କନକ ବ୍ୟୁରୋ: ମଙ୍ଗଳବାର ଆଡପମଣ୍ଡପକୁ ପହଣ୍ଡି କରି ନେବାବେଳେ ବଡ ଠାକୁର ଶ୍ରୀ ବଳଭଦ୍ର ଝୁଙ୍କିପଡିବା ଘଟଣାର କାରଣ କ’ଣ? କାହିଁକି ଘଟିଲା ଏଭଳି ଅଘଟଣ? ଏନେଇ ମୁହଁ ଖୋଲିଛନ୍ତି ବେଦ ବାଚସ୍ପତି ବୀରେନ୍ଦ୍ର ତ୍ରିପାଠୀ । ସେ କହିଛନ୍ତି, ‘ବାମଦେବ ସଂହିତାରେ ସ୍ପଷ୍ଟ ଭାବେ ଲେଖା ଅଛି ଶ୍ରୀଜିଉଙ୍କ ପହଣ୍ଡିବେଳେ ଯେପରି ତାଙ୍କ ଶ୍ରୀଅଙ୍ଗରେ କୌଣସି ଆଘାତ ନଲାଗେ ସେଥିପାଇଁ ଦଇତାମାନେ ସତର୍କ ରହିବେ । କାରଣ ସେମାନେ ହେଉଛନ୍ତିି ମହାପ୍ରଭୁଙ୍କର ଅଙ୍ଗରକ୍ଷୀ । ଚତୁର୍ଦ୍ଧା ମୂରତିଙ୍କୁ ଅତି ସାବଧାନରେ ନିଆଯିବା କଥା’ ।

Advertisment

‘କାଲି ଯେଉଁ ଘଟଣା ହେଲା ତାକୁ ଅ।ମେ ସିଧାସଳଖ ଟିଭିରେ ଦେଖୁଥିଲୁ । ପ୍ରକୃତରେ ବଡଠାକୁର ପଡାନାହାଁନ୍ତି , ପଛପଟୁ ଯେଉଁମାନେ ରହି ମହାପ୍ରଭୁଙ୍କ ସେନାପଟା ଟାଣୁଥିଲେ ସେମାନେ ଛାଡିଦେଲେ, ଆଗପଟେ ଯେଉଁମାନେ ଥିଲେ ମହାପ୍ରଭୁ ସେମାନଙ୍କ ଉପରେ ହାମୁଡାଇପଡିଲେ । ଏହା ଓଡିଶାର ସାଢେ ୪ କୋଟି ଲୋକଙ୍କ ହୃଦୟକୁ ବାଡେଇବା ପରି ଘଟଣା ହେଲା । ଶ୍ରଦ୍ଧାଳୁଙ୍କୁ ଏତେ କଷ୍ଟ ହେଲା ଯାହା ଚିନ୍ତା କରିବା ବାହାରେ’ ।

‘କାଲିର ଘଟଣା ଅତି ନିନ୍ଦନୀୟ । ଏଥିରେ ପ୍ରଶାସନ କୌଣସି ମତେ ଦାୟୀ ନୁହେଁ । ପହଣ୍ଡି କରନ୍ତି ମହାପ୍ରଭୁଙ୍କ ସେବକମାନେ । ରଥ ଉପରେ ଆବଶ୍ୟକ ଠାରୁ ଅଧିକ ସେବାୟତ ରହୁଛନ୍ତି ତାଙ୍କ ଉପରେ କାହାରି ନିୟନ୍ତ୍ରଣ ରହୁନି । ସେମାନେ ଯେଉଁପରି ଭାବେ ଦାୟୀତ୍ୱହୀନ ଭାବେ କାମ କରୁଛନ୍ତି ତାହା ପରିତାପର ବିଷୟ । ପ୍ରକୃତରେ ବଡଠାକୁରଙ୍କ ପଛରେ ଯେଉଁମାନେ ଥିଲେ ସେମାନେ ପିଲା ସେବାୟତ । ସେମାନଙ୍କର କୌଣସି ଅଭିଜ୍ଞତା ନାହିଁ । ସେମାନଙ୍କୁ ବରିଷ୍ଠ ସେବାୟତ ପ୍ରଶକ୍ଷିଣ ଦେଇ ଛାଡିବା କଥା’ ।