କନକ ବ୍ୟୁରୋ : ବର୍ମିଂହାମ୍‌ ଟେଷ୍ଟରେ ଅଧିନାୟକ ଭାବେ ଶୁବମନ ଗିଲ୍‌ଙ୍କ ରେକର୍ଡ ଭରା ମାରାଥନ୍ ଦ୍ବିଶତକ । ସେ ୩୮୭ ବଲ୍‌ରେ ୨୬୯ ରନ୍‌ କରିଛନ୍ତି । ୫୦୯ ମିନିଟ୍‌ ବ୍ୟାଟିଂ କରି ନିଜ ପାଳିରେ  ୩୦ଟି ଚୌକା ଓ ୩ ଛକା ମାରିଛନ୍ତି । ଏହା ପରେ ବୋଲର୍‌ଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଭାରତ ପ୍ରାଧାନ୍ୟ ବିସ୍ତାର କରିଛି । ରବୀନ୍ଦ୍ର ଜାଡ଼େଜା (୮୯)ଙ୍କ ସହ ମିଶି ଦ୍ବିଶତକୀୟ (୨୦୩) ଏବଂ ୱାସିଂଟନ୍ ସୁନ୍ଦର (୪୨)ଙ୍କ ସହ ମିଶି ଶତକୀୟ (୧୪୪) ଭାଗୀଦାରି କରି ଶୁବମନ ଗିଲ୍‌ ମଧ୍ୟ ଭାରତକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି । ଭାରତର ପ୍ରଥମ ପାଳି ୫୮୭ ରନ୍‌ରେ ଶେଷ ହୋଇଛି । ଜବାବରେ ଇଂଲଣ୍ଡ ୨୫ ରନ୍‌ ଭିତରେ ୩ ୱିକେଟ୍ ହରାଇ (ଡକେଟ୍‌, ପୋପ୍‌, କ୍ରଲି) ପ୍ରାରମ୍ଭିକ ସଙ୍କଟ (୭୭/୩)ରେ ପଡ଼ିଛି ।

Advertisment

ଗୁରୁବାର ଭାରତ ୩୧୦/୫ରୁ ଖେଳିବା ପରେ ଦିନତମାମ ଇଂଲଣ୍ଡ ବୋଲର୍‌ଙ୍କୁ ନୟାନ୍ତ କରିଥିଲା । ମଧ୍ୟାହ୍ନ ଭୋଜନ ପୂର୍ବରୁ ରବୀନ୍ଦ୍ର ଜାଡ଼େଜା ମାତ୍ର ୧୧ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ତାଙ୍କୁ ଟଙ୍ଗ୍ ବଡିଲାଇନ୍ ସର୍ଟ ପିଚ୍‌ ପରୀକ୍ଷାରେ ଶିକାର କରି ନେଇଥିଲେ । ସେହିଭଳି ଚା’ପାନ ବିରତି ପୂର୍ବରୁ ୱାସିଂଟନ୍‌ ସୁନ୍ଦରଙ୍କୁ ବି ଅର୍ଦ୍ଧଶତକ କରାଇ ଦେଇନଥିଲେ ଜୋ ରୁଟ୍‌ । ବ୍ୟାଟିଂ କମାଲ ଉଦାହରଣ ସହ ଦଳର ନେତୃତ୍ବ ନେଇଥିବା ଗିଲ୍‌ ଏକାଧିକ ରେକର୍ଡ କରିଥିଲେ । ଉଭୟ ଟେଷ୍ଟ୍ ଓ ଦିନିକିଆରେ ଦ୍ବିଶତକ ଅର୍ଜନ କରିବାରେ ବିଶ୍ବର ପଞ୍ଚମ ଖେଳାଳି ହୋଇଥିଲେ । ପୂର୍ବରୁ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ, ରୋହିତ ଶର୍ମା ଓ କ୍ରିସ୍ ଗେଲ୍ ଏହି କ୍ଲବ୍‌ର ସଦସ୍ୟ ଥିଲେ । ସେହିଭଳି ଦେଶ ବାହାରେ ସର୍ବୋଚ୍ଚ ପାଳି ଖେଳିବାରେ ଗିଲ୍ (୨୬୯) କେବଳ ବୀରେନ୍ଦ୍ର ସେହବାଗ (୩୦୯, ମୁଲତାନ) ଓ ରାହୁଲ ଦ୍ରାବିଡ଼ (୨୭୦, ରାୱଲପିଣ୍ଡି)ଙ୍କ ପରେ ତୃତୀୟ ଭାରତୀୟ ହୋଇଛନ୍ତି । ସେହବାଗ ଓ ଦ୍ରାବିଡ଼ ୨୦୦୪ ପାକିସ୍ତାନ ଗସ୍ତରେ ଏହା କରିଥିଲେ । ପ୍ରଥମ ପାଳିରେ ଭାରତ ପ୍ରଥମ ୫ ୱିକେଟ୍ ହରାଇବା ପରେ ୩୭୬ ରନ୍ ଅଧିକ ଯୋଡ଼ିବା ଏକ ଭାରତୀୟ ରେକର୍ଡ ହୋଇଛି । ୨୦୧୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଇଡେନ୍ ଗାର୍ଡେନ୍ସ ଟେଷ୍ଟ୍‌ରେ ଭାରତ ପୂର୍ବରୁ ସର୍ବାଧିକ ୩୭୦ ରନ୍ କରିଥିଲା ।

