ଅଦ୍ଭୁତ..ଆଶ୍ଚର୍ଯ୍ୟ…! ଅନୁଗୁଳ ନତଡା ଗାଁରେ କୁଆଡେ ମହିଳାଙ୍କ ଦେହକୁ ଆସିଯାଉଛି ମୃତ ଯୁବକର ଆତ୍ମା; କହୁଛି, କେମିତି କରାଯାଇଥିଲା ହତ୍ୟା

ଏକବିଂଶ ଶତାଦ୍ଦୀରେ ବି ଯାଉନି ଅନ୍ଧବିଶ୍ୱାସ

20,383

କନକ ବ୍ୟୁରୋ: କେହି ମରିଗଲା ପରେ ଆଉ ଉଠିଆସିବ, ଆଉ ସେ କେମିତି ମଲା ସେ କଥା ସମସ୍ତଙ୍କୁ କହି ବୁଲିବ ଏହା ହୁଏତ ସମ୍ଭବ ନୁହେଁ । କିନ୍ତୁ ଲୋକମତରେ ଗୋଟିଏ ଧାରଣା ଅଛି, ଆତ୍ମା ଅମର । ଏହି ଧାରଣା ଗରିବ, ଅଶିକ୍ଷିତ, ଅସହାୟ ଓ ପଛୁଆ ଲୋକଙ୍କ ଭିତରେ ଅନ୍ଧବିଶ୍ୱାସ ଆକାରରେ ଘର କରି ରହିଛିି ।

ଚୁଟି ସବୁ ମୁକୁଳା, ଇଆଡୁ ସିଆଡୁ ଗପୁଛନ୍ତି, ଆଉ ଲୋକେ କହିଛନ୍ତି ତାଙ୍କ ଦେହରେ ଭୂତ ଲାଗିଛି । ସଇତାନ ସବାର ହେବା ପରେ ଏମିତି ଅସ୍ୱାଭାବିକ ବ୍ୟବହାର କରୁଛନ୍ତି ମହିଳା ଜଣକ । ସେ କହୁଛନ୍ତି, ମୋତେ ମାରିଦିଆଯାଇଛି । ମାରିବା ପରେ ଏକ ପରିତ୍ୟକ୍ତ ପାଇଖାନାରେ ରଖିବା ସହ କୂଅକୁ ଫିଙ୍ଗି ଦିଆଯାଇଛି । ମତେ ନ୍ୟାୟ ଦରକାର । ଲୋକ କହୁଛନ୍ତି ମହିଳାଙ୍କ ଦେହରେ ଜଣେ ଯୁବକଙ୍କ ଭୂତ ଲାଗି ନିଜ ମୃତ୍ୟୁ କାହାଣୀ ଗାଁ ଲୋକଙ୍କ ଆଗରେ କହୁଛି, ଆଉ ତାକୁ ନ୍ୟାୟ ଦେବା ପାଇଁ ଦାବି କରୁଛି ।

ଗତ ସେପଟେମ୍ବର ୧୮ ତାରିଖରେ ନତଡା ଗାଁର ଜଣେ ଯୁବକ ପଂଚାନନ ଖଟୁଆଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତଦେହ ପଡୋଶୀଙ୍କ କୁଅରୁ ଉଦ୍ଧାର କରାଯାଇଥିଲା । ୨ ଦିନ ପୂର୍ବରୁ ସେ ନିଖୋଜ ଥିଲେ । ଆଉ ଅଚାନକ ତାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତବାଗ ହୋଇଯାଇଥିଲେ । ଶବ ବ୍ୟବଚ୍ଚେଦ ରିପୋର୍ଟରୁ ଜଣାପଡିଲା , ପାଣିରେ ବୁଡି ପଂଚାନନଙ୍କ ମୃତ୍ୟୁ ହୋଇଛି । ସବୁଠୁ ବଡ଼ କଥା ହେଉଛି , ପଂଚାନନଙ୍କ ଭୂତ ଗାଁର ୪ ଜଣ ମହିଳାଙ୍କୁ ଜଣକ ପରେ ଜଣକୁ ଲାଗି ହତ୍ୟାର କାହାଣୀ କହିସାରିଲାଣି ।ଏକବିଂଶ ଶତାଦ୍ଦୀରେ ଏଭଳି ଅନ୍ଧବିଶ୍ୱାସକୁ ନେଇ ସାରା ଅନୁଗୁଳ ଜିଲ୍ଲାର ଚହଳ ପଡିଛି ।