କନକ ବ୍ୟୁରୋ: ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଇଶାନ କିଷାନଙ୍କ ବିରୋଧରେ ଚାଲିଛି କଣ? କାହିଁକି ଇଶାନ କିଷାନଙ୍କୁ ବାରମ୍ବାର ଅଣଦେଖା କରୁଛନ୍ତି ଚୟନକର୍ତ୍ତା । ୨୦୨୩ ନଭେମ୍ବର ୨୮ ତାରିଖ ପରଠୁ ଇଶାନ କିଷାନଙ୍କୁ ଭୁଲି ଯାଇଛି ବିସିସିଆଇ । ପ୍ରାୟ ୧୦ ମାସ ହେବ ଇଶାନ କିଷାନ ଭାରତୀୟ ଟିମରେ ସ୍ଥାନ ପାଇ ନାହାନ୍ତି । ଏମିତି କି ଭଲ ଫର୍ମରେ ଥାଇ ମଧ୍ୟ ତାଙ୍କୁ ଟି-୨୦ ବିଶ୍ୱକପରେ ମଧ୍ୟ ସାମିଲ କରାଗଲାନି । ତେବେ କାହିଁକି ବାରମ୍ବାର ଏମିତି ଅଣଦେଖା ହେଉଛନ୍ତି ଏହି ଷ୍ଟାର କ୍ରିକେଟର । 

Advertisment

ଗତ କାଲି ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଟିମ ଘୋଷଣା ହେବା ପୂର୍ବରୁ ଇଶାନ କିଷାନଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଥିଲା । କୁହାଯାଉଥିଲା ବାଂଲାଦେଶ ବିପକ୍ଷରେ ଇଶାନ କିଷାନ ଦଳକୁ ଫେରିବେ । କାରଣ ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ସେହିଁ ଦାବିଦାର ଥିଲେ । ହେଲେ ସେମିତି ହେଲା ନାହିଁ । ଦଳରେ ତାଙ୍କ ସ୍ଥାନରେ ସଞ୍ଜୁ ସାମସନ ଓ ଜିତେଶ ଶର୍ମାଙ୍କୁ ସ୍ଥାନ ମିଳିଲା । 
ଇଶାନ କିଷାନ ଶେଷଥର ଭାରତ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଚୟନ ହୋଇଥିଲେ । ଏହାପରେ ସେ ଲମ୍ବା ସମୟ ପାଇଁ ବ୍ରେକରେ ରହିଥିଲେ । ହେଲେ ଘରୋଇ କ୍ରିକେଟ ବିବାଦ ପରେ ଇଶାନ କିଷାନ ପୁଣି ଝାଡଖଣ୍ଡ ପାଇଁ ଖେଳିବାକୁ ନିଷ୍ପତ୍ତି ନେଇଥିଲେ, ଆଉ ଫର୍ମକୁ ଫେରିଥିଲେ । ବୁଚି ବାବୁ ଟୁର୍ଣ୍ଣାମେଣ୍ଟ, ହେଉ କି ଦୁଲ୍ଲିପ ଟ୍ରଫି ଗର୍ଜିଥିଲା ଇଶାନଙ୍କ ବ୍ୟାଟ । ଯେଉଁଥିପାଇଁ ସେ ଇଣ୍ଡିଆରେ ଚୟନ ପାଇଁ ଦାବିଦାର ହୋଇଥିଲେ । ହେଲେ ଚୟନକର୍ତ୍ତାଙ୍କ ଭରସା ଜିତିପାରିନଥିଲେ । 

ରିଷବ ପନ୍ତଙ୍କ ଅନୁପସ୍ଥିତିରେ ଇଶାନ କିଷାନ ଟିମ ଇଣ୍ଡିଆରେ ନିଜ ସ୍ଥିତି ମଜବୁତ କରିଦେଇଥିଲେ । ହେଲେ ବୋର୍ଡ ସହିତ ଘରୋଇ କ୍ରିକେଟ ନଖେଳିବା ବିବାଦ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା । ଏଥିପାଇଁ ତାଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବି ବାହର କରିଦିଆଗଲା । ହେଲେ ପରେ ଘରୋଇ କ୍ରିକେଟ ଖେଳିବାକୁ ସେ ରାଜି ହୋଇଥିଲେ ରନ ବି କରିଥିଲେ ହେଲେ ଟିମ ଇଣ୍ଡିଆରେ ଜାଗା ପକ୍କା କରିପାରିନାହାନ୍ତି । 

ଇଶାନ କିଷାନ ଭାରତ ପାଇଁ ୩୨ ଟି-୨୦ ମ୍ୟାଚ ଖେଳି ୭୯୬ ରନ କରିଛନ୍ତି, ଦିନିକିଆରେ ୨୭ ମ୍ୟାଚ ଖେଳି ୯୩୩ ରନ ଆଉ ଟେଷ୍ଟରେ ୨ ମ୍ୟାଚ ଖେଳି ୭୮ ରନ କରିଛନ୍ତି । ଟି-୨୦ରେ ତାଙ୍କୁ ଦୁର୍ଦ୍ଦଶ ବ୍ୟାଟିଂ କରୁଥିବାର ଦେଖିବାକୁ ବି ମିଳିଛି । ସେ ୨୦୨୨ ମସିହାରେ ବାଂଲାଦେଶ ବିପକ୍ଷ ଦିନିକିଆ ମ୍ୟାଚରେ ୨୦୧୦ ରନର ବିଶାଳ ସ୍କୋର କରିଥିଲେ । ଏହି ରେକର୍ଡ କରିବାରେ ସେ ହେଉଛନ୍ତି ୫ମ ଭାରତୀୟ ।