କନକ ବ୍ୟୁରୋ : ଲର୍ଡ୍ସ ଟେଷ୍ଟରେ ଟିମ୍ ଇଣ୍ଡିଆ ୨୨ ରନରେ ପରାଜିତ ହେଲା । ଇଂଲଣ୍ଡ ବିପକ୍ଷରେ ମାତ୍ର ୧୯୩ ରନର ଟାର୍ଗେଟ୍ ପିଛା କରୁଥିବା ଟିମ୍ ଇଣ୍ଡିଆ ମାତ୍ର ୧୭୦ ରନରେ ସୀମିତ ହୋଇଗଲା । ରୋଚକ କଥା ହେଉଛି ଏହି ପରାଜୟ ପରେ ଏବେ ପୂର୍ବତନ ଖେଳାଳିମାନେ ସର୍ବଶ୍ରେଷ୍ଠ ବ୍ୟାଟିଂ କରିଥିବା ରବିନ୍ଦ୍ର ଜାଡେଜାଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି । ପରୋକ୍ଷରେ ରବି ଶାସ୍ତ୍ରୀ, ସଞ୍ଜୟ ମଞ୍ଜରେକର, ସୁନୀଲ ଗାଭାସ୍କର, ମହମ୍ମଦ ଆଜହରୁଦ୍ଦିନଙ୍କ ଭଳି ଖେଳାଳିମାନେ ଟିମ୍ ଇଣ୍ଡିଆର ବ୍ୟାଟିଂ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଉଛନ୍ତି । ରବିନ୍ଦ୍ର ଜାଡେଜାଙ୍କ ଉପରେ ପ୍ରଶ୍ନ ଉଠିବାର ଅର୍ଥ ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ ଉପରେ ପ୍ରଶ୍ନ ଉଠାଇବା । 

Advertisment
India-coach-Gautam-Gambhir
India-coach-Gautam-Gambhir Photograph: (google)

ରବିନ୍ଦ୍ର ଜାଡେଜାଙ୍କର କେଉଁଠି ରହିଲା ଭୁଲ୍ ? 

ଟିମ୍ ଇଣ୍ଡିଆ ଯେତେବେଳେ ଲର୍ଡ୍ସ ଟେଷ୍ଟ ହାରିଲା ରବିନ୍ଦ୍ର ଜାଡେଜା ଏକପାଖିଆ ଭାବରେ ଅପରାଜିତ ରହିଲେ । ଏହି ଖେଳାଳି ୧୮୧ ବଲରେ ୬୧ ରନ୍ କରି ଅପରାଜିତ ରହିଲେ । ଟିମ୍ ଇଣ୍ଡିଆର ପରାଜୟ ପରେ ପ୍ରତ୍ୟେକ ଭାରତୀୟ ପ୍ରଶଂସକ ନିରାଶ ହୋଇଥିଲେ କିନ୍ତୁ ସେମାନେ ଜାଡେଜାଙ୍କୁ ସଲାମ ମଧ୍ୟ କରୁଥିଲେ । କିନ୍ତୁ ପୂର୍ବତନ କ୍ରିକେଟର୍ ଏପରି ଏକ କଥା କହିଲେ ଯାହା ଜାଡେଜାଙ୍କ ଉପରେ ଏକ ବଡ଼ ପ୍ରଶ୍ନ ଥିଲା । ରବି ଶାସ୍ତ୍ରୀ ହୁଅନ୍ତୁ କିମ୍ବା ସୁନୀଲ ଗାଭାସ୍କର ସମସ୍ତେ ଏହା କହିଥିଲେ ଯେ ଯଦି ଜାଡେଜା ଏବଂ ନୀତୀଶ ରେଡ୍ଡୀଙ୍କ ପାର୍ଟନରସିପ୍ ସମୟରେ କିଛି ଆକ୍ରମଣାତ୍ମକ ସଟ୍ ଖେଳି ଇଂଲଣ୍ଡ ଉପରେ ଚାପ ପକାଯାଇଥା’ନ୍ତା ତେବେ ପରିସ୍ଥିତି କିଛି ଭିନ୍ନ ହୋଇଥା’ନ୍ତା ।

