅଭିମନ୍ୟୁ ।