India vs South Africa Photograph: (Kanak News)
କନକ ବ୍ୟୁରୋ : ଖଚାଖଚ୍ ଭିଡ ଜମିବ । ବାରବାଟୀରେ ଛକା ଓ ଚୌକାର ବର୍ଷା ହେବ । ବିଶାଳ ସ୍କୋର ସହ ବଡ଼ ମୁକାବିଲା ଦେଖିବାକୁ ପାଇବେ କ୍ରିକେଟପ୍ରେମୀ । ଏହାପୂର୍ବରୁ ଐତିହାସିକ ବାରବାଟୀରେ ପହଞ୍ଚି ଅକ୍ଳାନ୍ତ ପରିଶ୍ରମ କରିଛନ୍ତି ଉଭୟ ଭାରତ-ଦକ୍ଷିଣ ଆଫ୍ରିକା ଖେଳାଳି । ନେଟ୍ସରେ ଉଭୟ ଦେଶର ଖେଳାଳିଙ୍କ ପରିଶ୍ରମ ଦେଖି ଫ୍ୟାନ୍ କହିଲେଣି, ମଙ୍ଗଳବାର ହେବ ମହାଲଢେଇ ।
ବାରବାଟୀ ମ୍ୟାଚ୍ ପାଇଁ ଆରମ୍ଭ ହୋଇଛି ଶେଷ ୨୪ ଘଣ୍ଟାର କାଉଣ୍ଟଡାଉନ । ମହାମୁକାବିଲା ପୂର୍ବରୁ ବାରବାଟୀରେ ଘଣ୍ଟା ଘଣ୍ଟା ଧରି ଅଭ୍ୟାସ କରିଛନ୍ତି ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ । ପିଚ୍କୁ ଭଲ ଭାବେ ପରଖିଛନ୍ତି ଦୁଇ ଦେଶର ଖେଳାଳି । ଅପରାହ୍ନରେ ପ୍ରଥମେ ଟିମ୍ ଇଣ୍ଡିଆ ବାରବାଟୀରେ ପହଞ୍ଚିବା ପରେ ପଡିଆରେ ଝାଳ ବୁହାଇଛନ୍ତି ଉଭୟ ବ୍ୟାଟର ଓ ବୋଲର । ଷ୍ଟାର ବୋଲର ଯଶପ୍ରୀତ ବୁମରା ଓ ଅଲରାଉଣ୍ଡର ଶିବମ ଦୁବେ ନେଟ୍ସରେ ଦୀର୍ଘ ସମୟ ବୋଲିଂ କରିଥିଲେ ।
ଅଧିକ ପଢ଼ନ୍ତୁ : କାଲି ବାରବାଟୀ ଦଖଲ ଲକ୍ଷ୍ୟ, ଷ୍ଟାଡିୟମ୍ରେ ଝାଳ ବୁହାଇଲା ଟିମ୍ ଇଣ୍ଡିଆ
ସେହିଭଳି ସାଥୀ ଖେଳାଳି ଶୁବମନ ଗିଲ, ଅଭିଷେକ ଶର୍ମା, ସଞ୍ଜୁ ସାମସନ, ସୂର୍ଯ୍ୟ ଯାଦବଙ୍କ ବ୍ୟାଟିଂ ଝଲକ ଦେଖିଥିଲେ ଦର୍ଶକ । ଟିମ୍ ଇଣ୍ଡିଆ ଫେରିବା ପରେ ଦକ୍ଷିଣ ଆଫ୍ରିକା ଦଳ ବାରବାଟୀରେ ପହଞ୍ଚି ଶୀତୁଆ ସନ୍ଧ୍ୟାରେ ଝାଳବୁହା ପରିଶ୍ରମ କରିଛନ୍ତି । ଟିମ୍ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ କହିଛନ୍ତି, ଆଗରୁ ବାରବାଟୀରେ ଖେଳିଛି । ଦର୍ଶକଙ୍କ ଭରପୂର ସମର୍ଥନ ମିଳିଛି ।
ବାରବାଟୀ ବ୍ୟାଟଲ ପୂର୍ବରୁ ଷ୍ଟାଡିୟମରେ ଦେଖିବାକୁ ମିଳିଛି ଖଚାଖଚ୍ ଭିଡ଼ । ଟିମ୍ ଇଣ୍ଡିଆର ନେଟ୍ ପ୍ରାକ୍ଟିସ ଦେଖିଛନ୍ତି ହଜାର ହଜାର କ୍ରିକେଟପ୍ରେମୀ । ଖାସକରି ବୁମରା, ଅଭିଷେକ, ସୂର୍ଯ୍ୟକୁମାରଙ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ କ୍ରେଜ ଦେଖିବାକୁ ମିଳିଛି । ଲାଲ ପିଚ୍ରେ ଖେଳାଯାଉଥିବାରୁ ବାରବାଟୀରେ ରନ୍ ବର୍ଷା ପାଇଁ ଆଶାବାଦୀ ଅଛନ୍ତି କ୍ରିକେଟ ଫ୍ୟାନ୍ । ଅନ୍ୟପଟେ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଜର୍ସିର ଚାହିଦା ବଢ଼ିଛି । ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହାମୁକାବିଲା । ଏବେ କ୍ରିକେଟପ୍ରେମୀଙ୍କ ଅପେକ୍ଷା, ମଙ୍ଗଳବାର ସନ୍ଧ୍ୟା ୭ଟାକୁ ।
Follow Us