କନକ ବ୍ୟୁରୋ : ପ୍ରତିଟି ଯୁବପିଢ଼ି ପାଇଁ କୋହଲି ଜଣେ ପ୍ରେରଣାର ଉତ୍ସ । ଆଜି ବିରାଟ କୋହଲି ସଫଳତାର ଯେଉଁ ଶୀର୍ଷରେ ଅଛନ୍ତି । ସେଠାରେ ପହଞ୍ଚିବା ପାଇଁ ସ୍ୱପ୍ନ ଦେଖୁଛନ୍ତି ଅନେକ ଯୁବ କ୍ରିକେଟର । ବିରାଟଙ୍କ ଭଳି ଖେଳିବା ଓ ତାଙ୍କ ଭଳି ରେକର୍ଡ ସୃଷ୍ଟି କରିବା ଅନେକଙ୍କ ସ୍ୱପ୍ନ । ଯଦି ସେହି ସ୍ୱପ୍ନ ପୂରଣ କରିବାରେ ବିରାଟ ସାହାଯ୍ୟ କରନ୍ତି ବା ବାଟ ଦେଖାନ୍ତି । ତେବେ ସୋନେ ପେ ସୁହାଗା । ସେମିତି କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଠି କିଙ୍ଗ କୋହଲି ଜଣେ କୁନି ପୁଅକୁ କ୍ରିକେଟରେ କିଭଳି ସଫଳତା ହାସଲ କରିହେବ । ସେନେଇ ଗୁରୁମନ୍ତ୍ର ଦେଉଛନ୍ତି ।
ପ୍ରାୟ ଏକ ଦଶନ୍ଧି ପରେ ଘରୋଇ କ୍ରିକେଟକୁ ଫେରିଛନ୍ତି କିଙ୍ଗ କୋହଲି । ଅଷ୍ଟ୍ରେଲିଆରେ ନୈରାଶଜନକ ପ୍ରଦର୍ଶନ ପରେ ଘରୋଇ କ୍ରିକେଟ ଖେଳିବାକୁ ବିସିସିଆଇ ପକ୍ଷରୁ ତାଙ୍କୁ ପରାମର୍ଶ ଦିଆଯାଇଥିଲା । ଅରୁଣ ଜେଟଲୀ ଷ୍ଟାଡିୟମରେ ରେଲୱେ ବିପକ୍ଷ ମ୍ୟାଚ୍ ପାଇଁ ବିରାଟ ଦିଲ୍ଲୀ ଟିମ୍ ସହ ଅଭ୍ୟାସ କରୁଥାନ୍ତି । ଠିକ୍ ସେହି ସମୟରେ ଜଣେ କୁନି ଫ୍ୟାନ୍ ବିରାଟଙ୍କ ପାଖକୁ ଆସି କଥା ହେଉଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବେ ବେଶ୍ ଭାଇରାଲ ହେଉଛି ।
ଭିଡିଓରେ ଦେଖିବାକୁ ମିଳୁଛି ଯେ, କୁନି ଫ୍ୟାନ୍ ଜଣକ ବିରାଟଙ୍କ ପାଖକୁ ଆସି ପଚାରୁଛନ୍ତି କଣ କଲେ ଭାରତୀୟ କ୍ରିକେଟର ହୋଇପାରିବି । ଉତ୍ତରରେ ବିରାଟ କହୁଛନ୍ତି, କଠିନ ପରିଶ୍ରମ କରିବାକୁ ପଡ଼ିବ । ପ୍ରାକ୍ଟିସ ଓ ଟ୍ରେନିଂ ପାଇଁ କେହି ଆପଣଙ୍କୁ ଆସି ଡାକିବେନି । ନିଜେ ସକାଳୁ ଉଠି କହିବାକ ପଡ଼ିବ କି ଆଜି ମତେ ପ୍ରାକ୍ଟିସ ପାଇଁ ଯିବାକୁ ପଡ଼ିବ । ଯଦି କେହି ୧ ଘଣ୍ଟା ପ୍ରାକ୍ଟିସ କରୁଛି ତ ତମେ ୨ ଘଣ୍ଟା କର । କେହି ଯଦି ୫୦ ରନ କରୁଛନ୍ତି, ତେବେ ତମେ ୧୦୦ ବନାଅ । କେହି ୧୦୦ କଲେ ତମେ ୨୦୦ ବନାଅ । ବେଞ୍ଚ ମାର୍କରୁ ଡବଲ ପରିଶ୍ରମ କଲେ ନିଶ୍ଚୟ ସଫଳତା ପାଇବ ।
ଏବେ ଆପଣ ଭାବୁଥିବେ ବିରାଟ କାହିଁକି ଏହି କୁନି ପିଲାକୁ ଏତେ କଥା ଶିଖାଉଛନ୍ତି । ବାସ୍ତବରେ ସେ କୁନି ପିଲା ଜଣକ ବିରାଟଙ୍କ ଦିଲ୍ଲୀ ରଣଜୀ ଦଳର ପୁରୁଣା ବନ୍ଧୁ ସାବେଜ ଖାନଙ୍କ ପୁଅ । ପୁଅ ବିରାଟଙ୍କ ବଡ଼ ଫ୍ୟାନ୍ ହୋଇଥିବାରୁ ତାଙ୍କ ସହ ଭେଟ କରାଇବା ପାଇଁ ଆଣିଥିଲେ ସାବେଜ । ଏତେ ଦିନ ପରେ ବିରାଟଙ୍କୁ ଦେଖିବା ପରେ ବେଶ୍ ଖୁସି ହୋଇଯାଇଥିଲେ ସାବେଜ । ଖୁସିରେ ବିରାଟଙ୍କୁ କୁଣ୍ଢାଇ ପକାଇଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।
୧୨ ବର୍ଷ ପରେ ରଣଜୀ ଖେଳୁଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ଆଉ ପଡିଆରେ କୋହଲିଙ୍କୁ ଦେଖିବାକୁ ପ୍ରଶଂସକଙ୍କ ପ୍ରବଳ ଗହଳି । ଷ୍ଟାଡିଅମ୍ ଭିତରେ ଏବଂ ବାହାରେ ପ୍ରବଳ ଭିଡ । ଗେଟ୍ ଆଗରେ ଠେଲାପେଲା ସ୍ଥିତି । ଭୋର ୫ଟାରୁ ଷ୍ଟାଡିୟମରେ ପ୍ରବଳ ଗହଳି । ଶେଷ ଥର ପାଇଁ ୨୦୧୨ରେ ରଣଜୀ ଖେଳିଥିଲେ ବିରାଟ ।