ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି । ଏସପିଜି ଓ ଆଇବି କରିବେ ଯାଞ୍ଚ, ଜାଣନ୍ତୁ କେଉଁ ଦିଗ ଉପରେ ଦିଆଯିବ ଧ୍ୟାନ?

129

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷାରେ ଯେଉଁ ତ୍ରୁଟି ଦେଖାଯାଇଥିଲା ତାହାର ରିପୋର୍ଟ ଦେବାକୁ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରାଳୟ । ଆଉ ଏହାପରେ ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ପଞ୍ଜାବ ସରକାର । ଏହି କମିଟିରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମେହତାବ ସିଂ ଗିଲ୍ ଓ ପ୍ରମୁଖ ସଚିବ ଅନୁରାଗ ବର୍ମା ରହିଛନ୍ତି । ୩ ଦିନ ଭିତରେ କମିଟି ତାହାର ରିପୋର୍ଟ ଦେବ ।
ଅନ୍ୟପଟେ ଏସପିଜି ଓ ଆଇବି ମଧ୍ୟ ପୂରା ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି । ଏହି ଦୁଇ ଏଜେନ୍ସି ନିଜର ଯାଞ୍ଚ ରିପୋର୍ଟ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଦେଇପାରନ୍ତି । ଆଉ ଏହି ରିପୋର୍ଟ ମିଳିବା ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ କିଛି ପରିବର୍ତ୍ତନ କରାଯାଇପାରେ । ତେବେ ଯାଞ୍ଚ ସମୟରେ ପୂରା ଘଟଣାକ୍ରମ କଣ ଥିଲା ସେ ବାବଦରେ ତଥ୍ୟ ସଂଗ୍ରହ କରିବେ ଉଭୟ ସଂସ୍ଥା ।

ତେବେ ଯାଞ୍ଚ ସମୟରେ ଯେଉଁ ଦିଗ ଉପରେ ନଜର ରହିବ ସେସବୁ ହେଲା :
– ପ୍ରଧାନମନ୍ତ୍ରୀଙ୍କ ସଡକପଥରେ ଯାତ୍ରା ସମୟରେ ଏସପିଜି ନିୟମର ପାଳନ ହୋଇଥିଲା ନା ନାହିଁ
– ଆଇବି ଓ ପଞ୍ଜାବ ପୋଲିସ କଣ ରିପୋର୍ଟ ଦେଇଥିଲେ
– ପ୍ରଧାନମନ୍ତ୍ରୀଙ୍କ ସଡକ ଯାତ୍ରା ଆରମ୍ଭ ଠାରୁ ଫ୍ଲାଏଓଭରରେ ଫଶିବା ପର୍ଯ୍ୟନ୍ତ ଏସପିଜି, ସ୍ଥାନୀୟ ପୋଲିସ ଓ ଆଇବି ମଧ୍ୟରେ କଣ ବାର୍ତ୍ତାଳାପ ହୋଇଥିଲା ।
– ୱାୟରଲେସର ଲଗବୁକରେ କଣ ଲେଖା ହୋଇଥିଲା
– ପ୍ରଧାନମନ୍ତ୍ରୀ ଫ୍ଲାଏଓଭରରେ ଫଶିବା ବାବଦରେ ଏସପିଜି କେତେବେଳେ ଜାଣିଥିଲା
– ଦାୟିତ୍ୱରେ ଥିବା କମାଣ୍ଡରଙ୍କ ପାଖରେ କଣ ସୂଚନା ରହିଥିଲା ଓ ତାଙ୍କ ତରଫରୁ କଣ ନିର୍ଦ୍ଦେଶ ଦିଆଯାଇଥିଲା
– ଆଇବିର ସ୍ଥାନୀୟ ୟୁନିଟ ପାଖରେ ଏ ବାବଦରେ କଣ ସୂଚନା ଥିଲା

ତେବେ ଏସପିଜି ଓ ଆଇବିର ଏହି ଯାଞ୍ଚ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନୁହେଁ ବରଂ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ କାହିଁକି ଏଭଳି ତ୍ରୁଟି ହେଲା ଏବଂ ଏହାକୁ କିଭଳି ସୁଧାରିହେବ ସେ ବାବଦରେ ବିଶେଷ ଭାବେ ଦୃଷ୍ଟି ଦିଆଯିବ । ଯାହାଦ୍ୱାରା ଭବିଷ୍ୟତରେ ଏଭଳି ତ୍ରୁଟି ଯେପରି ନହୁଏ ।

