ମହାରାଷ୍ଟ୍ର ମେଣ୍ଟ ସରକାରରେ ଫାଟ ନେଇ ଚର୍ଚ୍ଚା । ଉଦ୍ଧବ ହିଁ ୫ ବର୍ଷ ମୁଖ୍ୟମନ୍ତ୍ରୀ ରହିବେ ବୋଲି ଲେଖିଲା ଶିବସେନା ମୁଖପତ୍ର ‘ସାମ୍ନା’ ।

ରାଜ୍ୟର କଂଗ୍ରେସ ମୁଖ୍ୟଙ୍କ ଅସନ୍ତୋଷ । କହିଲେ ଏକାକି ବିଧାନସଭା ଲଢ଼ିବ କଂଗ୍ରେସ

363

କନକ ବ୍ୟୁରୋ: ମହାରାଷ୍ଟ୍ର ମେଣ୍ଟ ସରକାରରେ ସବୁ ଠିକ୍ ଠାକ୍ ଅଛି ତ ? କାହିଁକି ନା ଶିବସେନା-କଂଗ୍ରେସ-ଏନସିପି ମେଣ୍ଟ ମଧ୍ୟରେ ବିବାଦ ଆରମ୍ଭ ହୋଇଛି ବୋଲି ଏବେ ଚର୍ଚ୍ଚା ଚାଲିଛି । ଆଉ ଏହି ଚର୍ଚ୍ଚାର କାରଣ ହେଉଛି ଶିବସେନା ମୁଖପାତ୍ର ସଂଜୟ ରାଉତଙ୍କ ବୟାନ । ସଂଜୟ ରାଉତ ଶିବସେନା ମୁଖପତ୍ର ସାମନାରେ ଲେଖିଛନ୍ତି, ଉଦ୍ଧବ ଠାକରେ ହିଁ ପାଂଚବର୍ଷ ଲାଗି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହିବେ । ମୁଖ୍ୟମନ୍ତ୍ରୀ ପଦ କଂଗ୍ରେସ କିମ୍ବା ଏନସିପି ହାତକୁ ଯିବ ନାହିଁ । ତେବେ ସାମନାରେ ଏହି ଲେଖାପରେ କଂଗ୍ରେସରେ ଅସନ୍ତୋଷ ଦେଖାଦେଇଛି ।

ମହାରାଷ୍ଟ୍ର କଂଗ୍ରେସର ମୁଖ୍ୟ ନାନା ପଟୋଲେ କହିଛନ୍ତି ଯେ, ଆଗାମୀ ସ୍ଥାନୀୟ ନିର୍ବାଚନ ଗୁଡ଼ିକ କଂଗ୍ରେସ ଏକାକି ଲଢ଼ିବ । ଏପରିକି ବିଧାନସଭା ନିର୍ବାଚନ ଏକାକି ଲଢ଼ିବା କଥା ମଧ୍ୟ ପଟୋଲେ କହିବାକୁ ଭୁଲି ନାହାନ୍ତି । ଅବଶ୍ୟ ବିବାଦ ସାମ୍ନାକୁ ଆସିବା ପରେ ଶିବସେନା, କଂଗ୍ରେସ ଓ ଏନସିପି ନେତାମାନେ କଥାକୁ ଅଣଦେଖା କରିବାକୁ ଚେଷ୍ଟା କରିଛନ୍ତି । ଏପରିକି ମେଂଟରେ ସବୁକିଛି ଠିକଠାକ ଅଛି ବୋଲି ତିନି ଦର ନେତା କହିଛନ୍ତି ।

ଏହି ବିବାଦ ଏପରି ଏକ ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସଂଜୟ ରାଉତ ପ୍ରଶଂସା କରିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ମୋଦୀ ବିଜେପିର ଓ ଦେଶର ସବୁଠୁ ବଡ଼ ନେତା ବୋଲି ରାଉତ କହିଥିଲେ । ଏହାସହ ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।