ଆଇପିଏଲ୍‌ ୨୦୨୫ ରେ ରାଜସ୍ଥାନ ରୟାଲ୍ସ ସେପରି କିଛି ଜଲୱା ଦେଖାଇ ପାରିନାହିଁ । ନା ବ୍ୟାଟିଂ ନା ବୋଲିଂ କୌଣସି ବି ଡିପାର୍ଟମେଣ୍ଟରେ ବି କମାଲ କରିପାରିନି ଦଳ । ସେପଟେ କୋଚ୍‌ ଓ କ୍ୟାପ୍ଟେନଙ୍କ ମଧ୍ୟରେ ସବୁ ଠିକ୍‌ ଚାଲିନଥିବା ନେଇ ଚର୍ଚ୍ଚା ବି ବଢ଼ିବାରେ ଲାଗିଛି । ଏନେଇ ମୁହଁ ଖୋଲିଛନ୍ତି କୋଚ୍‌ ରାହୁଲ ଦ୍ରାବିଡ଼ । ପଏଣ୍ଟ ଟେବୁଲ୍‌ରେ ବି ଅଷ୍ଟମ ସ୍ଥାନରେ ରହିଛି ରାଜସ୍ଥାନ । ମୋଟ୍‌ ୭ଟି ମ୍ୟାଚ୍‌ରୁ ୨ଟି ମ୍ୟାଚ୍‌ ଜିତିଥିବା ବେଳେ ୫ଟି ମ୍ୟାଚ୍‌ରେ ପରାଜୟ ଘଟିଛି ।

Advertisment

ଆଜି ସଂଧ୍ୟାରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ । ଜୟପୁର ସୱାଇ ମାନସିଂହ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ ପୂର୍ବରୁ କୋଚ୍‌ ରାହୁଲ ଦ୍ରାବିଡ୍‌ ପ୍ରେସ କନଫରେନ୍ସରେ ଦଳରେ ଫାଟ କଥାକୁ ଭିତ୍ତିହୀନ ବୋଲି କହିଛନ୍ତି । ଦଳରେ କୌଣସି ପ୍ରକାର ବିବାଦ ନଥିବା ନେଇ ସେ ସ୍ପଷ୍ଟ କରିଛନ୍ତି ।

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ କ୍ୟାପ୍ଟେନ ସଞ୍ଜୁ ସାମସନ୍‌ ଓ କୋଚ୍‌ ମଧ୍ୟରେ ବିବାଦ ଥିବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଥିଲା । ସୁପର ଓଭର୍‌ ବେଳେ ସଞ୍ଜୁ ଦଳର ହଡଲ୍‌ରୁ ଦୂରରେ ରହିଥିବାର ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ମଧ୍ୟ ବେଶ୍‌ ଭାଇରାଲ ହେବାରେ ଲାଗିଛି । ସେ ସୁପର ଓଭର୍‌ରେ ବ୍ୟାଟିଂ କିମ୍ବା ଫିଲ୍ଡିଂ କରିବାକୁ ବି ଆସିନଥିଲେ ।

ଏହି ପ୍ରସଙ୍ଗରେ କୋଚ୍‌ ରାହୁଲ ଦ୍ରାବିଡ୍‌ ପ୍ରେସ କନଫରେନ୍ସରେ କହିଛନ୍ତି, ସଞ୍ଜୁଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହେଉଥିଲା । ସେଥିପାଇଁ ତାଙ୍କୁ ଚିକିତ୍ସା ପାଇଁ ପଠାଯାଇଥିଲା । ରିପୋର୍ଟ ଆସିବା ପରେ ଆଗକୁ ନିଷ୍ପତ୍ତି ନିଆଯିବ । ଯଦି ସଞ୍ଜୁ ଫିଟ୍‌ ନଥାନ୍ତି ତେବେ ଦଳ ପୁଣି ଥରେ ରିୟାନ ପରାଗଙ୍କୁ କ୍ୟାପ୍ଟେନ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ସେପଟେ ଦଳର ସର୍ବକନିଷ୍ଠ ଖେଳାଳି ବୈଭବ ସୂର୍ୟ୍ୟବଂଶୀଙ୍କ ଡେବ୍ୟୁକୁ ବି ଫ୍ୟାନ୍ସ ଅପେକ୍ଷା କରି ବସିଛନ୍ତି ।