କଣ ଥିଲା ପୂରା ଘଟଣା?
ପଞ୍ଜାବରେ ମଝି ରାସ୍ତାରେ ଅଟକିଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ କାରକେଡ । ଫ୍ଲାଏଓଭର ଉପରେ ପ୍ରାୟ ୧୫ରୁ ୨୦ ମିନିଟ୍ ପ୍ରଧାନମନ୍ତ୍ରୀଙ୍କ କାରକେଡ ଫଶି ରହିଥିଲା । ଆଉ ଏହିଠାରୁ ସଭାସ୍ଥଳକୁ ଯିବା ପରିବର୍ତ୍ତେ ପୁଣିଥରେ ବିମାନବନ୍ଦର ଅଭିମୁଖେ ବାହାରିଥିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ । ଆଉ ଶେଷ ମୁହୂର୍ତ୍ତରେ ବାତିଲ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର ସଭା । ପ୍ରଥମେ ବର୍ଷା କାରଣରୁ ମୋଦୀଙ୍କ ସଭା ବାତିଲ ହୋଇଥିବା କୁହାଯାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସୁରକ୍ଷା ସମ୍ବନ୍ଧୀୟ କାରଣରୁ ସଭା ବାତିଲ ହୋଇଥିବା କୁହାଯାଉଛି । ଏପରିକି ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ପଞ୍ଜାବ ସରକାରଙ୍କୁ ଜବାବ ମଗାଯାଇଛି ।
ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଆଜି ସକାଳୁ ପ୍ରଧାନମନ୍ତ୍ରୀ ମୋଦୀ ବଠିଣ୍ଡାରେ ପହଞ୍ଚିଥିଲେ । ମେଘୁଆ ପାଗ ଯୋଗୁ ପ୍ରାୟ ୨୦ ମିନିଟ୍ ଅଟକିବା ପରେ ସଡକପଥରେ ରାଷ୍ଟ୍ରୀୟ ସହିଦ ସ୍ମାରକ ଯାଇଥାନ୍ତେ । ଯେଉଁଥିରେ ପ୍ରାୟ ୨ ଘଣ୍ଟା ସମୟ ଲାଗିଥାନ୍ତି । ଆଉ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ସଙ୍ଗେ ସଙ୍ଗେ ପଞ୍ଜାବ ପୋଲିସ ଡିଜିଙ୍କୁ ଜଣାଇବା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ କୁହାଯାଇଥିଲା ।
ତେବେ ରାଷ୍ଟ୍ରୀୟ ସହିଦ ସ୍ମାରକୀ ଠାରୁ ୩୦ କିଲୋମିଟର ଦୂରରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ଥିବା ବେଳେ ଏକ ଫ୍ଲାଏଓଭରରେ ଅଟକିବାକୁ ପଡିଲା । କାରଣ ଆଗକୁ ପ୍ରତିବାଦ କରୁଥିଲେ ପ୍ରଦର୍ଶନକାରୀ । ଆଉ ଉକ୍ତ ଫ୍ଲାଏଓଭର ଉପରେ ୧୫ରୁ ୨୦ ମିନିଟ୍ ଫଶି ରହିବା ପରେ ବିମାନବନ୍ଦର ଅଭିମୁଖେ ମୋଦୀଙ୍କ କାରକେଡ ବାହାରିଥିଲା । ଆଉ ଏହାକୁ ଗୃହ ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି ବୋଲି ଦର୍ଶାଇଛି । କାରଣ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ପୂର୍ବରୁ ପଞ୍ଜାବ ସରକାରଙ୍କୁ କୁହାଯାଇଥିଲା । ଯାହାକୁ ଧ୍ୟାନରେ ରଖି ସମସ୍ତ ପ୍ରକାର ପ୍ରସ୍ତୁତି, ବ୍ୟବସ୍ଥା କରିବା କଥା । ଏପରିକି ଜରୁରୀକାଳୀନ ସ୍ଥିତି ପାଇଁ ମଧ୍ୟ ପ୍ରସ୍ତୁତି ରହିବାର ଆବଶ୍ୟକ ଥିଲା । ଯେହେତୁ ପ୍ରଧାନମନ୍ତ୍ରୀ ସଡକ ମାର୍ଗରେ ଯାଉଥିଲେ ତେଣୁ ଅତିରିକ୍ତ ପୋଲିସ ନିୟୋଜିତ କରିବା କଥା । ଯାହା କରାଯାଇନଥିଲା । ଯେଉଁଥିପାଇଁ ପଞ୍ଜାବ ସରକାରଙ୍କୁ ଏ ସମ୍ବନ୍ଧରେ ବିସ୍ତୃତ ରିପୋର୍ଟ ଦେବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।