IND vs USA Photograph: (Internet)
କନକ ବ୍ୟୁରୋ : ଗତ ସଂସ୍କରଣର ବିଜେତା ଭାରତୀୟ ଦଳ ବିଜୟରୁ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି । ସୂୂୂର୍ଯ୍ୟକୁମାର ଯାଦବଙ୍କ ଲଢ଼ୁଆ ଅର୍ଦ୍ଧଶତକ ପରେ ବୋଲରମାନେ ମିଳିତ ଭାବେ ୱିକେଟ୍ ଦଖଲ କରିବାରୁ ଭାରତ ନିଜ ପ୍ରଥମ ମ୍ୟାଚ୍ରେ ଆମେରିକାକୁ ୨୯ ରନ୍ରେ ପରାସ୍ତ କରିଛି । ଭାରତ ନିଜ ପରବର୍ତ୍ତୀ ମ୍ୟାଚ୍ ଗୁରୁବାର ନାମ୍ବିୟା ବିପକ୍ଷରେ ଦିଲ୍ଲୀରେ ଖେଳିବ ।
ଆମେରିକା ଦଳର ଭାରତୀୟ ବଂଶୋଦ୍ଭବ ଅଧିନାୟକ ମୋନାଙ୍କ ପଟେଲ୍ ଟସ୍ ଜିତି ସୂର୍ଯ୍ୟକୁମାରଙ୍କ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଡାକିଥିଲେ । ଈଶାନ କିଶନ ସତର୍କତାର ସହ ଖେଳି ୧୬ ବଲ୍ରୁ ୨୦ ରନ୍ କରିପାରିଥିଲେ । ଅଭିଷେକ ଶର୍ମା ସମ୍ମୁଖୀନ ହୋଇଥିବା ପ୍ରଥମ ବଲ୍କୁ ବଡ଼ ସଟ୍ ଖେଳି ବାଉଣ୍ଡରି ନିକଟରେ ଧରାପଡ଼ିଯିବାରୁ ଶୂନରୁ ବିଶ୍ୱକପ୍ ଅଭିଯାନ ପାଇଥିଲେ । ତିଳକ ବର୍ମା (୧୬ ବଲ୍ରୁ ୨୫ ରନ୍) ଏବଂ ଶିବମ ଦୁବେ (୦) ମଧ୍ୟ ପାୱାର ପ୍ଲେ ଭିତରେ ବିଦାୟ ନେବାରୁ ଭାରତ ୬ ଓଭର ସୁଦ୍ଧା ୪୬/୪ରେ ସଂଘର୍ଷ କରିଥିଲା । ରିଙ୍କୁ ସିଂହ (୬), ହାର୍ଦିକ ପାଣ୍ଡ୍ୟା (୫), ଅକ୍ଷର ପଟେଲ୍ (୧୪) ବି ଶସ୍ତାରେ ବିଦାୟ ନେଇଥିଲେ । ସଙ୍କଟଜନକ ପରିସ୍ଥିତି ସତ୍ତ୍ୱେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଭାରତ ପାଳିର ଦାୟିତ୍ୱ ଏକା ସମ୍ଭାଳିଥିଲେ । ୩୬ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଗିୟର ବଦଳାଇ ୪୯ ବଲ୍ରୁ ୮୪* ରନ୍ର ସମ୍ମାନରକ୍ଷାକାରୀ ପାଳି ଖେଳିଥିଲେ । ଏହି ପାଳିରେ ୧୦ ଚୌକା ଓ ୪ ଛକା ସାମିଲ ଥିଲା । ନେତ୍ରଭାଲକର ବୋଲିଂ କରିଥିବା ଶେଷ ଓଭରରୁ ସୂର୍ଯ୍ୟ ୨୧ ରନ୍ ଆଦାୟ କରିବାରୁ ଭାରତ ୧୬୧ ରନ୍ କରିଥିଲା ।
ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ ୧୬୧/୯ (ସୂର୍ଯ୍ୟକୁମାର ଯାଦବ-୮୪*, ତିଳକ ବର୍ମା-୨୫, ଈଶାନ କିଶନ-୨୦, ସାଦଲେ ଭାନ୍ ଶ୍ଚାଲୱିକ୍-୪/୨୫, ହରମିତ୍ ସିଂହ-୨/୨୬)। ଆମେରିକା ୨୦ ଓଭରରେ ୧୩୨/୮ (ଶୁଭମ ରଂଜାନୀ-୩୭, ସଂଜୟ କୃଷ୍ଣମୂର୍ତ୍ତି-୩୭, ମିଲନ୍ଦ କୁମାର-୩୪, ମହମ୍ମଦ ସିରାଜ-୩/୨୯, ଅର୍ଶଦୀପ ସିଂହ-୨/୧୮, ଅକ୍ଷର ପଟେଲ୍-୨/୨୪, ବରୁଣ ଚକ୍ରବର୍ତ୍ତୀ-୧/୨୪)
Follow Us