Kalinga Lancers Photograph: (Kanak News)
କନକ ବ୍ୟୁରୋ : ଚେନ୍ନାଇ ପର୍ଯ୍ୟାୟ ପରେ ପୁରୁଷ ହକି ଇଣ୍ଡିଆ ଲିଗ୍ ରବିବାରଠୁ ରାଞ୍ଚିରେ ଆରମ୍ଭ ହୋଇଛି । ସ୍ଥାନୀୟ ମାରାଙ୍ଗ ଗୋମ୍କେ ଜୟପାଲ ସିଂହ ଆଷ୍ଟ୍ରୋ ଟର୍ଫ ହକି ଷ୍ଟାଡିୟମ୍ରେ ଖେଳାଯାଇଥିବା ରବିବାରର ପ୍ରଥମ ମ୍ୟାଚ୍ରେ ଓଡ଼ିଶା ଭିତ୍ତିକ ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଓ ଏଚ୍ଆଇଏଲ୍ ଜିସି ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ୍କୁ କଳିଙ୍ଗ ଲାନ୍ସର୍ସ ୩-୧ (୧-୧) ସୁଟ୍ଆଉଟ୍ରେ ଜିତି ହ୍ୟାଟ୍ରିକ୍ ବିଜୟ ପାଇଛି ।
କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ର ପ୍ରଥମ କ୍ୱାର୍ଟର ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା । ୧୯ତମ ମିନିଟ୍ରେ ହାର୍ଦ୍ଦିକ ସିଂହଙ୍କ ପାସ୍କୁ ଅଜିତ ଯାଦବଙ୍କ ଗୋଲ୍ରେ ପରିଣତ କରି ଜିସିକୁ ଅଗ୍ରଣୀ ଦେଇଥିଲେ । ଏହାର ୪ ମିନିଟ୍ ପରେ ଲାନ୍ସର୍ସର ଆଲେକ୍ଜାଣ୍ଡର ହେଣ୍ଡ୍ରିକ୍ସ (୨୩ ମିନିଟ୍) ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ସ୍ଥିତି ୧-୧କୁ ଆଣିଥିଲେ ।
ଏହାପରେ ଉଭୟ ଦଳ ଆକ୍ରମଣ ଓ ପ୍ରତିଆକ୍ରମଣ ଜୋର୍ଦାର କରିଥିଲେ ମଧ୍ୟ ଗୋଲ୍ ଦେବାକୁ ସକ୍ଷମ ନ ହେବାରୁ ମ୍ୟାଚ୍ର ନିର୍ଦ୍ଧାରିତ ସମୟ ୧-୧ରେ ଶେଷ ହୋଇଥିଲା । ତେଣୁ ଫଳାଫଳ ଲାଗି ମ୍ୟାଚ୍ ସୁଟ୍ଆଉଟ୍କୁ ଯାଇଥିଲା । ଏଥିରେ ଲାନ୍ସର୍ସ ୩-୧ରେ ଆଗରେ ରହି ବିଜୟୀ ହୋଇଥିଲା । ସୁଟ୍ଆଉଟ୍ରେ ଜିସିର କେବଳ ଗୁରଜୋଟ ସିଂହ ସଫଳତା ପାଇଥିଲା ବେଳେ ଲନ୍ସର୍ସର କୁପର ବର୍ନସ, ଅର୍ଥର ଭାନ୍ ଡୋରେନ୍ ଓ ଦିଲ୍ପ୍ରୀତ ସିଂହ ଗୋଲ୍ ଦେଇ ଦଳକୁ ବିଜୟୀ କରାଇଥିଲେ ।
Follow Us