କନକ ବ୍ୟୁରୋ: ସବୁଠି ଭାରତୀୟ କ୍ରିକେଟରଙ୍କ ଦବଦବା ଦେଖିବାକୁ ମିଳୁଛି । ନିକଟରେ ଶେଷ ହୋଇଥିବା ଆଣ୍ଡରସନ୍-ତେନ୍ଦୁଲକର ଟେଷ୍ଟ ଶୃଙ୍ଖଳା ପରେ ପରେ ରେକର୍ଡ ଦରରେ ନିଲାମ ହୋଇଛି ଭାରତୀୟ କ୍ରିକେଟରଙ୍କ ଜର୍ସି ଓ ଟୋପି । ଯାହାକୁ ନେଇ ଏବେ କ୍ରିକେଟ୍ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।
ରିପୋର୍ଟ ମୁତାବକ, ଲର୍ଡସ ଟେଷ୍ଟରେ ଭାରତୀୟ ଅଧିନାୟକ ଶୁବମନ୍ ଗିଲ୍ ପିନ୍ଧିଥିବା ଜର୍ସି ରେକର୍ଡ ୫.୪୧ ଲକ୍ଷ ଟଙ୍କାରେ ନିଲାମ ହୋଇଛି । ଏହି ଜର୍ସିରେ ଗିଲ୍ଙ୍କ ଅଟୋଗ୍ରାଫ୍ ଥିବା ସହ ମ୍ୟାଚ୍ ବେଳେ ପିନ୍ଧିଥିବାରୁ ଭିନ୍ନ ଦାଗ ରହିଥିଲା । ତଥାପି ଜଣେ କ୍ରିକେଟପ୍ରେମୀ ଏହାକୁ ଏତେ ଟଙ୍କାରେ କିଣିବା ନିଲାମକାରୀଙ୍କ ବି ଚକିତ କରିଥିଲା ।
ଏକ ସ୍ଵେଚ୍ଛାସେବୀ ସଂସ୍ଥା ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ଆୟୋଜନ କରାଯାଇଥିବା ଏହି ନିଲାମରେ ଅନ୍ୟ ଖେଳାଳିଙ୍କ ମଧ୍ୟରେ ଯଶପ୍ରୀତ୍ ବୁମ୍ରା ଓ ରବୀନ୍ଦ୍ର ଜାଡ଼େଜାଙ୍କ ଜର୍ସି ୪.୯୪ ଲକ୍ଷ ଟଙ୍କା ଲେଖାଏଁରେ ନିଲାମି ହୋଇଥିବାବେଳେ କେଏଲ୍ ରାହୁଲଙ୍କ ଜର୍ସି ୪.୭୦ ଲକ୍ଷ ଟଙ୍କାରେ ନିଲାମ ହୋଇଛି । ଏପରିକି ଋଷଭ ପନ୍ତଙ୍କ ଅଟୋଗ୍ରାଫ୍ ଥିବା ଟୋପି ୧.୭୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ।
ସେପଟେ ଏକମାତ୍ର ବିଦେଶୀ ଖେଳାଳି ଭାବେ ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ଙ୍କ ଜର୍ସି ୪.୪୭ ଲକ୍ଷ ଓ ଟୋପି ୩ ଲକ୍ଷ ୫୩ ହଜାର ଟଙ୍କାରେ ବିକ୍ରି ହୋଇଛି । ତେବେ ନିଜ ମନ ପସନ୍ଦର ଖେଳାଳିଙ୍କ ଜର୍ସି ଓ ଟୋପିକୁ ନିଜ ପାଖରେ ସାଇତି ରଖିବା ଏକ ନିଶା କହିଲେ ଭୁଲ୍ ହେବନି । ସେଥିପାଇଁ କ୍ରିକେଟ୍ ଫ୍ୟାନ୍ସ ମାନେ ଲକ୍ଷ ଲକ୍ଷ ଟଙ୍କା ବି ଖର୍ଚ୍ଚ କରିବାକୁ କୁଣ୍ଠାବୋଧ କରୁନାହାନ୍ତି ବୋଲି କ୍ରିକେଟ୍ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି ।