କନକ ବ୍ୟୁରୋ: ଆଜିଠୁ ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଆରମ୍ଭ  ହେବ । ଏହି ଟେଷ୍ଟ ଜରିଆରେ ୬ ମାସ ପରେ ରେଡ଼ ବଲ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବ ଭାରତ । ସେପଟେ ପାକିସ୍ତାନକୁ ଘରୋଇ ପଡ଼ିଆରେ ୨-୦ରେ ପରାସ୍ତ କରିବା ପରେ ଦୃଢ ରହିଛି ବାଂଲାଦେଶ ଖେଳାଳିଙ୍କ ମନୋବଳ। ଚେନ୍ନାଇରେ ଆଜିଠୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚରୁ ଭାରତୀୟ ଖେଳାଳିଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଦଳ । ଭାରତୀୟ ବ୍ୟାଟର୍‌ଙ୍କ ଆଗରେ ଭ୍ରମଣକାରୀ ଦଳର ସ୍ପିନ୍‌ ଆକ୍ରମଣ ଆହ୍ବାନ ରହିବ । ନିକଟ ଅତୀତରେ ଭାରତୀୟ ବ୍ୟାଟିଂକ୍ରମ ସ୍ପିନରଙ୍କୁ ଖେଳିବାରେ ଅସୁବିଧାରେ ପଡ଼ିଥିଲା । ଗତ ଦଶନ୍ଧି ଭିତରେ ଘରୋଇ ମ୍ୟାଚ୍‌ରେ ଭାରତର ରେକର୍ଡ ୪୦-୪ ରହିଛି, ତଥାପି ଡବ୍‌ଲ୍ୟୁଟିସି ପଏଣ୍ଟକୁ ଅଧିକ ଦୃଢ଼ କରିବାକୁ ହେଲେ ଚେନ୍ନାଇ ପିଚ୍‌ରେ ରୋହିତ ବାହିନୀଙ୍କୁ ଅଧିକ ଯତ୍ନବାନ୍‌ ହୋଇ ଖେଳିବାକୁ ପଡ଼ିବ । ଭାରତକୁ ଆସିବା ପୂର୍ବରୁ ପାକିସ୍ତାନକୁ ଘରୋଇ ମାଟିରେ ୨-୦ରେ ହରାଇ ବାଂଲାଦେଶ ଐତିହାସିକ ସଫଳତା ପାଇଥିଲା ।  ତେଣୁ ଏହି ପଡ଼ୋଶୀ ଦଳକୁ ଆଦୌ ହାଲୁକାରେ ନେଇ ହେବନି ରୋହିତ ବାହିନୀ । ଯଶପ୍ରୀତ୍‌ ବୁମ୍‌ରାଙ୍କ ନେତୃତ୍ୱରେ ମହମ୍ମଦ ସିରାଜ, ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡ଼େଜା ଭାରତୀୟ ବୋଲିଂ କ୍ରମକୁ ଅଧିକ ଦୃଢ଼ କରିପାରିଛନ୍ତି । ତଥାପି ଆକାଶ ଦୀପ କିମ୍ବା ୟଶ ଦୟାଲଙ୍କ ରୂପରେ ଜଣେ ଅତିରିକ୍ତ ଦ୍ରୁତ ବୋଲରଙ୍କୁ ଦଳ ଚୂଡ଼ାନ୍ତ ଏକାଦଶରେ ସାମିଲ କରିପାରେ ଦଳ । ନଚେତ୍‌ ଚେନ୍ନାଇ ପିଚ୍‌ ସ୍ପିନରଙ୍କୁ ସୁହାଉଥିବାରୁ କୁଲଦୀପ ୟାଦବ କିମ୍ବା ଅକ୍ଷର ପଟେଲ୍‌ଙ୍କ ଭିତରୁ ଜଣେ ତୃତୀୟ ସ୍ପିନର ଭୂମିକାରେ ଆସିପାରନ୍ତି । ଏହି ମ୍ୟାଚ୍‌ରେ ଅଶ୍ବିନ ଓ ଜାଡ଼େଜାଙ୍କ ବଡ଼ ଭୂମିକା ରହିବ ।