Australian Open Photograph: (Internet)
କନକ ବ୍ୟୁରୋ : ବିଶ୍ୱ ୧ ନମ୍ବର ପୁରୁଷ ଖେଳାଳି କାର୍ଲୋସ ଆଲ୍କାରାଜ ଓ ମହିଳା ଖେଳାଳି ଆରିନା ସାବାଲେଙ୍କା ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ରେ ପହଞ୍ଚିଛନ୍ତି । ରବିବାର ରଡ୍ ଲାଭର ଏରିନାରେ ଖେଳାଯାଇଥିବା ପ୍ରିକ୍ୱାର୍ଟର ଫାଇନାଲ୍ରେ ୬ ଗ୍ରାଣ୍ଡ୍ ସ୍ଲାମ୍ ବିଜେତା ସ୍ପେନ୍ର ଆଲ୍କାରାଜ ୭-୬, ୬-୪, ୭-୫ ସେଟ୍ରେ ୧୯ ମାନ୍ୟତାପ୍ରାପ୍ତ ଆମେରିକାର ଟମି ପଲ୍ଙ୍କୁ ମାତ୍ ଦେଇଥିଲେ ।
ଏଥିସହ ସେ ଲଗାତାର ତୃତୀୟ ଥର ଲାଗି ଏଠାରେ କ୍ୱାର୍ଟରଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ୨ ଥର ଲେଖାଏଁ ଫ୍ରେଞ୍ଚ ଓପନ୍ (୨୦୨୪ ଓ ୨୦୨୫), ୱିମ୍ବଲଡନ୍ (୨୦୨୩ ଓ ୨୦୨୪) ଓ ୟୁଏସ୍ ଓପନ୍ (୨୦୨୨ ଓ ୨୦୨୫) ଜିତିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଓପନ୍ ଟ୍ରଫି ଧରିପାରି ନାହାନ୍ତି । ଏହି ସ୍ୱପ୍ନ ସାକାର ଲକ୍ଷ୍ୟରେ ରହିଛନ୍ତି ସେ ।
ଅଧିକ ପଢ଼ନ୍ତୁ : ଅଷ୍ଟ୍ରେଲିଆନ୍ ଓପନ୍: ଅଲ୍କାରାଜ, ସାବାଲେଙ୍କା ଆଗେଇଲେ
ସେହିପରି ମହିଳା ଏକକରେ ୪ ଥରର ଗ୍ରାଣ୍ଡ ସ୍ଲାମ୍ ବିଜୟିନୀ ବେଲାରୁଷ ଲଳନା ସାବାଲେଙ୍କା ୬-୧, ୭-୬ ସେଟ୍ରେ ୧୭ ମାନ୍ୟତାପ୍ରାପ୍ତ କାନାଡାର ଭିକ୍ଟୋରିଆ ଏମ୍ବୋକୋଙ୍କୁ ପରାସ୍ତ କରି ଚତୁର୍ଥ ଥର ଲାଗି ମେଲ୍ବର୍ଣ୍ଣରେ ଲଗାତାର କ୍ୱାର୍ଟରଫାଇନାଲ୍ ସ୍ଥାନ ନିଶ୍ଚିତ କରିଛନ୍ତି । ଏଥିରୁ ୨ ଥର (୨୦୨୩, ୨୦୨୪) ସେ ଟ୍ରଫି ଜିତିଥିଲା ବେଳେ ତୃତୀୟ ମୁକୁଟ ଦିଗରେ ଆଉ ଏକ ପାଦ ଅଗ୍ରସର ହୋଇଛନ୍ତି ।
ପରବର୍ତ୍ତୀ ରାଉଣ୍ଡରେ ସେ ୨୯ ମାନ୍ୟତାପ୍ରାପ୍ତ ଇଭା ଜୋଭିକ୍ଙ୍କୁ ଭେଟିବେ । ଆମେରିକାର ୧୮ ବର୍ଷୀୟା ଯୁବତୀ ଜୋଭିକ୍ ସିଧାସଳଖ ୬-୦, ୬-୧ ସେଟ୍ରେ କାଜାଖ୍ସ୍ତାନର ୟୁଲିଆ ପୁଟିନ୍ତ୍ସେଭାଙ୍କୁ ପରାସ୍ତ କରି ପ୍ରଥମ ଥର ଲାଗି ଗ୍ରାଣ୍ଡ ସ୍ଲାମ୍ କ୍ୱାର୍ଟରଫାଇନାଲ୍ରେ ପହଞ୍ଚିଛନ୍ତି । ଅନ୍ୟ ଏକ ମହିଳା ଏକକ ମ୍ୟାଚ୍ରେ ଫ୍ରେଞ୍ଚ ଓପନ୍ ବିଜୟିନୀ ବିଶ୍ୱର ୩ ନମ୍ବର ଖେଳାଳି କୋକୋ ଗୌଫ କଡ଼ା ସଂଘର୍ଷ କରି କ୍ୱାର୍ଟରଫାଇନାଲ୍ରେ ପହଞ୍ଚିଛନ୍ତି । ଏହି ୨୧ ବର୍ଷୀୟା ଆମେରିକୀୟ ମହିଳା ୬-୧, ୩-୬, ୬-୩ ସେଟ୍ରେ ଚେକ୍ଗଣରାଜ୍ୟର କାରୋଲିନା ମୁଚୋଭାଙ୍କୁ ହରାଇଛନ୍ତି ।
Follow Us