ଆସୁ ଆସୁ ଅଚଳ । କେନ୍ଦ୍ରାପଡା ତାଳଚୁଆ ସାମୁଦ୍ରିକ ଥାନାକୁ ଆସିଥିବା ନୂଆ ସ୍ପିଡ୍ ବୋଟ୍ କାମ କରିବା ଆଗରୁ ଅଚଳ । ସମୁଦ୍ର ପଥରେ ହୋଇ ପାରୁନି ପାଟ୍ରୋଲିଂ ।

123

କନକ ବ୍ୟୁରୋ: ୨୦୧୪ରେ ତାଳଚୁଆ ଫାଣ୍ଡି ତାଳଚୁଆ ସାମୁଦ୍ରିକ ଥାନାକୁ ପରିବର୍ତ୍ତିତ ହୋଇଥିଲା । ସ୍ଥଳପଥରେ ୭ଟି ପଂଚାୟତ ସହ ଜଳପଥରେ ୧୪ ନଟିକାଲ ମାଇଲ ଯାଏଁ ନଜର ରଖିବାକୁ ପ୍ରତିଷ୍ଠା ହୋଇଥିଲା ସାମୁଦ୍ରିକ ଥାନା । ଜଳପଥରେ ହେଉଥିବା ବେଆଇନ୍ ଅନୁପ୍ରବେଶ ଓ ଆତଙ୍କବାଦୀ କାର୍ଯ୍ୟକଳାପ ନଜର ରଖିବା ମୁଖ୍ୟ ଉଦ୍ଦେଶ୍ୟ । ଜଳପଥରେ ପାଟ୍ରୋଲିଂ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଳଚୁଆ ସାମୁଦ୍ରିକ ଥାନାରେ ସ୍ପିଡ୍ ବୋଟ ଯୋଗାଇ ଦିଆଯାଇଥିଲା । ହେଲେ ଏବେ ସେହି ବୋଟଟି ଅଚଳ ହୋଇ ପଡିଥିବାରୁ ପାଟ୍ରୋଲିଂ ପାଇଁ ଅକ୍ଷମ ବୋଲି କହିଛନ୍ତି ଥାନା ଅଧିକାରୀ ।

କେନ୍ଦ୍ରପଡା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ଅଧିନରେ ରହିଛି ଭାରତର ଏକ ମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା । ଗହୀରମଥା ସମେତ ଉପକୂଳକୁ ସୁରକ୍ଷା ଦେବା ପାଇଁ ସାମୁଦ୍ରିକ ଥାନା ଅଛି । ହେଲେ ସମୁଦ୍ର ମଧ୍ୟରେ ପଇଁତରା ମାରିବା ପାଇଁ କୌଣସି ସାଧନ ନାହିଁ । ଦିନେ ଗଭୀର ସମୁଦ୍ରରେ ବନବିଭାଗ ପାଟ୍ରୋଲିଂ ଟିମ ଉପରେ ଆକ୍ରମଣ ହୋଇଥିଲା । ଏନେଇ ଥାନାରେ ଏତଲା ଦିଆଯିବା ସହ ମାମଲା ହାଇକୋର୍ଟରେ ପହଁଚିଥିଲା । ପରେ ମାନ୍ୟବର କୋର୍ଟ ଘଟଣାର ତଦନ୍ତ ନିର୍ଦେଶ ଜିଲ୍ଲାପାଳଙ୍କୁ ଦେବା ସହ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ତାଳଚୁଆ ସାମୁଦ୍ରିକ ଥାନାକୁ ଏକ ସ୍ପିଡବୋଟ, ବୋଟର ୭ଜଣ କର୍ମଚାରୀ ଓ ଗୋଟିଏ ସେକ୍ସନ ସଶସ୍ତ୍ର ଫୋର୍ସ ଯୋଗାଇ ଦିଆଯାଇଛି । ହେଲେ ବୋଟ୍ଟି ଆସୁ ଆସୁ ଅଚଳ ଏବଂ ତାକୁ ନେଇ ସମୁଦ୍ର ପଥରେ ପାଟ୍ରୋଲିଂ କରିବା ସମ୍ଭବ ନୁହେଁ ।

ବିରଳ ଅଲିଭରିଡଲେ କଇଁଛ ପରିବେଶ ସନ୍ତୁଳନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । ସେମାନଙ୍କ ସୁରକ୍ଷା ପାଇଁ ବନବିଭାଗ, କୋଷ୍ଟଗାର୍ଡ, ମତ୍ସ୍ୟ ବିଭାଗ ମିଳିତ ନଜର ରଖିଛି । କିନ୍ତୁ ଏବେ ବି ଗହୀରମଥାରେ ଶହଶହ ଟ୍ରଲର ବେଆଇନ ଭାବେ ମାଛ ମାରିବା ସହ କଇଁଛ ମାରୁଛନ୍ତି । ତେଣୁ କଇଁଛଙ୍କ ସୁରକ୍ଷା ସହ ଉପକୂଳର ସୁରକ୍ଷା ପାଇଁ ତାଳଚୁଆ, ତନ୍ତିଆପାଳ, ଜମ୍ବୁ ସାମଦ୍ରିକ ଥାନାକୁ ଅଧିକ ସଶସ୍ତ୍ରବଳ ଯୋଗାଇ ଦେବାକୁ ଦାବି ହୋଇଛି ।