ରବି ଶାସ୍ତ୍ରୀ ଲର୍ଡ୍ସ ଟେଷ୍ଟ ପରେ କହିଥିଲେ ‘ମୋତେ ଲାଗୁଛି ଯେ ଜାଡେଜା ଏବଂ ନୀତୀଶଙ୍କ ଦ୍ୱାରା ଟିକେ ଭୁଲ୍ ହୋଇଯାଇଛି । ଥରେ ଏହି ଦୁହିଁଙ୍କ ମଧ୍ୟରେ ପାର୍ଟନରସିପ୍ ୧୫-୨୦ ରନରୁ ଅଧିକ ହୋଇଗଲା ପରେ ଦୁହିଁଙ୍କ ମଧ୍ୟରୁ ଜଣଙ୍କୁ ଦ୍ରୁତ ଗତିରେ ରନ୍ କରିବା ଉଚିତ୍ ଥିଲା । ସୁନୀଲ ଗାଭାସ୍କର ମଧ୍ୟ ସମାନ କଥା କହିଥିଲେ । ଗାଭାସ୍କରଙ୍କ ଅନୁସାରେ ୬୦-୭୦ ରନର ଭାଗିଦାରୀ ମ୍ୟାଚରେ ପରିବର୍ତ୍ତନ ଅଣାଯାଇ ପାରିଥା’ନ୍ତା । ଯଦି ଜାଡେଜା ଜୋ ରୁଟ୍ ଏବଂ ବଶୀରଙ୍କ ବିପକ୍ଷରେ ବିପଦ ନେଇଥା’ନ୍ତେ ତେବେ ଫଳାଫଳ କିଛି ଅଲଗା ହୋଇଥା’ନ୍ତା । ସଞ୍ଜୟ ମଞ୍ଜରେକର କହିଲେ ଯେ ‘ଟିମ୍ ଇଣ୍ଡିଆ ଜିତିବା ପାଇଁ ଖେଳୁନଥିଲା ।’ ମଞ୍ଜରେକରଙ୍କ ଅନୁସାରେ ନୀତୀଶ ରେଡ୍ଡୀ ଏବଂ ଜାଡେଜାଙ୍କ ବ୍ୟାଟିଂ ଦେଖି ଏପରି ଲାଗୁଥିଲା ଯେ ଦୁହେଁ ଡ୍ର ପାଇଁ ଖେଳୁଥିଲେ । 

ବର୍ତ୍ତମାନ ଚିନ୍ତା କରିବାର ବିଷୟ ଏହି କି ଯେ ଜାଡେଜାଙ୍କ ଉପରେ ପ୍ରଶ୍ନ ଉଠାଇବା କିପରି ଗୌତମ ଗମ୍ଭୀରଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇବା ସଙ୍ଗେ ସମାନ ! ପ୍ରକୃତରେ ସମ୍ପୂର୍ଣ୍ଣ ଟିମ୍ ହେଡ୍ କୋଚ୍ ଏବଂ ଅଧିନାୟକଙ୍କ ରଣନୀତି ଉପରେ ନିର୍ଭର କରେ । ଯଦି ଜାଡେଜା ଏବଂ ନୀତୀଶ ରେଡ୍ଡୀ ନିଜର ପାର୍ଟନରସିପକୁ ବଢ଼ାଇବାର ଗତି ଧୀର ରଖିଲେ କିମ୍ବା ସେମାନେ ଯେପରି ଆଭିମୁଖ୍ୟ ରଖିଲେ ସେଥିରେ କେଉଁଠି ନା କେଉଁଠି ଗମ୍ଭୀରଙ୍କର ମଧ୍ୟ ଯୋଜନା ଥିବ । ସାଧାରଣତଃ ଖେଳାଳିମାନଙ୍କୁ ଡ୍ରେସିଂ ରୁମରୁ ବାର୍ତ୍ତା ମିଳିଥାଏ । ବର୍ତ୍ତମାନ ପ୍ରଶ୍ନ ଏହା ଯେ ଜାଡେଜା ଏକୁଟିଆ ଏହି ଅନ୍ଦାଜରେ ଲକ୍ଷ୍ୟ ପିଛା କରିବାକୁ ଚେଷ୍ଟା କରିଥିଲେ କି ? ଏହାର ଉତ୍ତର ବୋଧହୁଏ ନା । ତେବେ ବର୍ତ୍ତମାନ ଟିମ୍ ଇଣ୍ଡିଆ ଲର୍ଡ୍ସ ଟେଷ୍ଟ୍ ହାରିସାରିଛି । ସିରିଜରେ ଇଂଲଣ୍ଡ ୨-୧ ରେ ଆଗରେ ଅଛି । ପରବର୍ତ୍ତୀ ଟେଷ୍ଟ ମାଞ୍ଚେଷ୍ଟରରେ ଜୁଲାଇ ୨୩ ତାରିଖରେ ଖେଳାଯିବ ।