ରଙ୍ଗ ସାଇଡରେ ଗଲେ ଲିକ୍ ହେବ ଚକା । କମିଶନରେଟ ପୋଲିସର ବଡ ନିଷ୍ପତି, ଟ୍ୱିନସିଟିରେ ଲାଗିବ ସ୍ପାଇକ ବାରିଅର ।

1,004

କନକ ବ୍ୟୁରୋ : ରଙ୍ଗ ସାଇଡରେ ଗାଡି ଚଲାଉଥିଲେ ସାବଧାନ । ଏଣିକି ଟ୍ୱିନସିଟିରେ ରଙ୍ଗ ରୁଟରେ ଗାଡି ଚଳାଇଲେ ଆଉ ନିସ୍ତାର ମିଳିବନି । ଗାଡି ରଙ୍ଗରେ ପୁରାଇ କିଛି ବାଟ ଯାଇଥିବେ ଆପଣଙ୍କ ଚକା ଲିକ୍ ହୋଇଯାଇଥିବ । କାରଣ ରାସ୍ତାରେ କମିଶନରେଟ ପୋଲିସ ଲଗାଇବ ସ୍ପାଇକ ବାରିଅର । ଯାହାଦ୍ୱାରା ରଙ୍ଗ ସାଇଡରେ ଯିବା କ୍ଷଣି ଚକା କଣା ହୋଇଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଏପରିକି ଏସପ୍ଲାନେଡ ନିକଟରେ ଏହାର ପରୀକ୍ଷଣ ମଧ୍ୟ କରାଯାଇଛି ।

ଟ୍ୱିନସିଟିରେ ୨୪୨ଟି ଦୁର୍ଘଟଣା ପ୍ରବଣ ଅଞ୍ଚଳ ରହିଥିବା ବେଳେ ସେଥିମଧ୍ୟରୁ ୩୨ଟି ସ୍ଥାନ ଅତି ସମ୍ବେଦନଶୀଳ । ଯେଉଁଠି ଅଧିକାଂଶ ସମୟରେ ଦୁର୍ଘଟଣା ହେଉଛି । ଏହାକୁ ଚିହ୍ନଟ କରାଯାଇଛି । ଟ୍ରାଫିକ ଡିସିପି ସମସ୍ତ ସ୍ଥାନକୁ ଯାଇ ତଦାରଖ କରିବା ପରେ ଏଭଳି ନିଷ୍ପତି ନିଆଯାଇଛି । ଖାସକରି ରଙ୍ଗ ରୁଟରେ ଆସୁଥିବା କାରଣରୁ ଅଧିକାଂଶ ଦୁର୍ଘଟଣା ହେଉଥିବାର ଖବର ସାମ୍ନାକୁ ଆସୁଛି । ତେଣୁ ଏହାକୁ ରୋକିବାକୁ କମିଶନରେଟ ପୋଲିସ ଏହି ସ୍ପାଇକ ବାରିଅର ଲଗାଇବାକୁ ନିଷ୍ପତି ନେଇଛି । ପୂର୍ବରୁ ପୁନେ, ହାଇଦ୍ରାବାଦ ଓ ନୋଏଡାରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି ।