Grand mother in the hospital, granddaughter made India the champion Photograph: (kanaknews)
କନକ ବ୍ୟୁରୋ: ବଦଳିଲା ଦୀର୍ଘ ଦୁଇ ଦଶନ୍ଧିର ଇତିହାସ । କ୍ରିକେଟ୍ ବିଶ୍ବକପ ଟାଇଟଲ୍ ହାତେଇଲା ଭାରତୀୟ ମହିଳା ଦଳ । ଆଉ ଏହି ଐତିହାସିକ ବିଜୟ ପରେ ଧୀରେ ଧୀରେ ସାମ୍ନାକୁ ଆସୁଛି ପ୍ରତିଟି ଖେଳାଳିଙ୍କ ବିଜୟ ପଛର ଅବଦାନ ଓ ସଂଘର୍ଷମୟ କାହାଣୀ । ଆଉ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ଭାରତୀୟ ମହିଳା କ୍ରିକେଟର ଅମନଜୋତ୍ କୌରଙ୍କ ହୃଦୟବିଦାରକ କାହାଣୀ । ଯାହାକୁ ଜାଣିଲେ ଆପଣ ବି ଅମନଜୋତଙ୍କୁ ସାବାସୀ ନଦେଇ ରହିପାରିବେନି ।
ଭାରତ ବିଶ୍ବବିଜୟୀ ପଛରେ ଅମନଜୋତଙ୍କ ବଡ଼ ଅବଦାନ ରହିଛି । କାରଣ ସେ ବିଶ୍ବକପ ଅଭିଯାନରେ ଦେଶ ପାଇଁ ଲଢ଼େଇ ଜାରି ରଖିଥିବାବେଳେ ତାଙ୍କ ଜେଜେ ମାଆ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ । ହୃଦଘାତ ଯୋଗୁ ଅମନଜୋତଙ୍କ ଜେଜେ ମାଆ ଜୀବନ ମରଣ ସହ ଲଢ଼େଇ କରୁଛନ୍ତି । ଏପରି ଏକ ଦୁଃଖକୁ ବି ସେ ନିଜ ଛାତି ତଳେ ଚାପି ଭାରତକୁ ବିଜୟୀ କରାଇବାରେ ଟିକେ ବି ହେଳା କରିନଥିଲେ । ବଡ଼କଥା ହେଉଛି ତାଙ୍କ ପରିବାର ସବୁବେଳେ ତାଙ୍କୁ ଜେଜେ ମାଆ ଭଲ ଅଛନ୍ତି ବୋଲି କହି ତାଙ୍କ ମନୋବଳ ବଢ଼ାଇ ଚାଲିଥିଲେ ଯାହା ଫଳରେ ସେ ନିଜ ଖେଳ ଉପରେ ଫୋକସ୍ କରିଥିଲେ ।
ଭୋଟରଙ୍କ ନଖରେ କାହିଁକି ଲଗାନ୍ତି ନୀଳ କାଳି? ଆଶ୍ଚର୍ଯ୍ୟ କରିଦେବ ଲିଟର ପିଛା ଦାମ୍
ବଡ଼କଥା ହେଉଛି ଅମନଜୋତ ଜେଜେ ମା ପିଲାଦିନରୁ ହିଁ ତାଙ୍କୁ କ୍ରିକେଟ ଖେଳିବା ପାଇଁ ଘର ଭିତରେ ସବୁଠାରୁ ଅଧିକ ପ୍ରୋତ୍ସାହିତ କରୁଥିଲେ । ସେ ମୋହାଲିର ଗଳିରୁ ବିଶ୍ୱକପ୍ ପର୍ଯ୍ୟନ୍ତ ପ୍ରତ୍ୟେକ ପାହାଚରେ ତାଙ୍କ ନାତୁଣୀଙ୍କୁ ଯୋଡ଼ି ହୋଇ ରହିଥିଲେ । ଫାଇନାଲ ମ୍ୟାଚ୍ରେ ଅମନଜୋତ ବ୍ୟାଟ୍ କିମ୍ବା ବଲ୍ରେ ଭଲ ପ୍ରଦର୍ଶନ କରିନଥିଲେ ସତ କିନ୍ତୁ ସେ ଧରିଥିବା କ୍ୟାଚ୍ ମ୍ୟାଚର ଟର୍ଣ୍ଣିଂ ପଏଣ୍ଟ ସାଜିଥିଲା । ସେ ଦକ୍ଷିଣ ଆଫିକ୍ରାର ବିସ୍ଫୋରକ ବ୍ୟାଟର ତାଜମିନ୍ ବ୍ରିଟ୍ସଙ୍କୁ ରନ୍ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ତା'ପରେ ଭାରତ ଉପରେ ଭାରି ପଡ଼ୁଥିବା ଦକ୍ଷିଣ ଆଫ୍ରିକାର କ୍ୟାପଟେନ୍ ଲୌରା ୱଲଭାର୍ଡଙ୍କ ଏକ ଶାନଦାର କ୍ୟାଚ୍ ଧରି ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ ।
ସତରେ ଅମନଜୋତ କୌରଙ୍କ ସଂଘର୍ଷ କେବଳ ଏକ କ୍ରିକେଟ କାହାଣୀ ନୁହେଁ, ଏହା ସାହସ ଏବଂ ସମର୍ପଣର ଏକ ଉଦାହରଣ କହିଲେ କିଛି ଭୁଲ ହେବନି । ସେ କଠିନ ପରିସ୍ଥିତିରେ ମଧ୍ୟ ତାଙ୍କ ଦଳ ପାଇଁ ନିଜର ସର୍ବସ୍ୱ ଦେଇଥିଲେ ଏବଂ ସେହି ଚମତ୍କାର କ୍ୟାଚ୍ ମଧ୍ୟ ଆଜି ଭାରତକୁ ବିଶ୍ବ ବିଜୟୀ କରାଇପାରିଛି ।
Follow Us