କର୍ଣ୍ଣାଟକରେ ଆଜି ହୋଇପାରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା : ଜାତୀୟ ଗଣମାଧ୍ୟମରେ ଖବର, ରେସରେ ଶିବକୁମାରଙ୍କ ଠାରୁ ଆଗରେ ଅଛନ୍ତି ସିଦ୍ଦରମୈୟା

128

କନକ ବ୍ୟୁରୋ : କର୍ଣ୍ଣାଟକରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି । ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଦିଲ୍ଲୀରେ ମାନସମନ୍ଥନ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଦାବିଦାର ସିଦ୍ଦରମୈୟା ଓ ଶିବକୁମାର ଦିଲ୍ଲୀରେ ଅଛନ୍ତି । ମଙ୍ଗଳବାର ଉଭୟ ନେତା ଦଳ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଥିଲେ । କୁହାଯାଉଥିଲା ଗତକାଲି ସନ୍ଧ୍ୟାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରେ, ହେଲେ କଂଗ୍ରେସ ହାଇକମାଣ୍ଡ କୌଣସି ନିଷ୍ପତ୍ତି ନେଇପାରି ନାହାନ୍ତି । ତେବେ ଆଜି ଘୋଷଣା ହେବାର ସମ୍ଭାବନା ରହିଛି । କୁହାଯାଉଛି, ନୂଆ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଦିଲ୍ଲୀରୁ ନୁହେଁ ବେଙ୍ଗାଲୁରୁରେ ହୋଇପାରେ ।

ତେବେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସିଦ୍ଧରମୈୟା ଆଗରେ ଥିବା କିଛି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । କାରଣ ସିଦ୍ଧରମୈୟାଙ୍କୁ ରାହୁଲ ଗାନ୍ଧୀ ସମର୍ଥନ କରୁଥିବା କୁହାଯାଉଛି । ଅନ୍ୟପଟେ ଶିବକୁମାର କହିଛନ୍ତି ଯେ, ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ, ତାହେଲେ ଠିକ୍, ନହେଲେ ସେ ସାଧାରଣ ବିଧାୟକ ଭାବେ କାର୍ଯ୍ୟ କରିବାକୁ ପ୍ରସ୍ତୁତ । ଏସବୁ ଭିତରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କାହାର ନାଁ ଘୋଷଣା କରିବେ, ତାରି ଉପରେ ସମସ୍ତଙ୍କ ନଜର । ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବା ପରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ ଓ ନେତା ନିର୍ବାଚନ ହେବା ପରେ ନୂଆ ନେତା ସରକାର ଗଠନର ଦାବି ଉପସ୍ଥାପନ କରିବାକୁ ରାଜଭବନ ଯିବେ ।