କନକ ବ୍ୟୁରୋ : ଅଡୁଆରେ ପାକିସ୍ତାନ କ୍ରିକେଟ ବୋର୍ଡ । ଯଦି ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ନ ଖେଳାଯାଏ, ତେବେ ପିସିବିକୁ ସହିବାକୁ ପଡ଼ିବ କୋଟି କୋଟି ଟଙ୍କାର କ୍ଷତି । ଭାରତ ପାକିସ୍ତାନ ଖେଳିବାକୁ ଯିବାକୁ ମନା କରିବା ପରେ ଏବେ ଅଡୁଆରେ ପାକିସ୍ତାନ ।
୨୦୨୫ ଫେବ୍ରୁଆରୀରେ ପାକିସ୍ତାନରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫି । କିନ୍ତୁ ଏଯାଏଁ ଆସିନି ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ । ଟୁର୍ଣ୍ଣାମେଣ୍ଟକୁ ଆଉ ୩ ମାସ ଥିବା ବେଳେ ଏବେ ବି ଚାମ୍ପିଅନ୍ସ ଟ୍ରଫିକୁ ନେଇ ଲାଗି ରହିଛି ବିବାଦ । ପାକିସ୍ତାନରେ ଏହି ଟୁର୍ଣ୍ଣାମେଣ୍ଟ ହେଲେ ଭାରତ ଯିବନି ବୋଲି କହିବା ପରେ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଜାରି ରହିଛି ଅନିଶ୍ଚିତତା ।
ଯଦି ଭାରତ-ପାକିସ୍ତାନ ବିବାଦ ଯୋଗୁ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରୁହେ କିମ୍ବା ଅନ୍ୟ କୌଣସି ଦେଶକୁ ସ୍ଥାନାନ୍ତରିତ ହୁଏ, ତେବେ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB)କୁ କୋଟି କୋଟି ଟଙ୍କାର କ୍ଷତି ହୋଇପାରେ । ପାକିସ୍ତାନକୁ ଖେଳିବାକୁ ଯିବାକୁ ଭାରତ ମନା କରିବା ପରେ ଏବେ ପିସିବି ଉପରେ ଚଡ଼କ ପଡ଼ିଛି । ପିସିବି ହାଇବ୍ରିଡ୍ ମଡେଲକୁ ପ୍ରତ୍ୟାଖ୍ୟାନ କରିବା ପରେ ଟୁର୍ଣ୍ଣାମେଣ୍ଟକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରିପୋର୍ଟ ମୁତାବକ, ଯଦି ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ଖେଳାନଯାଇ ସ୍ଥଗିତ ରଖାଯାଏ କିମ୍ବା ଅନ୍ୟ କୌଣସି ଦେଶକୁ ସ୍ଥାନାନ୍ତରିତ ହୁଏ, ତେବେ ପିସିବିକୁ ଆଇସିସିର ପ୍ରତିବନ୍ଧକ ସାମ୍ନା କରିବାକୁ ପଡ଼ିବ । ଏମିତି କି ଆଇସିସି ପାଣ୍ଠିରେ କଟକଣା ମଧ୍ୟ ଜାରି କରିପାରେ । ଚାମ୍ପିଅନ୍ସ ଟ୍ରଫିକୁ ଘୁଞ୍ଚାଇବା କିମ୍ବା ସ୍ଥଗିତ ରଖିବା ଅର୍ଥ ହୋଷ୍ଟିଂ ଦେଶ ଭାବରେ ଚଉଈକୁ ୬୫ ମିଲିୟନ୍ ଡଲାର ଅର୍ଥରୁ ମଧ୍ୟ ବଞ୍ଚିତ ହେବ ।