ଦୁର୍ନୀତି ହୁଏ ଏମିତି… ସାମନାକୁ ଆସିଲା ଠିକାଦାରିର ଗଳାବାଟ । ଛୋଟ ଛୋଟ ଭାଗରେ ବିଭକ୍ତ କରି ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ବାଣ୍ଟି ଦିଆଯାଉଛି କୋଟି କୋଟି ଟଙ୍କାର କାମ ।

319

କନକ ବ୍ୟୁରୋ: ଦୁର୍ନୀତି କେମିତି ହୁଏ? ନିୟମର ଗଳାବାଟ ଦେଇ କେମିତି ନେତା, ଅଫିସର ଓ ଠିକାଦାର ମାଲାମାଲ ହୁଅନ୍ତି, ଆରଟିଆଇ ରିପୋର୍ଟରୁ ତା’ର ଏକ ବଡ଼ ପ୍ରମାଣ ମିଳିଛି । ତେବେ ଦୁର୍ନୀତିର ଏହି ପୂରା କାହାଣୀ ଜାଣିବା ପାଇଁ ଭୁବନେଶ୍ୱରରେ ଥିବା ଷ୍ଟେଟ୍ ମ୍ୟୁଜିୟମ ବା ରାଜ୍ୟ ସଂଗ୍ରହାଳୟର ନବୀକରଣ କାମର ପୂରା ପ୍ରକ୍ରିୟାକୁ ଜାଣନ୍ତୁ..

୨୦୨୦-୨୧ରେ ପୂର୍ତ୍ତ ବିଭାଗ କରିଛି ପ୍ରାୟ ୭ କୋଟିର କାମ । ଭୁବନେଶ୍ୱର ରୋଡ୍ସ ଆଣ୍ଡ ବିଲ୍ଡିଂ ଡିଭିଜନ-୧ର ନିର୍ବାହୀ ଯନ୍ତ୍ରୀ ୬ ଜଣ ଠିକାଦାରଙ୍କୁ ବାଣ୍ଟି ଦେଇଛନ୍ତି ପୂରା କାମ । ଏଥିପାଇଁ ଟେଣ୍ଡର ଡକା ଯାଇନାହିଁ । କାରଣ ୭ କୋଟିର କାମକୁ ୫ଲକ୍ଷ ଟଙ୍କାରୁ କମ୍ ଛୋଟ ଛୋଟ କାମରେ ବିଭକ୍ତ କରି ଏପରି ଚଞ୍ଚକତା କରାଯାଇଛି ।

ତେବେ ରାଜ୍ୟ ସଂଗ୍ରହାଳୟ ନବୀକରଣ କାମର ସିଂହଭାଗ ବଣ୍ଟା ଯାଇଛି ୪ ଜଣ ଠିକାଦାରଙ୍କୁ । ଏମାନେ ହେଲେ ସୁଶାନ୍ତ ପଣ୍ଡା, ବିଶ୍ୱ ପ୍ରକାଶ ମୁଦୁଲି, ମିହିର ପାତ୍ର ଓ ସନ୍ତୋଷିନୀ ପଣ୍ଡା । ସମସ୍ତଙ୍କୁ ମିଳିଛି କୋଟିଏ ଟଙ୍କାରୁ ଅଧିକ କାମ । ହେଲେ ୫ ଲକ୍ଷ ଟଙ୍କାରୁ କମ୍ ପରିମାଣର ଛୋଟ ଛୋଟ ଭାଗରେ ବିଭକ୍ତ କରି ସେମାନଙ୍କ ହାତକୁ ଟେକି ଦିଆଯାଇଛି । ରାଜ୍ୟ ସଂଗ୍ରହାଳୟର ନବୀକରଣ ପାଇଁ ମିହିର ପାତ୍ରଙ୍କୁ ୩୦ଟି, ସନ୍ତୋଷିନୀ ପଣ୍ଡାଙ୍କୁ ୨୭ଟି, ସୁଶାନ୍ତ ପଣ୍ଡାଙ୍କୁ ୧୮ଟିି ଓ ବିଶ୍ୱପ୍ରକାଶ ମୁଦୁଲିଙ୍କୁ ମିଳିଛି ୧୫ଟି କାମ ।

ଆଇଟିଆଇରୁ ମିଳିଥିବା ତଥ୍ୟରେ, କିପରି ଟେଣ୍ଡରକୁ ଆଡେଇ ଯିବା ପାଇଁ ଗଳାବାଟ ବାହାର କରି ୫ ଲକ୍ଷ ଟଙ୍କାରୁ କମ୍ କାମ ଦେଖାଇ ଠିକା ଦିଆଯାଇଛି ତା ସ୍ପଷ୍ଟ ଭାବେ ଜଣାପଡିଛି । ସରକାରୀ ସ୍ତରରେ ଚାଲିଥିବା ଏହି ଦୁର୍ନୀତି କେବଳ ଗୋଟିଏ କାମରେ ରହିନାହିଁ, ପୂରା ବ୍ୟବସ୍ଥାକୁ ଗ୍ରାସ କରିଯାଇଛି । ଯାହା ସଙ୍କେତ ଦେଉଛି, ସ୍ୱଚ୍ଛତାର ସହ ହେଉନାହିଁ ସରକାରୀ କାମ ।

ସୂଚନା ଅଧିକାର ଆଇନରୁ ମିଳିଥିବା ତଥ୍ୟ ଅନୁସାରେ ଭୁବନେଶ୍ୱରର କେବଳ ଗୋଟିଏ ଡିଭିଜନରେ ଗତ ୬ ବର୍ଷରେ ୨୦ ହଜାରରୁ ଅଧିକ କାମ ଠିକାଦାରଙ୍କୁ ବିନା ଟେଣ୍ଡରରେ ଦିଆଯାଇଛି । ଆଉ ଏହି ସବୁ କାମର ପରିମାଣକୁ ଜାଣିଣୁଣି ୫ ଲକ୍ଷ ଟଙ୍କାରୁ କମ୍ ରଖାଯାଇଛି । ବଡ଼ କାମ ହେଉଛି, ହେଲେ ଟେଣ୍ଡର କରାଯାଉନାହିଁ । ଛୋଟ ଛୋଟ କାମରେ ବିଭକ୍ତ କରି ନେତା-ଅଫିସର ଓ ଠିକାଦାରଙ୍କୁ ହାତ ଚିକ୍କଣ ହେଉଛି ।