ଓଡ଼ିଆ ସିନେମା ବଞ୍ଚାଇବା ପାଇଁ ପ୍ରଯୋଜକଙ୍କ ନିଆରା ପ୍ରୟାସ। କଳାକାର କହିଲେ, କାହିଁକି ଓଡିଆ ଫିଲ୍ମକୁ ମିଳୁନି ହଲ?

107

କନକ ବ୍ୟୁରୋ: ଫିଲ୍ମ ପ୍ରଯୋଜକ ଶ୍ରୀଧର ମାର୍ଥାଙ୍କ ହାତରେ ପୋଷ୍ଟର । ଓଡ଼ିଆ ସିନେମାକୁ ବଞ୍ଚାଇବା ପାଇଁ ଏହିଭଳି ଅଭିନବ ଅଭିଯାନ ଆରମ୍ଭ କରିଛନ୍ତି । ‘ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ’ ଲେଖାଥିବା ପ୍ଲାକାର୍ଡ ହାତରେ ଧରି ଅଭିଯାନକୁ ଓହ୍ଳାଇଛନ୍ତି ଶ୍ରୀଧର ମାର୍ଥା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଫିଲ୍ମ କରିବା ପରେ ବି ରିଲିଜ ପାଇଁ ସିନେମା ହଲ ମିଳୁନଥିବା ଅଭିଯୋଗ କରିଥିଲେ । ଅନେକ ସିନେ ନିର୍ମାତାଙ୍କ ଅବସ୍ଥା ଠିକ ଏହିଭଳି ବୋଲି କହିଥିଲେ ପ୍ରଯୋଜକ ଶ୍ରୀଧର ମାର୍ଥା । ତେବେ ଓଡିଆ ସିନେମା ତାର ମୌଳିକତା ହରାଉଥିବାରୁ ଇଣ୍ଟରଭାଲରେ ଦର୍ଶକ ଖାଲି ହୋଇଯାଉଥିବା ମତ ପ୍ରକାଶ ପାଇଛି ।

ଆଜି ଜାତୀୟ ସିନେମା ଦିବସ । ଏଥିପାଇଁ ମଲ୍ଟିପ୍ଲେକ୍ସ୍ ଆସୋସିଏସନ ଇଣ୍ଡିଆ ପକ୍ଷରୁ ଦର୍ଶକଙ୍କ ପାଇଁ ଟିକଟ ଦାମ୍ ରଖାଯାଇଛି ୭୫ ଟଙ୍କା । ପିଭିଆର, ଆଇନକ୍ସ, ସିନେପଲିସ୍ ସମେତ ୪ ହଜାରରୁ ଅଧିକ ବଡ଼ ପରଦାରେ ମଜା ନେଇଛନ୍ତି ଦର୍ଶକ । ଟିକେଟ ଶସ୍ତା ଥିବାରୁ ସବୁଠି ହାଉସଫୁଲ । ହେଲେ ଏପଟେ ଓଡିଆ ଫିଲ୍ମକୁ ହଲ ମିଳୁନି । ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର କିଛି ନାଁକରା କଳାକାରଙ୍କଠାରୁ ଆମେ ଖୋଜିଥିଲୁ ଏହାର ଉତ୍ତର । ସମସ୍ତଙ୍କର ଗୋଟିଏ ମତ, ସିନେମା ଭଲ ହେଉନି, ଦକ୍ଷିଣରୁ କାହାଣୀ କପି ହେଉଛି, ବାହାରର ନିର୍ଦ୍ଦେଶକ ଓଡ଼ିଆ ଦର୍ଶକଙ୍କ ରୁଚିକୁ ବୁଝି ସେ ପ୍ରକାର ଚଳଚ୍ଚିିତ୍ର କରିପାରୁନାହାନ୍ତି ।

ଗତ ୧୦-୧୫ବର୍ଷ ଧରି ଓଡ଼ିଆ ସିନେମାର ପତନର ଧାରା ଆରମ୍ଭ ହୋଇଯାଇଛି । ବିଭିନ୍ନ ସମୟରେ ଆମ ଚଳଚ୍ଚିତ୍ର ଭିନ୍ନ ଆଉ ଏହାକୁ ଦେଖିବା ପାଇଁ ହଲକୁ ଆସନ୍ତୁ କହି କଳାକାରମାନେ କ୍ୟାମ୍ପେନ କରିଛନ୍ତି । କିନ୍ତୁ ହଲକୁ ଆସି ଦର୍ଶକ ହତାଶ ହୋଇ ଫେରିଛନ୍ତି । ତେଣୁ ଦର୍ଶକଙ୍କ ଭରସା ଜିତିବାକୁ ଭଲ ଫିଲ୍ମ କରିବାକୁ ପଡିବ ବୋଲି ସମସ୍ତେ ମତାମତ ଦେଇଛନ୍ତି । ଯଦି ଭଲ ସିନେମା ହେବ ତା ହେଲେ ନିଶ୍ଚୟ ଚାଲିବ ଆଉ ହଲ ମାଲିକମାନେ ବି ଏହି ସିନେମା ପାଇଁ ପ୍ରତିଯୋଗିତା କରିବେ ।