Vishwanathan Anand Photograph: (Kanak News)
କନକ ବ୍ୟୁରୋ : ଭୁବନେଶ୍ୱରରେ ପହଞ୍ଚିଛନ୍ତି ଚେସ୍ ବିଶ୍ୱଦନ୍ତୀ ବିଶ୍ୱନାଥନ ଆନନ୍ଦ । କିଟ୍ ପକ୍ଷରୁ ଚଳିତ ଜାନୁଆରି ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଚେସ୍ ସମ୍ମିଳନୀରେ ଯୋଗଦେବେ ସେ । ଭାରତରେ ପ୍ରଥମ ଥର ଲାଗି ଚେସ୍ର ଏଭଳି ମହାକୁମ୍ଭ ଅନୁଷ୍ଠିତ ହେବାକୁ ଯାଉଛି । ଆନନ୍ଦଙ୍କ ଉପସ୍ଥିତି ଏହାକୁ ଅଧିକ ଆକର୍ଷଣୀୟ କରିଛି ।
ଅନ୍ତର୍ଜାତୀୟ ଚେସ୍ ସଂଘ (ଏଫ୍ଆଇଡିଇ) ଓ ଭାରତୀୟ ଚେସ୍ ସଂଘ (ଏଆଇସିଏଫ୍)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଚେସ୍ର ଏହି ମହାକୁମ୍ଭରେ ଏଫ୍ଆଇଡିଇର ସଭାପତି ତଥା ଋଷର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆର୍କାଡି ଡଭୋର୍କୋବିଚ୍, ଏଫ୍ଆଇଡିଇର ଡେପୁଟି ଚେୟାର ତଥା ଲାଟ୍ଭିଆର ପ୍ରାକ୍ତନ ଅର୍ଥମନ୍ତ୍ରୀ ଦାନା ରେଜନିସ୍, ଏଆଇସିଏଫ୍ ସଭାପତି ନିତିନ ନାରଙ୍ଗ, ସମ୍ପାଦକ ଦେବ ପଟେଲ୍ ଓ ଇଭେଣ୍ଟ କମିସନ୍ ସଦସ୍ୟ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେବେ ।
ଏହି ଅବସରରେ କିଟ୍ ପରିସରରେ ଥିବା ଇଣ୍ଟରନ୍ୟାସ୍ନାଲ୍ ଚେସ୍ ହଲ୍ ଓ ଚେସ୍ ଗ୍ରାଉଣ୍ଡକୁ ବିଶ୍ୱନାଥନ ଆନନ୍ଦ ଉଦ୍ଘାଟନ କରିବେ । ଏହି ମେଗା ଇଭେଣ୍ଟରେ ଭାରତର ୮୦ ଚେସ୍ ତାରକାଙ୍କ ସମେତ ବିଶ୍ୱର ୪୦ଟି ଦେଶର ବିଶିଷ୍ଟ ଚେସ୍ ତାରକା ଅଂଶଗ୍ରହଣ କରିବେ । ଏହା ସହିତ ମୋଟ ୫ହଜାର ୨ଶହ ଏବଂ ଭାରତର ୫ହଜାର ଚେସ୍ ଖେଳାଳି ଏହି କାର୍ଯ୍ୟକ୍ରମରେ ଭାଗ ନେବେ । ଏଥିରେ ଖୁସି ବ୍ୟକ୍ତ କରି ଶ୍ରୀ ସାମନ୍ତ କହିଛନ୍ତି, ଭାରତରେ କିଟ୍ରେ ପ୍ରଥମଥର ପାଇଁ ଏଭଳି ମେଗା କାର୍ଯ୍ୟକ୍ରମ ହେବା ନିଶ୍ଚିତ ଭାବେ ଓଡ଼ିଶା ପାଇଁ ଗୌରବର ବିଷୟ । ଏହା ଦ୍ୱାରା ଓଡ଼ିଶାର ଖେଳାଳିମାନେ ବିଶେଷ ସୁଯୋଗ ପାଇବା ସହ ସେମାନଙ୍କ ପାଇଁ ଏହା ଉଦାହରଣ ହୋଇ ରହିବ ।
Follow Us