ଏଣିକି ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀରୁ ପିଲା ପଢିବେ ସ୍ପୋକନ ଇଂଲିଶ । ୨୦ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ନିକଟସ୍ଥ ସ୍କୁଲରେ ମିଶାଇବାକୁ ରାଜ୍ୟ ସରକାରଙ୍କ ନିଷ୍ପତି । 

1,294

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ବଡ ନିଷ୍ପତି । ଏଣିକି ରାଜ୍ୟର ସବୁ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦିଆଯିବ ସ୍ପୋକନ ଇଂଲିଶ ଶିକ୍ଷା । ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଆଗ୍ରହ ସୃ୍ଷ୍ଟି କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏପରିକି ରାଜ୍ୟର ୩୦ଟି ଜିଲ୍ଲାର ୧୦୧ଟି ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିଦ୍ୟାଳୟ ଗୁଡିକରେ ପ୍ରଥମ ଶ୍ରେଣୀରୁ ଇଂଲିଶ ମିଡିୟମ ସେକ୍ସନ ଖୋଲାଯିବ । ଏପରିକି ଏହି ବିଦ୍ୟାଳୟ ଗୁଡିକର ଭିତ୍ତିଭୂମିର ବିକାଶ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ।

ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ଉପରେ ଏବେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଯେଉଁଥିପାଇଁ ବିଦ୍ୟାଳୟ ଗୁଡିକର ପରିଚାଳନା ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ଶିକ୍ଷାଦାନରେ ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ରାଜ୍ୟ ସରକାର । ଏହାଛଡା ୨୦ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶାଇ ଦେବାକୁ ନିଷ୍ପତି ନିଆଯାଇଛି । ଏହାଦ୍ୱାରା ଶିକ୍ଷକ ଅଭାବ ସମସ୍ୟା ଦୂର ହେବା ସହ ଶିକ୍ଷାଦାନରେ ବଡ ପରିବର୍ତ୍ତନ ଆସିପାରିବ । ସ୍ଥାନାନ୍ତରିତ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଏସକର୍ଟ ଆଲାଉନ୍ସ ଦିଆଯିବ । ଏହାବାଦ୍  ବ୍ଲକଗ୍ରାଣ୍ଟ, ନୂତନ ସ୍କୁଲକୁ ମଧ୍ୟ ନିକଟରେ ଥିବା ସ୍କୁଲ ସହ ମିଶାଇ ଦିଆଯିବ । ଏପରିକି ଚାଲୁନଥିବା ବ୍ଲକଗ୍ରାଣ୍ଟସ୍କୁଲକୁ   ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।

ସେହିଭଳି ଫନି ପ୍ରଭାବିତ ୫ ଜିଲ୍ଲାର କ୍ଷତିଗ୍ରସ୍ତ ବ୍ଲକଗ୍ରାଣ୍ଟ ସ୍କୁଲରେ ଯଦି ଅଧିକ ପିଲା ପାଠ ପଢୁଥାନ୍ତି ଓ ନିକଟରେ କୌଣସି ସରକାରୀ ବିଦ୍ୟାଳୟ ନଥାଏ । ତେବେ ଏ କ୍ଷେତ୍ରରେ ବ୍ଲକଗ୍ରାଣ୍ଟ ସ୍କୁଲ ଗୁଡିକର ମରାମତି ଓ ପୁନଃନିର୍ମାଣ ପାଇଁ ପାଣ୍ଠି ଯୋଗାଇ ଦିଆଯିବ । କିନ୍ତୁ ନିକଟରେ ସରକାରୀ ସ୍କୁଲ ରହିଥାଏ ଓ ବ୍ଲକଗ୍ରାଣ୍ଟ ସ୍କୁଲରେ କମ ପିଲା ଥାନ୍ତି ତେବେ ସେହି କ୍ଷେତ୍ରରେ ଏହାକୁ ମିଶାଇ ଦିଆଯିବ ।