ସଂକ୍ଷିପ୍ତ ସ୍କୋର:ଭାରତ ପ୍ରଥମ ପାଳି: ୧୫୧ ଓଭରରେ ୫୮୭ (ଶୁବମନ ଗିଲ୍‌-୨୬୯, ରବୀନ୍ଦ୍ର ଜାଡ଼େଜା-୮୯, ଯଶସ୍ବୀ ଜୟସ୍ବାଲ-୮୭, ୱାସିଂଟନ୍ ସୁନ୍ଦର-୪୨, ସୋଏବ ବଶିର-୩/୧୬୭, କ୍ରିସ୍ ୱକ୍ସ-୨/୮୧, ଜୋସ୍ ଟଙ୍ଗ୍‌-୨/୧୧୯, ଜୋ ରୁଟ୍‌-୧/୨୦, ବେନ୍ ଷ୍ଟୋକ୍ସ-୧/୭୪, ବ୍ରାଇଡେନ୍ କାର୍ସ-୧/୮୩) । ଇଂଲଣ୍ଡ ପ୍ରଥମ ପାଳି: ୨୦ ଓଭରରେ ୭୭/୩ (ଜୋ ରୁଟ୍‌-୧୮*, ହ୍ୟାରି ବ୍ରୁକ୍‌-୩୦*, ଆକାଶ ଦୀପ-୨/୩୬, ମହମ୍ମଦ ସିରାଜ-୧/୨୧) ।

ପୁଣି ଖଣ୍ଡା ବୁଲାଇଲେ ଜାଡ଼େଜା
ଭାରତୀୟ ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଗୁରୁବାର ନିଜ ୨୩ତମ ଟେଷ୍ଟ୍ ଅର୍ଦ୍ଧଶତକ ପୂରଣ କରିଥିଲେ । ନିଜ ଚିରାଚରିତ ଖଣ୍ଡାବୁଲା ଶୈଳୀରେ ଉତ୍ସବ ପାଳନ କରି ଏହାର ଖୁସି ମନାଇଥି‌ଲେ ସେ । ସେହିଭଳି ଅଧିନାୟକ ଶୁବମନ ଗିଲ୍‌ଙ୍କ ସହ ଦ୍ବିଶତକୀୟ ଭାଗୀଦାରି କରି ଭାରତର ସ୍ଥିତି ସୁଧାରି ନେଇଥିଲେ । ଜାଡ଼େଜାଙ୍କ ସାହସିକ ବ୍ୟାଟିଂକୁ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ବରୁଣ ଆରୋନ ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ । ୨୦୨୨ ଗସ୍ତରେ ଜାଡ଼େଜା ମଧ୍ୟ ଏଜ୍‌ବାଷ୍ଟନ୍‌ଠାରେ ୧୦୪ ରନ୍ କରିଥିଲେ ।

