ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ : ୨୪ ଘଂଟାରେ ସର୍ବାଧିକ ୩୨ ହଜାର ୬୯୫ ନୂଆ ଆକ୍ରାନ୍ତ, ୬୦୬ ମୃତ । ମୃତ୍ୟୁସଂଖ୍ୟା ପାଖାପାଖି ୨୫ ହଜାର, ବିହାରରେ ଆଜିଠାରୁ ୧୫ ଦିନିଆ ଲକଡାଉନ

325

କନକ ବ୍ୟୁରୋ : ଦେଶରେ ଗତ ୨୪ ଘଂଟାରେ ଆକ୍ରାନ୍ତ ସଂଖ୍ୟାରେ ରେକର୍ଡ ପରିମାଣର ବୃଦ୍ଧି ହୋଇଛି । ଗତ ୨୪ ଘଂଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୩୨ ହଜାର ୬୯୫ ନୂଆ ଆକ୍ରାନ୍ତ । ଗୋଟିଏ ଦିନରେ ଆକ୍ରାନ୍ତ ଚିହ୍ନଟରେ ଏହା ବର୍ତମାନ ସୁଦ୍ଧା ସର୍ବାଧିକ । ବର୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତ ସଂଖ୍ୟା କେବେ ୩୨ ହଜାର ପାର କରିନଥିଲା । ସେହିପରି କରୋନା ସଂକ୍ରମଣରେ ଗତ ୨୪ ଘଂଟାରେ ସାରା ଦେଶରେ ୬୦୬ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୪ ହଜାର ୯୧୫ ହୋଇଛି । ୩୨ ହଜାର ୬୯୫ ନୂଆ ଆକ୍ରାନ୍ତ ସହିତ ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୯ ଲକ୍ଷ ୬୮ ହଜାର ୮୭୬କୁ ବୃଦ୍ଧି ହୋଇଛି । ଦେଶରେ ଏବେ ୩ ଲକ୍ଷ ୩୧ ହଜାର ୧୪୬ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଚିକିତ୍ସା ପରେ ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଛନ୍ତି ୬ ଲକ୍ଷ ୧୨ ହଜାର ୮୧୫ ଜଣ । ସେପଟେ ମହାରାଷ୍ଟ୍ର ଏବେ ବି ଦେଶର ସର୍ବାଧିକ ଆକ୍ରାନ୍ତ ଦେଶ ତାଲିକାରେ ରହିଛି । ମହାରାଷ୍ଟ୍ରରେ ଏବେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୭୫ ହଜାର ୬୪୦ ରହିଛି । ୧ଲକ୍ଷ ୧୨ହଜାର ୯୯ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୧୦ ହଜାର ୯୨୮ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ୧ଲକ୍ଷ ୫୨ହଜାର ୬୧୩ଜଣ ସୁସ୍ଥ ହୋଇ ଫେରିଛନ୍ତି ।

ସେହିପରି ସର୍ବାଧିକ ଆକ୍ରାନ୍ତଙ୍କ ତାଲିକାର ଦ୍ୱିତୀୟରେ ଥିବା ତାମିଲନାଡୁରେ ୧ଲକ୍ଷ ୫୧ହଜାର ୮୨୦ଜଣ ଆକ୍ରାନ୍ତ ହୋଇଛନ୍ତି । ୪୭ହଜାର ୩୪୩ ଟି ସକ୍ରିୟ ମାମଲା ରହିଥିବା ବେଳେ ୨ହଜାର ୧୬୭ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧ଲକ୍ଷ ୨ହଜାର ୩୧୦ଜଣ ସୁସ୍ଥ ହୋଇଛନ୍ତି । ସେହିପରି ରାଜଧାନୀ ଦିଲ୍ଲୀରେ ୧ଲକ୍ଷ ୧୬ହଜାର ୯୯୩ଜଣ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଦିଲ୍ଲୀରେ ୧୭ହଜାର ୮୦୭ଟି ସକ୍ରିୟ ମାମଲା ଥିବା ବେଳେ ୯୫ହଜାର ୬୯୯ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ହଜାର ୪୮୭ଜଣଙ୍କର ମୃତ୍ୟୁ ହୋଇଛି ।