କନକ ବ୍ୟୁରୋ: ରୋ-କୋ ଯୋଡ଼ିଙ୍କ ଅବସର ନେଇ ଅନେକ ଚର୍ଚ୍ଚା ଭିତରେ ଶେଷର ନିରବତା ଭାଙ୍ଗିଛି ବିସିସିଆଇ । ଅଷ୍ଟ୍ରେଲିଆ ଟୁର୍ ରୋହିତ-ବିରାଟଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଣ୍ଟ ହେବ ବୋଲି ଚର୍ଚ୍ଚା ହେଉଥିବାବେଳେ, ଏନେଇ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ବଡ଼ ଖୁଲାସା କରିଛନ୍ତି । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରାଜୀବ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି ।

Advertisment

ରାଜବୀ ଶୁକ୍ଳା କହିଛନ୍ତି, ରୋହିତ ଓ ବିରାଟଙ୍କୁ ଦଳରେ ରଖିବା ଆମ ପାଇଁ ବହୁତ ଲାଭଦାୟକ । କାରଣ ଉଭୟ ମହାନ ବ୍ୟାଟସମ୍ୟାନ୍ । ଖାସ୍ କରି ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ଖେଳିବେ ବୋଲି ଭାରତୀୟ କ୍ରିକେଟ ପ୍ରେମୀ ବିଶ୍ୱାସ ରଖିଛନ୍ତି । ଉଭୟଙ୍କୁ ନେଇ ଯେଉଁ ଗୁଜବ ଖେଳାଯାଉଛି ତା’ ଭିତରେ କ୍ରିକେଟ ବା କ୍ରିକେଟର ଫସି ରହିବା ଉଚିତ୍ ନୁହେଁ । କେବେ ଅବସର ନେବେ ତାହା ଖେଳାଳିଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । ଏହାକୁ ସେମାନଙ୍କର ଶେଷ ସିରିଜ୍ କହିବା ପୂରା ଭୁଲ ଏବଂ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ବିସିସିଆଇ ଉପାଧ୍ୟକ୍ଷ ।

ବଡ଼ କଥା ହେଉଛି ବିରାଟ କୋହଲି ଓ ରୋହିତ ଶର୍ମା ଉଭୟ ପୂର୍ବରୁ ଟେଷ୍ଟ ଏବଂ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି । ବର୍ତ୍ତମାନ କେବଳ ଦିନିକିଆ ଫର୍ମାଟରେ ଖେଳୁଛନ୍ତି । ଅଷ୍ଟ୍ରେଲିଆ ଗସ୍ତ ସେମାନଙ୍କ ଅନ୍ତର୍ଜାତୀୟ କ୍ୟାରିୟରକୁ ପୁଣି ସକ୍ରିୟ କରିଦେଇଛି । ଯାହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।

ସେପଟେ ପୂର୍ବରୁ ବିସିସିଆଇ ଚୟନ କମିଟି ହିଟମ୍ୟାନଙ୍କୁ ହଟାଇ ଶୁବମନ ଗିଲ୍‌ଙ୍କୁ ଦିନିକିଆ ଦଳର ନୂତନ ଅଧିନାୟକ ଭାବରେ ନିଯୁକ୍ତ କରିଥିଲେ । ମାର୍ଚ୍ଚ ୨୦୨୫ରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ତେବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପୂର୍ବରୁ, ରୋହିତ ଶର୍ମା ଓ ବିରାଟ କୋହଲି ଉଭୟ ଅଷ୍ଟ୍ରେଲିଆ ଯାତ୍ରା କରିଛନ୍ତି । ଭାରତ ଓ ଅଷ୍ଟ୍ରେଲିଆ ସିରିଜର ପ୍ରଥମ ଦିନିକିଆ ୧୯ ଅକ୍ଟୋବରରେ ପର୍ଥରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍ ୨୩ ତାରିଖରେ ଓ ଶେଷ ଦିନିକିଆ ୨୫ ଅକ୍ଟୋବରରେ ଖେଳାଯିବ । ଏହା ପୂର୍ବରୁ ରାଜୀବ ଶୁକ୍ଳାଙ୍କ ବୟାନ ରୋ-କୋ ଫ୍ୟାନ୍ସଙ୍କ ମୁହଁରେ ହସ ଫୁଟାଇଛି ।