ଅଧିନାୟକ ହେବାର ତୃତୀୟ ପାଳିରେ ଦ୍ବିଶତକ ଅର୍ଜନ କରି ଶୁବମନ ଗିଲ୍‌ ଏକାଧିକ ରେକର୍ଡ ନିଜ ନାମରେ କରି ନେଇଛନ୍ତି । ସବୁ ଭାରତୀୟଙ୍କୁ ପଛରେ ପକାଇ ଇଂଲଣ୍ଡ ମାଟିରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର କରି ନେଇଛନ୍ତି । ତୃତୀୟ ଭାରତୀୟ ଭ‌ାବେ ଇଂଲଣ୍ଡରେ ଦ୍ବିଶତକ ହାସଲ କରିଛନ୍ତି । ମୋଟ ଉପରେ କିନ୍ତୁ ଷଷ୍ଠ ଭାରତୀୟ ଅଧିନାୟକ ଭାବେ ଦ୍ବିଶତକ ଅର୍ଜନ କରିଛନ୍ତି । ପୂର୍ବ ୫ ଜଣ ହେଉଛନ୍ତି ମନସୁର ଅଲୀ ଖାନ୍ ପଟୌଦୀ, ସୁନିଲ ଗାଭାସ୍କର, ସଚିନ ତେନ୍ଦୁଲକର, ଏମ୍‌ଏସ୍ ଧୋନି ଓ ବିରାଟ କୋହଲି । ବିରାଟ କୋହଲି କିନ୍ତୁ ଏକମାତ୍ର ଖେଳାଳି ଭାବେ ତାଙ୍କ ଅଧିନାୟକତ୍ବ ସମୟରେ ୭ ଥର ଦ୍ବିଶତକ ଅର୍ଜନ କରିଥିଲେ । ଅନ୍ୟମାନେ ଥରେ ଲେଖାଏଁ କରିଥିଲେ । ବିଦେଶ ମାଟିରେ କିନ୍ତୁ ଦ୍ବିଶତକ ଅର୍ଜନ କରିବାରେ ସେ ଦ୍ବିତୀୟ ଭାରତୀୟ ଅଧିନାୟକ । ୨୦୧୬ରେ ବିରାଟ କୋହଲି ନର୍ଥ ସାଉଣ୍ଡ୍‌ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୦୦ ରନ୍ କରିଥିଲେ । ସେନା (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ୍‌, ଅଷ୍ଟ୍ରେଲିଆ) ଦେଶରେ ଦ୍ବିଶତକ ଅର୍ଜନ କରିବାରେ ଗିଲ୍ ପ୍ରଥମ ଏସୀୟ ହୋଇଛନ୍ତି । ୨୦୧୧ରେ ଲର୍ଡସରେ ଶ୍ରୀଲଙ୍କାର ତିଲକରତ୍ନେ ଦିଲସାନ୍‌ ୧୯୩ ରନ୍ କରିବା ସର୍ବୋଚ୍ଚ ଥିଲା ।

ଦ୍ବିତୀୟ ସର୍ବକନିଷ୍ଠ ଅଧିନାୟକ:ଦ୍ବିଶତକ ଅର୍ଜନ କରିବାରେ ଗିଲ୍ ମଧ୍ୟ ଦ୍ବିତୀୟ ସର୍ବକନିଷ୍ଠ ଭାରତୀୟ ଅଧିନାୟକ ହୋଇଛନ୍ତି । ଏମ୍‌ଏକେ ପଟୌଦୀ ୧୯୬୪ ମସିହାରେ ଦିଲ୍ଲୀରେ ଇଂଲଣ୍ଡ ବିପକ୍ଷରେ ୨୩ ବର୍ଷ ୩୯ ଦିନରେ ଦ୍ବିଶତକ ହାସଲ କରି ସର୍ବକନିଷ୍ଠ ଅଛନ୍ତି । ଗିଲ୍‌ ୨୫ ବର୍ଷ ୨୯୮ ଦିନରେ ଏହି ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି । ସଚିନ ତେନ୍ଦୁଲକର ୧୯୯୯ରେ ଅହମଦାବାଦରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ୨୬ ବର୍ଷ ୧୮୯ ଦିନରେ ଏବଂ ବିରାଟ କୋହଲି ୨୦୧୬ରେ ନର୍ଥ ସାଉଣ୍ଡ୍‌ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୭ ବର୍ଷ ୨୬୦ ଦିନରେ ଦ୍ବିଶତକ ଅର୍ଜନ କରିଥିଲେ । ଅଧିନାୟକ ଭାବେ ମାତ୍ର ତୃତୀୟ ପାଳିରେ ଦ୍ବିଶତକ ଅର୍ଜନ କରିବା ମଧ୍ୟ ଗିଲ୍‌ଙ୍କ ପାଇଁ ଯୁଗ୍ମ ଦ୍ରୁତତମ । ୧୯୭୮ ମସିହାରେ ସୁନିଲ ଗାଭାସ୍କର ୱାଙ୍ଖ୍‌ଡ଼େରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୦୫ ରନ୍ ସଂଗ୍ରହ କରିଥିଲେ । ଏହା ମଧ୍ୟ ତାଙ୍କ‌ ନେତୃତ୍ବର ତୃତୀୟ ପାଳିରେ ଆସିଥିଲା ।

