କନକ ବ୍ୟୁରୋ : ଆୟୋଜକ ପାକିସ୍ତାନକୁ ଗୋଟିକ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ପ୍ରଥମେ ଭାରତ ପାକିସ୍ତାନ ନ ଆସିବା । ତା ପରେ ଚାମ୍ପିୟନ୍ସ ଟ୍ରଫିକୁ ହାଇବ୍ରିଡ୍ ମଡେଲରେ ଆୟୋଜନ କରରାଯିବା । ଆୟୋଜକ ଦଳ ହିସାବରେ ସେମିଫାଇନାଲକୁ କ୍ୱାଲିଫାଏ ନ କରିବା ଇତ୍ୟାଦି । ଦୀର୍ଘ ୨୯ ବର୍ଷ ପରେ ପାକିସ୍ତାନ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ସୁଯୋଗ ପାଇଥିବା ସତ୍ତ୍ୱେ କୌଣସି ଫାଇଦା ଉଠାଇ ପାରିଲା ନାହିଁ । ଭାରତ ପାକିସ୍ତାନକୁ ଖେଳିବାକୁ ନ ଆସିବା ପାକିସ୍ତାନକୁ ପ୍ରଥମରୁ ହିଁ ଝଟକା ଦେଇଥିଲା । ଏବେ ପୁଣି ଥରେ ଭାରତ ଆଉ ଏକ ଶକ୍ତ ଝଟକା ଦେବାକୁ ଯାଉଛି । ଯଦି ଭାରତ ଆଜି କଙ୍ଗାରୁ ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିବ, ତେବେ ପାକିସ୍ତାନକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ ।
ଦୁବାଇରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଜି ସେମିଫାଇନାଲ ଖେଳାଯାଉଛି । ଏପଟେ ସେମିଫାଇନାଲ ସେପଟେ ପିସିବି ମନରେ ଛନକା । ଯଦି ଆଜି ଭାରତ ବିଜୟ ଲାଭ କରେ, ତେବେ ପାକିସ୍ତାନରେ ଫାଇନାଲ ଆୟୋଜନ କରାଇବାର ସୁଯୋଗ ହରାଇବ ପିସିବି । ତା ଛଡ଼ା କୋଟି କୋଟି ଟଙ୍କାର କ୍ଷତି ମଧ୍ୟ ସହିବାକୁ ପଡ଼ିବ । କାରଣ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ପାଇଁ ପାକିସ୍ତାନ ବିଭିନ୍ନ ଷ୍ଟାଡିୟମର ନବୀକରଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବିଶେଷ କରି ଲାହୋରର ଗଦ୍ଦାଫୀ ଷ୍ଟାଡିୟମରେ ୫୬୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯଦି ଲାହୋରରେ ଫାଇନାଲ ନ ଖେଳାଯାଏ, ତେବେ ପାକିସ୍ତାନକୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିବ ।
ଏହାଛଡ଼ା ପାକିସ୍ତାନର ପ୍ରଦର୍ଶନକୁ ନେଇ ଚିନ୍ତାରେ ପିସିବି । ଏତେ ବର୍ଷ ପରେ ଆୟୋଜକ ସାଜିଥିବା ପାକିସ୍ତାନ କିନ୍ତୁ ସେମିଫାଇନାଲକୁ କ୍ୱାଲିଫାଏ କରିପାରିନାହିଁ । ଘରୋଇ ମାଟିର ଫାଇଦା ଉଠାଇବ ବୋଲି ଆଶା ରଖିଥିବା ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି ପାକିସ୍ତାନର ପ୍ରତିଟି ଖେଳାଳି । ଗତ ୫ ବର୍ଷ ମଧ୍ୟରେ ସବୁ ଆଇସିସି ଟୁର୍ଣ୍ଣାମେଣ୍ଟରେ ଫେଲ ମାରିଛି ପାକିସ୍ତାନ । ଏଥର ଘରୋଇ ମାଟିରେ ଚାମ୍ପିୟନ୍ସ ଟ୍ରଫି ହାତେଇବାର ସ୍ୱପ୍ନ ବି ଚୁରମାର ହୋଇଯାଇଛି ।
ସେପଟେ ଦୁବାଇରେ ଜଲୱା ଦେଖାଉଛି ଟିମ୍ ଇଣ୍ତିଆ । ଗ୍ରୁପ୍ ଷ୍ଟେଜରେ ସମସ୍ତଙ୍କୁ ମାତ ଦେଇ ଟେବୁଲ ଟପ୍ପର ଭାବେ ସେମିଫାଇନାଲରେ ଏଣ୍ଟ୍ରି ମାରିଛି । ଆଉ ଆଜି କଙ୍ଗାରୁ ଦଳକୁ ମାତ ଦେବା ପାଇଁ ସମସ୍ତ ପ୍ରସ୍ତୁତି କରିସାରିଛି ଦଳ । ୨୦୨୩ ବିଶ୍ୱକପ୍ ଫାଇନାଲର ବଦଲା ନେବାକୁ ଫିଲ୍ଡକୁ ଓହ୍ଲାଇବ ରୋହିତ ବାହିନୀ । ଆଜି ଯଦି ଅଷ୍ଟ୍ରେଲିଆକୁ ଭାରତ ପରାସ୍ତ କରେ, ତେବେ ଫାଇନାଲଟି ଏହି ଦୁବାଇ ଷ୍ଟାଡିୟମ୍ରେ ହିଁ ଖେଳାଯିବ ।