କନକ ବ୍ୟୁରୋ : ଇତିହାସ ରଚିଲା ଆଫଗାନିସ୍ତାନ । ଶ୍ରୀଲଙ୍କାକୁ ହରାଇ ହେଲା ଏସିଆ ଚାମ୍ପିଅନ । ପ୍ରଥମଥର ପାଇଁ ଏସିସି ପୁରୁଷ ଇମର୍ଜିଂ ଏସିଆ କପ୍ ଟାଇଟଲ ଜିତିଛି ଆଫଗାନିସ୍ତାନ । ଓମାନରେ ଖେଳାଯାଇଥିବା ଏସିଆ କପ୍ ୨୦୨୪ ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ କେବଳ ୧୩୩ ରନ କରିପାରିଥିଲା ଶ୍ରୀଲଙ୍କା ‘ଏ’ । ଜବାବରେ ଆଫଗାନିସ୍ତାନ ‘ଏ’ କେବଳ ୧୮.୧ ଓଭରରେ ଲକ୍ଷ୍ୟ ହାସଲ କରି ଇତିହାସ ରଚିଛି ।

Advertisment

ଓମାନରେ ଇମର୍ଜିଂ ଏସିଆ କପ୍ ୨୦୨୪ ଖେଳାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଆଫଗାନିସ୍ତାନ ‘ଏ’ ଏବଂ ଶ୍ରୀଲଙ୍କା ‘ଏ’ ମଧ୍ୟରେ ଖେଳାଯାଇଥିଲା । ଆଫଗାନିସ୍ତାନ ‘ଏ’ ଏହି ମ୍ୟାଚକୁ ୭ ୱିକେଟରେ ଜିତିଛି । ଆଫଗାନିସ୍ତାନ ଦଳ ପ୍ରଥମ ଥର ପାଇଁ ଇମର୍ଜିଂ ଏସିଆ କପ୍ ଟାଇଟଲ୍ ଜିତିଛି । ଦ୍ୱିତୀୟ ସେମିଫାଇନାଲରେ ଭାରତକୁ ହରାଇ ଆଫଗାନିସ୍ତାନ ଫାଇନାଲରେ ପ୍ରବେଶ କରିଥିଲା ।

ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୩୩ ରନ୍ ସଂଗ୍ରହ କରିଥିଲା । ଆଫଗାନିସ୍ତାନକୁ ଜିତିବା ପାଇଁ ୧୩୪ ରନ ଆବଶ୍ୟକ ରହିଥିଲା । ଏହାର ଜବାବରେ ଆଫଗାନିସ୍ତାନ ଦଳ କେବଳ ୧୮.୧ ଓଭରରେ ୩ ୱିକେଟ୍ ହରାଇ ଏହି ଟାର୍ଗେଟକୁ ହାସଲ କରିନେଇଥିଲା । ଆଫଗାନିସ୍ତାନ କ୍ରିକେଟ୍ ଇତିହାସରେ ଏହା ଏକ ଐତିହାସିକ ବିଜୟ ।