ନିର୍ବାଚନରେ ନିର୍ଦ୍ଧାରିତ ଠାରୁ ଅଧିକ ଅର୍ଥ ଖର୍ଚ୍ଚ କରିବା ପଡିଲା ମହଙ୍ଗା, ପୂର୍ବତନ ରାଷ୍ଟ୍ରପତିଙ୍କୁ ୧ ବର୍ଷ ଜେଲ ଦଣ୍ଡ

110

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନରେ ସରକାର ନିର୍ଦ୍ଧାରଣ କରିଥିବା ଖର୍ଚ୍ଚ ପରିମାଣ ଠାରୁ ଅଧିକ ଅର୍ଥ ଖର୍ଚ୍ଚ କରିବା ଅପରାଧରେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ ସାରକୋଜୀଙ୍କୁ ମହଙ୍ଗା ପଡିଛି । ପ୍ୟାରିସର ଏକ କୋର୍ଟ ଏହି ମାମଲାରେ ୬୬ ବର୍ଷିୟ ସାରକୋଜୀଙ୍କୁ ଏକବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଅନ୍ୟପଟେ ଜଜ୍ ଏହି ଦଣ୍ଡ ଶୁଣାଇବା ବେଳେ ସରକୋଜୀଙ୍କ ବୟସକୁ ଦେଖି କହିଛନ୍ତି ଯେ ସାରକୋଜୀ ନିଜଘରେ ନିର୍ବାସନରେ ରହି ଏହି ସଜ୍ଜା କାଟିପାରିବେ । ହେଲେ ସେ ଘରେ ରହିଲେ ବି ତାଙ୍କ ପାଦରେ ବେଡି ପଡିବ ବୋଲି ଜଜ୍ କହିଛନ୍ତି । ଏହି ମାମଲାରେ ସରକାରୀ ଓକିଲ ୬ ମାସ ଜେଲ ଓ ୬ ମାସ ନିର୍ବାସନ ଦଣ୍ଡ ପାଇଁ ଜଜଙ୍କ ନିକଟରେ ଗୁହାରୀ କରିଥିଲେ । ଏହାକୁ କୋର୍ଟ ଖାରଜ କରିଦେଇଛନ୍ତି ।

ସୂଚନା ଥାଉକି ନିକୋଲସ ସାରକୋଜୀ ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ଫ୍ରାନ୍ସର ରାଷ୍ଟ୍ରପତି ଥିଲେ । ସେ ପୁଣି ୨୦୧୨ ରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ । ତାଙ୍କ ବିପକ୍ଷରେ ଫ୍ରାନକୋସୀ ହୋଲାଣ୍ଡେ ପ୍ରାର୍ଥୀ ହୋଇଥିଲେ । ଏହି ନିର୍ବାଚନ ପ୍ରଚାର ପାଇଁ ଫ୍ରାନ୍ସର ନିର୍ବାଚନ କମିଶନର ସର୍ବାଧିକ ୧୯.୫ ମିଲିୟନ ୟୁରୋ ଖର୍ଚ୍ଚ କରିବାକୁ ଅନୁମତି ଦେଇଥିଲେ ବି ସାରକୋଜୀ ୩୭ ମିଲିୟନ ୟୁରୋ ଖର୍ଚ୍ଚ କରିଥିଲେ ।

ସରକାରୀ ଓକିଲ କୋର୍ଟଙ୍କୁ ସୂଚନା ଦେଇ କହିଥିଲେ କି ନିର୍ବାଚନ ପାଇଁ ସାରକୋଜୀ ଏକ ପିଆର ଫର୍ମ ବ୍ୟବହାର କରି ସମ୍ପୂର୍ଣ୍ଣ ନିର୍ବାଚନକୁ ମ୍ୟାନେଜମେଣ୍ଟ କରିଥିଲେ । ଭୋଟ ଗ୍ରହଣ ପୂର୍ବରୁ ତାଙ୍କୁ ସୂଚାଇ ଦିଆଯାଇଥିଲା କି ନିର୍ବାଚନ କମିଶନଙ୍କ ନିର୍ଦ୍ଧାରିତ ଖର୍ଚ୍ଚ ସୀମା ଠାରୁ ସେ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି । ଏହାପରେ ବି ସେ ନିର୍ବାଚନ ପ୍ରଚାରରେ ବହୁଳ ଅର୍ଥ ଖର୍ଚ୍ଚ କରିଥିଲେ ।

କହିରଖୁ କି, କେବଳ ଏହି ମାମଲା ନୁହେଁ ଏହା ପୂର୍ବରୁ ବି ସାରକୋଜୀଙ୍କ ନାମରେ ଅନେକ ମାମଲା ରହିଛି । ଲାଞ୍ଚଦେବା, ଦୁର୍ନୀତିରେ ଲିପ୍ତ ରହିବା ଭଳି ମାମଲା ଏବେ ବି ତାଙ୍କ ନାମରେ ଚାଲିଛି ।