ଇଂଲଣ୍ଡରେ ଅଧିନାୟକଙ୍କ ଦ୍ବିଶତକ: ଇଂଲଣ୍ଡ ମାଟିରେ ଅଧିନାୟକ ଭାବେ ଦ୍ବିଶତକ ଅର୍ଜନ କରିବାରେ ଗୁରୁବାର ଏକାଦଶ ଉଦାହରଣ ଦେଖିବାକୁ ମିଳିଛି । ତେବେ ଘରୋଇ ଦଳର ବ୍ୟାଟର୍‌ ୪ଟି ଏବଂ ଭ୍ରମଣକାରୀ ଦଳର ଖେଳାଳି ୧୧ଟି ମାରିଛନ୍ତି । ଗିଲଙ୍କଠାରୁ କେବଳ ଗ୍ରେମ୍ ସ୍ମିଥ୍ କମ୍ ବୟସରେ ଏହା କରିଛନ୍ତି । ୨୦୦୩ ଗସ୍ତରେ ସ୍ମିଥ୍ ଏଜ୍‌ବାଷ୍ଟନ୍‌ରେ ୨୭୭ ଏବଂ ଲର୍ଡସରେ ୨୫୯ ରନ୍‌ର ପାଳି‌ ଖେଳିଥିଲେ । ପ୍ରଥମଟି ମାତ୍ର ୨୨ ବର୍ଷ ୧୭୫ ଦିନରେ ଆସିଥିଲା ।

ଭାରତ ପାଇଁ ୨୫୦+:ଷଷ୍ଠ ଭାରତୀୟ ଅଧିନାୟକ ଭାବେ ଦ୍ବିଶତକ ଅର୍ଜନ କରିଥିବା ଗିଲ୍‌ ମଧ୍ୟ ଷଷ୍ଠ ଭାରତୀୟ ଭାବେ ୨୫୦+ ସ୍କୋର୍ କରିଛନ୍ତି ଟେଷ୍ଟ୍‌ କ୍ରିକେଟ୍‌ରେ । ବୀରେନ୍ଦ୍ର ସେହବାଗ, ଭିଭିଏସ୍ ଲକ୍ଷ୍ମଣ, ରାହୁଲ ଦ୍ରାବିଡ଼, କରୁଣ ନାୟର, ବିରାଟ କୋହଲି ପୂର୍ବରୁ ଏହି କ୍ଲବ୍‌ରେ ଥିଲେ । ଉପମହାଦେଶ ବାହାରେ କିନ୍ତୁ ୨୫୦+ ସ୍କୋର୍‌ କରିବାରେ ଗିଲ୍ ପ୍ରଥମ ଭାରତୀୟ ହୋଇଛନ୍ତି । ପୂର୍ବ ସର୍ବାଧିକ ୨୪୧* ରନ୍ ସଚିନ ତେନ୍ଦୁଲକର (ବନାମ ଅଷ୍ଟ୍ରେଲିଆ, ସିଡ୍‌ନି, ୨୦୦୪)ଙ୍କ ନାମରେ ଥିଲା । ବୀରେନ୍ଦ୍ର ସେହବାଗ କିନ୍ତୁ ଏକମାତ୍ର ଭାରତୀୟ ଯିଏ ସର୍ବାଧିକ ୪ ଥର ୨୫୦+ ‌ରନ୍ ଟେଷ୍ଟ୍ ପାଳି ଖେଳିଛନ୍ତି ।