କନକ ବ୍ୟୁରୋ: ଜନ୍ମରୁ ନାହିଁ ହାତ, ତଥାପି ସେ ଛାଡି ନାହାନ୍ତି ସାହାସ । ବିନା ହାତରେ ତିରନ୍ଦାଜରେ ସେ ପହଞ୍ଚିଛନ୍ତି ପାରାଅଲିମ୍ପିକ୍ସରେ । ମନୋବଳ ଦୃଢ ଥିଲେ, ସଫଳତା ପାଇଁ ବାଟ ଆପେ ଆପେ ଖୋଲିଯାଏ । ଆଉ ଏହାକୁ ସତ କରି ଦେଖାଇଛନ୍ତି ଶୀତଲ ଦେବୀ । ହାତ ନଥିଲେ ବି ସେ ଗୋଡରେ କରୁଛନ୍ତି କମାଲ । ପାରାଅଲିମ୍ପିକ୍ସରେ ଡେବ୍ୟୁ କରିବା ସହ ସେ ଇତିହାସ ରଚିଛନ୍ତି । 

ଶୀତଲଙ୍କ ଜନ୍ମ ୧୦ ଜାନୁଆରୀ ୨୦୦୭ରେ ଜାମ୍ମୁ କାଶ୍ମୀରର ଏକ ଛୋଟିଆ ଗାଁରେ ହୋଇଥିଲା । ତାଙ୍କ ବାପା ଜଣେ ଚାଷୀ ହୋଇଥିବା ବେଳେ ମା’ ଗାଁରେ ଛେଳି ଚରାନ୍ତି । ଶୀତଲଙ୍କ ଜନ୍ମରୁ ଦୁଇ ହାତ ନାହିଁ । କୁହାଯାଉଛି ଯେ ସେ ଜନ୍ମରୁ ଫୋକୋମେଲିୟା ରୋଗରେ ପୀଡିତ ଅଛନ୍ତି । ତଥାପି ସେ କେବେ ବି ନିଜ ସ୍ୱପ୍ନକୁ ଛାଡି ନଥିଲେ । ଆଉ ତାଙ୍କ ଜୀବନରେ ଆସିଥିବା ସବୁ ବାଧାକୁ ସେ ଦୃଢର ସହ ସାମ୍ନା କରିଥିଲେ । ଏକ ଛୋଟିଆ ଗାଁରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ ଶୀତଲଙ୍କ ପାଇଁ କୌଣସି ଅସାଧାରଣରୁ କମ ନୁହେଁ । 

ଶୀତଲଙ୍କ ତୀର ଚାଳନା କରିବାର ଶୈଳୀ ବେଶ ନିଆରା । ତାଙ୍କ ପାଖରେ ହାତ ନଥିଲେ ବି ସେ ଗୋଡରେ ତୀର ଚାଳନା କରନ୍ତି । ଚେୟାର ଉପରେ ବସି ଗୋଡରେ ଧନୁ ଉଠାନ୍ତି । ଆଉ କାନ୍ଧରେ ଧନୁସୂତାକୁ ନିଜ ଆଡକୁ ଟାଣି ତୀର ଚାଳନା କରନ୍ତି । ତାଙ୍କୁ ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି ଯେ ସେ କେମିତି ଏଭଳି ତୀରଚାଳନା କରୁଛନ୍ତି । 
ଶୀତଲ ଦେବୀଙ୍କ କାହାଣୀ ୨୦୧୯ କିଶତବାଡାରୁ ଆରମ୍ଭ ହୋଇଥିଲା । ଏଠାରେ ଆୟୋଜିତ ହେଉଥିବା ଏକ ୟୁଥ ଇଭେଣ୍ଟରେ ଶୀତଲଙ୍କ ଆଥଲେଟ କ୍ଷମତା ଉପରେ ଭାରତୀୟ ସେନା କୋଚଙ୍କ ନଜର ଯାଇଥିଲା । ତାଙ୍କ ହାତ ନଥିଲା ହେଲେ ସେ ଗୋଡରେ ଗଛ ଉପରେ ଅତି ସହଜରେ ଚଢିଯାଉଥିଲା । ଏହାକୁ ଦେଖି ଭାରତୀୟ ସେନା କୋଚ ଚିନ୍ତା କରିଥିଲେ ଯେ ଯଦି ଶୀତଲଙ୍କୁ ଠିକ ଭାବରେ ଟ୍ରେନିଂ ଦିଆଯାଏ ତେବେ ସେ ନିଶ୍ଚିତ କମାଲ କରିବେ । 

ଶୀତଲ ଏସିଆ ପାରା ଗେମ୍ସ ୨୦୨୩ରେ ବହୁତ ବଢିଆ ପ୍ରଦର୍ଶନ କରିଥିଲେ । ଚୀନରେ ହେଉଥିବା ଏହି ଏସିଆନ ଗେମରେ ସେ ୨ ଗୋଲ୍ଡ ମେଡାଲ ସହ ମୋଟ ୩ ମେଡାଲ ଜିତିଥିଲେ । ସେ ଗୋଟିଏ ସିଜିନରେ ୨ଟି ଗୋଲ୍ଡ ମେଡାଲ ଜିତିଥିବା ପ୍ରଥମ ମହିଳା ଆଥଲେଟ । ତାଙ୍କର ଏହି ଉପଲବ୍ଧି ପାଇଁ ତାଙ୍କୁ ଅର୍ଜୁନ ପୁରସ୍କାର ସମ୍ମାନୀତ ମଧ୍ୟ କରାଯାଇଛି । ତେବେ ଶୀତଲ ତାଙ୍କର ପ୍ରଥମ ଅଲିମ୍ପିକ୍ସ ଡେବ୍ୟୁରେ ବି ଚମତ୍କାର ପ୍ରଦର୍ଶନ କରିଛନ୍ତି । ତୀରନ୍ଦାଜରେ ମହିଳା ବ୍ୟକ୍ତିଗତ ଇଭେଣ୍ଟରେ ୭୨୦ରୁ ୭୦୩ ପଏଣ୍ଟ ହାସଲ କରି ରେକର୍ଡ କରିଛନ୍ତି । କାରଣ ଏହାପୂର୍ବରୁ ୬୯୮ ବିଶ୍ୱ ରେକର୍ଡ ଥିଲା । ତେବେ ସେହି ଇଭେଣ୍ଟରେ ତୁର୍କୀର ଓଜନୁର ଗିର୍ଡି ୭୦୪ ପଏଣ୍ଟ କରି ବିଶ୍ୱ ରେକର୍ଡ ହାସଲ କରିଛନ୍ତି ।