କନକବ୍ୟୁରୋ: ଏଇ କୁଡିଆ ୫ ପ୍ରାଣୀ ପରିବାରକୁ ଆଶ୍ରୟ ଦେଇଛି। ଖରା, ବର୍ଷା, ଶୀତ କାକରରେ ଏଇଠି ମୁଣ୍ଡ ଗୁଞ୍ଜିଛନ୍ତି ପୁରା ପରିବାର। ପ୍ରତି ୫ ବର୍ଷରେ ଥରେ ନିର୍ବାଚନ ହେଉଛି, ଜନ ପ୍ରତିନିଧି ବଛା ହୋଇଛନ୍ତି, ସରକାର ଗଠନ ହେଉଛି, ହେଲେ ଏ ଘରର ଚିତ୍ର ବଦଳୁ ନାହିଁ, କିଏ ଘରର ମୁଖିଆଙ୍କ ଭାଗ୍ୟରେ ସରକାରୀ ଆବାସଟିଏ ଜୁଟି ନାହିଁ। ସେମିତି ଜଣେ ହତଭାଗ୍ୟ ହିତାଧିକାରୀ ହେଉଛନ୍ତି, ଆନନ୍ଦପୁର ପୌର ପରିଷଦ ୧୩ନଂ ୱାର୍ଡ ବାସିନ୍ଦା ଦିଲ୍ଲୀପ ଜେନା।  ଦିଲ୍ଲୀପ ଜଣେ ଦିନ ମଜୁରିଆ। ପରଘରେ ମୁଲା ଲାଗି ଯାହା ରୋଜଗାର କରନ୍ତି, ସେଥିରେ ଦୁଇ ପୁଅ, ପତ୍ନୀ ଓ ବୁଢୀ ମା ମୁହଁରେ ଦାନା ଦିଅନ୍ତି। ଭଙ୍ଗା ଘରକୁ ପକ୍କା ଘରରେ ପରିଣତ କରିବାର ସାମର୍ଥ୍ୟ ନଥିବାରୁ ସରକାରୀ ଯୋଜନାରେ ଘର ପାଇଁ ଅନେକ ଥର ଆବେଦନ କରିଛନ୍ତି। ପ୍ରତିବଦଳରେ ତାଙ୍କୁ ମେଞ୍ଚାମେଞ୍ଚା ମିଛ ପ୍ରତିଶ୍ରୁତି ମିଳିଥିବା ଅଭିଯୋଗ ହୋଇଛି। ଦିଲ୍ଲୀପଙ୍କ ଦୁର୍ଦ୍ଦଶା ବାବଦରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି ଆମ ପ୍ରତିନିଧି। ଏବେ ବି ପ୍ରଶାସନିକ ବାବୁଙ୍କ ଠାରୁ ପ୍ରତିଶ୍ରୁତି ମିଳିଛି । ଗରିବ ଲୋକଟିଏ ମୁଣ୍ଡ ଗୁଞ୍ଜିବା ପାଇଁ ବାରଦୁଆର ଶୁଣ୍ଢିପିଣ୍ଡା ହେଉଥିବା ବେଳେ ଆବାସ ଯୋଜନା କାହା ପାଇଁ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ ।