ଉଡିବା ସହ ବିମାନ କଲା ବିଶ୍ୱରେକର୍ଡ, ଘଣ୍ଟାପ୍ରତି ଉଡିବ ୬୨୩ କିଲୋମିଟର ।

239

କନକ ବ୍ୟୁରୋ : ବିଶ୍ୱର ପ୍ରସିଦ୍ଧ କମ୍ପାନି ରୋଲ୍ସ ରୟସ ଦୁନିଆର ସବୁଠୁ ଦ୍ରୁତ ଉଡୁଥିବା ଇଲେକଟ୍ରିକ ଉଡାଜାହାଜ ନିର୍ମାଣ କରିଛି । ଏହି ଇଲେକଟ୍ରିକ ବିମାନଟି ଘଣ୍ଟାପ୍ରତି ୬୨୩ କିଲୋମିଟର ବେଗରେ ଉଡିପାରିବ । ଆଉ ଏହାସହ ଏହି ବିମାନଟି ଆକାଶରେ ଉଡିବା ସହ ଅନେକ ରେକର୍ଡ ଭାଙ୍ଗିବା ସହ ନୂଆ ରେକର୍ଡ କରିଛି । ଏହି ବିମାନର ନାଁ ସ୍ପିରିଟ ଅଫ୍ ଇନୋଭେସନ ରହିଥିବା ବେଳେ ପୂର୍ବରୁ ଘଣ୍ଟାପ୍ରତି ୨୧୨ କିଲୋମିଟର ବେଗରେ ଉଡି ରେକର୍ଡ କରିଥିବା ଇଲେକଟ୍ରିକ ବିମାନର ରେକର୍ଡ ଭାଙ୍ଗିଛି । ମାତ୍ର ୨୦୨ ସେକେଣ୍ଡରେ ୩୦୦୦ ହଜାର ମିଟର ଉଚ୍ଚକୁ ଉଠି ଆଉ ଏକ ରେକର୍ଡ ମଧ୍ୟ ସୃଷ୍ଟି କରିଛି ଏହି ବିମାନ । ପୂର୍ବରୁ ଏହି ରେକର୍ଡ ଯେଉଁ ବିମାନ ନାଁରେ ଥିଲା ତାହା ଠାରୁ ୬୦ ସେକେଣ୍ଡ କମ ସମୟରେ ୩୦୦୦ ହଜାର ମିଟର ଉପରକୁ ଉଠି ଏହି ରେକର୍ଡ ନିଜ ନାଁରେ କରିଛି ସ୍ପିରିଟ ଅଫ୍ ଇନୋଭେସନ ।

ଏହି ଇଲେକଟ୍ରିକ ବିମାନର ପରୀକ୍ଷଣ ବ୍ରିଟିଶ ସେନାର ପରୀକ୍ଷଣ ସାଇଟରେ ଗତ ନଭେମ୍ବର ୧୬ରେ କରାଯାଇଛି । ଉଡାଣ ସମୟରେ ବିମାନଟି ଘଣ୍ଟାପ୍ରତି ୬୨୩ କିଲୋମିଟର ବେଗରେ ଉଡାଣ ଭରି ରେକର୍ଡ ହାସଲ କରିଛି । ଏହି ବିମାନରେ ୪୦୦ କିଲୋୱାଟର ମୋଟର ଲାଗିଥିବା ବେଳେ ଉଚ୍ଚ କ୍ଷମତାସମ୍ପନ୍ନ ବ୍ୟାଟେରୀ ଲାଗିଛି । ଯେଉଁ ବ୍ୟାଟେରୀରେ ୭୫୦୦ ସ୍ମାର୍ଟଫୋନ ଚାର୍ଜ କରାଯାଇପାରିବ । ଏପରିକି ବିମାନର ବ୍ୟାଟେରୀ ଯେପରି ଗରମ ନହେବ ସେଥିପାଇଁ ଭିନ୍ନ ସୁରକ୍ଷାବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସବୁଠୁ ବଡ କଥା ହେଲା, ଥରେ ଚାର୍ଜ କରିବା ମାତ୍ରେ ଏହା ୩୦ ମିନିଟ୍ ପର୍ଯ୍ୟନ୍ତ ଉଡାଣ ଭରିଥାଏ । କିନ୍ତୁ ଏବେ ଏହି ବିମାନରେ ଅନ୍ୟାନ୍ୟ ଜ୍ଞାନକୌଶଳର ବ୍ୟବହାର କରାଯାଉଛି ଯାହାଦ୍ୱାରା ଏହାକୁ ଥରେ ଚାର୍ଜ କରିବା ମାତ୍ରେ ୧୬୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ ।