କନକ ବ୍ୟୁରୋ : ଭିଭ୍ ରିଚାର୍ଡସ, କ୍ଲାଇଭ ଲୟଡ, ମାରକମ ମାର୍ଶାଲ, ଆଣ୍ଡି ରବର୍ଟସଙ୍କ ପରି ଦୁଦ୍ଧର୍ଶ ଖେଳାଳିଙ୍କ ନାଁ ଶୁଶିଲେ ଏବେ ବି ଡର ଆସେ । ୧୯୮୩ ବିଶ୍ୱକପ୍..ସେତେବେଳେର ୱେଷ୍ଟଇଣ୍ଡିଜ ଟିମ ବିପକ୍ଷରେ ଖେଲିବା କୌଣସି ଯୁଦ୍ଧର ଭୁମିରେ ଲଢିବା ଠାରୁ କମ୍ ନୁହେଁ । ଅସମ୍ଭବକୁ ସମ୍ଭବ କରିଦେଖାଇଥିଲେ କପିଲଙ୍କ ଯୋଦ୍ଧା ଆଉ ଭାଙ୍ଗିଥିଲେ କାରାବିଆନ ଖେଳାଳିଙ୍କ ଗର୍ବ । ଆଉ ଭାରତରେ ଜନ୍ମ ନେଇଥିଲା ‘କ୍ରିକେଟର ହେବାର ସ୍ୱପ୍ନ’ ଦେଖିବା ।
୧୯୮୩ ମସିହା ଜୁନ ୨୫ ତାରିଖ.. ଭାରତୀୟ କ୍ରିକେଟ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିଖିତ ଏକ ଅବିସ୍ମରଣୀୟ ଦିନ । ଏହି ଦିନ କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଲଣ୍ଡନର ଐତିହାସିକ ଲର୍ଡସ ପଡିଆରେ ଦୁଇଥରର ବିଶ୍ୱ ଚାମ୍ପିଅନ ୱେଷ୍ଟଇଣ୍ଡିଜ୍କୁ ୪୩ ରନ୍ରେ ପରାସ୍ତ କରି ପ୍ରଥମ ଥର ପାଇଁ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା ଭାରତ । ଆଉ କହିବାକୁ ଗଲେ, ୮୩ ମସିହା ପରେ ଭାରତରେ କ୍ରିକେଟର ଅଭ୍ୟୁଦୟ ଘଟିଥିଲା । ବିଶ୍ୱକପର ବିଜୟ ଭାରତୀୟ କ୍ରିକେଟର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଥିଲା ଏବଂ ଦେଶରେ କ୍ରିକେଟର ଜନପ୍ରିୟତାକୁ ନୂଆ ଉଚ୍ଚତା ଦେଇଥିଲା । ଫାଇନାଲରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୪.୪ ଓଭରରେ ୧୮୩ ରନ କରି ଅଲଆଉଟ ହୋଇଥିଲା ।
ଶ୍ରୀକାନ୍ତ ୩୮, ସନ୍ଦୀପ ପାଟିଲ ୨୭ ଏବଂ ମହିନ୍ଦର ଅମରନାଥ ୨୬ ରନ କରିଥିଲେ । ୱେଷ୍ଟଇଣ୍ଡିଜର ଆଣ୍ଡି ରବର୍ଟସ ୩ଟି ଓ୍ୱିକେଟ ନେଇଥିଲେ । ୧୮୪ ରନର ଲକ୍ଷ୍ୟ ଚେଜ କରୁଥିବା ୱେଷ୍ଟଇଣ୍ଡିଜ ମାତ୍ର ୫ ରନରେ ଗର୍ଡନ ଗ୍ରୀନିଜଙ୍କୁ ହରାଇଥିଲା । ବଲୱିନ୍ଦର ସନ୍ଧୁ ବୋଲ୍ଡ କରି ପ୍ରଥମ ୱିକେଟ ନେଇ ଦେଖେଇ ଦେଇଥିଲେ ବିଜୟ ସମ୍ଭବ । ତା’ପରେ ପଡିଆକୁ ଆସିଥିଲେ ଚୁଇଙ୍ଗମ ଚୋବାଇ ଭିଭ୍ ରିଚାର୍ଡସ୍ । ଭିଭିଆନ ରିଚାର୍ଡସ ୩୩ ରନ କରି ଦଳକୁ ଆଗେଇ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ କପିଲ ଦେବଙ୍କ ଏକ ଅସାଧାରଣ କ୍ୟାଚ୍ ତାଙ୍କୁ ପ୍ୟାଭିଲିଅନ ଫେରାଇଥିଲା । କ୍ୟାଚ ଥିଲା ମ୍ୟାଚର ଟର୍ନିଂ ପଏଣ୍ଟ ।
ମଦନ ଲାଲ ୩୧ ରନରେ ୩ ୱିକେଟ ଓ ମୋହିନ୍ଦର ଅମରନାଥଙ୍କ ୧୨ରନରେ ୩ ୱିକେଟ ସହ ଶାଣିତ ବୋଲିଂରେ ୱେଷ୍ଟଇଣ୍ଡିଜକୁ ୫୨ ଓଭରରେ ୧୪୦ ରନରେ ଅଲଆଉଟ କରିଥିଲା । ବଲୱିନ୍ଦର ସନ୍ଧୁ ୨ଟି ୱିକେଟ କପିଲ ଦେବ ଓ ରୋଜର ବିନ୍ନୀ ମଧ୍ୟ ଗୋଟିଏ ଲେଖାଏ ଓ୍ୱିକେଟ ନେଇଥିଲେ । ମୋହିନ୍ଦର ଅମରନାଥ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ଏହି ବିଜୟ ଭାରତୀୟ କ୍ରିକେଟରେ ଏକ ନୂଆ ଯୁଗ ଆରମ୍ଭ କରିଥିଲା । କପିଲଙ୍କ ନେତୃତ୍ୱ ଏବଂ ଦଳର ଅଦମ୍ୟ ଆତ୍ମବିଶ୍ୱାସ ଅସମ୍ଭବକୁ ସମ୍ଭବ କରିଥିଲା । ଏହି ସଫଳତା ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡଙ୍କ ପରି ଖେଳାଳିଙ୍କୁ ପ୍ରେରଣା ଦେଇଥିଲା । ଆଜି ମଧ୍ୟ ଏହି ଦିନଟି ଭାରତୀୟ କ୍ରିକେଟପ୍ରେମୀଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ରହିଛି ।