ବିଧାନସଭା ଅଧିବେଶନ ନେଇ ୨୫ରେ ବସିବ ସର୍ବଦଳୀୟ ବୈଠକ: କେମିତି ବିଧାନସଭା ଚାଲିବ ତାହା ଉପରେ ହେବ ଆଲୋଚନା; ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସୂଚନା

73

କନକ ବ୍ୟୁରୋ: ବିଧାନସଭା ପାଇଁ ବସିବ ସର୍ବଦଳୀୟ ବୈଠକ । ବିଧାନସଭା ଅଧିବେଶନ ନେଇ ଆସନ୍ତା ୨୫ ତାରିଖରେ ବସିବ ସର୍ବଦଳୀୟ ବୈଠକ । ତେବେ ଏହି ବୈଠକରେ କୋଭିଡ ମହାମାରୀ ସମୟରେ ବିଧାନସଭା କେମିତି ଚାଲିବ, କଣ ସବୁ ଗାଇଡଲାଇନ୍ ରହିବ ଏବଂ ପ୍ରଶ୍ନକାଳ-ଉତ୍ତରକାଳ ଓ ଶୂନ୍ୟକାଳ ରହିବ କି ନାହିଁ ବୈଠକରେ ଆଲୋଚନା କରାଯିବ । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ସେପ୍ଟେମ୍ବର ୨୯ ତାରିଖରେ ବିଧାନସଭାରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଆସନ୍ତା ୨୫ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବିଧାନସଭା ବାଚସ୍ପତି । ଅଧିବେଶନରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବା ନେଇ ଆଲୋଚନା କରାଯିବ । ଏହାଛଡା ଆଗାମୀ ଅଧିବେଶନରେ ଶୂନ୍ୟକାଳ ଓ ପ୍ରଶ୍ନକାଳ ରହିବ କି ନାହିଁ, ସେନେଇ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ତେବେ ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ବସୁଛି ରାଜ୍ୟ ବିଧାନସଭା ଅଧିବେଶନ । କିନ୍ତୁ କରୋନା ମହାମାରୀ ପାଇଁ ବିଧାନସଭା ଗୃହରେ ପ୍ରଶ୍ନକାଳ ନରହିବା ନେଇ ଚର୍ଚ୍ଚା ହେଉଥିଲା । ଏପରିକି ଏହାକୁ ବିରୋଧ ମଧ୍ୟ କରାଯାଉଥିଲା । ବିଧାନସଭାରେ ଯଦି ପ୍ରଶ୍ନ କାଳ ନରହିବ ତେବେ ଗୃହ ବର୍ଜନ କରିବୁ ବୋଲି ଚେତାବନୀ ଦେଇଥିଲା କଂଗ୍ରେସ ।