କନକ ବ୍ୟୁରୋ : ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର୍‌ ବ୍ରେଟ ଲି ଅଷ୍ଟ୍ରେଲିଆ ଛାଡ଼ି ଏବେ ଦୁବାଇରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ସେ ତାଙ୍କ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଏହା ସହିତ ସେ କେତେକ ଫଟୋ ମଧ୍ୟ ସେୟାର କରିଛନ୍ତି । ତେବେ କେଉଁ କାରଣରୁ ସେ ଅଷ୍ଟ୍ରେଲିଆ ଛାଡ଼ି ଦୁବାଇରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ସେ ସମ୍ପର୍କରେ ସେ ସ୍ପଷ୍ଟ କରିନାହାନ୍ତି ।

Advertisment

ତେବେ ନିଜ ପୋଷ୍ଟରେ ସେ ସଂକେତ ଦେଇଛନ୍ତି ଯେ କେତେକ କାମ ପାଇଁ କିଛିଥର ଦୁବାଇ ଆସିଥିଲେ । ପରେ କାମ ବଢିବା ପରେ ଏବେ ଦୁବାଇ ତାଙ୍କ ଘର ପାଲଟି ଯାଇଛି । ଅନେକ ସୁଯୋଗ, ଭଲ ଲୋକ, ପରିବାର ସହ ପ୍ରଚୁର ସମୟ ଓ ଭଲ ଲାଇଫଷ୍ଟାଇଲ୍‌କୁ ଏଡ଼େଇ ପାରିନଥିଲି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ପିଲାମାନେ ବଡ଼ ହେଉଛନ୍ତି ଓ ଏଠାକାର ସ୍କୁଲଗୁଡ଼ିକ ଭଲ । ବାଟଘାଟରେ ଭଲ ଲୋକ ଭେଟ ହୁଅନ୍ତି ।

ଅଧିକ ପଢ଼ନ୍ତୁ : ଅଷ୍ଟ୍ରେଲିଆକୁ ଧକ୍କା, ବିଶ୍ବକପରୁ ବାଦ୍‌ ପଡ଼ିଲେ ହେଜେଲଉଡ୍

ତେବେ ସେ ସ୍ପଷ୍ଟ କରିଛନ୍ତି ଯେ ଅଷ୍ଟ୍ରେଲିଆ ତାଙ୍କ ପାଇଁ ସବୁବେଳେ ନିଜର ଘର ହୋଇ ରହିବ । ସେଠାରେ ଯେଉଁ ଜୀବନ ଗଢିଥିଲୁ ସେଥିବାଇଁ କୃତଜ୍ଞ । ତାହା କେବେ ବଦଳିବ ନାହିଁ । କିନ୍ତୁ ଦୁବାଇରେ କିଛି (ଆକର୍ଷଣ) ଅଛି । ଅଳ୍ପ ସମୟ ପାଇଁ ଏଠାରେ ରହିଛି, କିନ୍ତୁ ଏହାକୁ ଜୀବନର ପରବର୍ତ୍ତୀ ଅଧ୍ୟାୟ ପାଇଁ ଘର କହିବାକୁ ଗର୍ବ ଅନୁଭବ କରୁଛି । ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ସେ କେତେକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ କେତେ ଜଣ ସ୍ଥାନୀୟ ଶିଳ୍ପପତିଙ୍କ ସହ ଫଟୋ ରହିଛି ।

ବ୍ରେଟ ଲି ୨୦୧୨ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ସେ ଅଷ୍ଟ୍ରେଲିଆ ପାଇଁ ୭୬ଟି ଟେଷ୍ଟ ଖେ​ଳି ୩୧୦ଟି ୱିକେଟ ନେଇଛନ୍ତି । ସେହିପରି ସେ ୨୨୧ଟି ଦିନିକିଆ ଖେଳି ୩୮୦ଟି ୱିକେଟ ନେଇଛନ୍ତି ।