ଟିକା ଅଭାବ ନେଇ ଆସିଲା ସାଂଘାତିକ ସତ : ପ୍ରାୟ ୯୪କୋଟି ସାବାଳକଙ୍କ ଟିକାକରଣ ପାଇଁ ଲାଗିପାରେ ତିନି ବର୍ଷ 

607

କନକ ବ୍ୟୁରୋ : ଦେଶରେ ବର୍ତମାନ ଯେଉଁ ଗତିରେ କରୋନା ଟିକାକରଣ ଚାଲିଛି, ସମସ୍ତ ସାବାଳକଙ୍କ ଟିକାକରଣ ପାଇଁ ୩ ବର୍ଷ ସମୟ ଲାଗିବ । ଏଭଳି ଆଶଙ୍କା ପ୍ରକାଶ ପାଇବା ପଛରେ ଏକ ବଳିଷ୍ଠ ଯୁକ୍ତି ବି ରହିଛି । ଦେଶରେ ଏପ୍ରିଲ ୨୮ ତାରିଖରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । କେବଳ କୋ-ୱିନ୍ ଆପରେ ପଞ୍ଜିକରଣ କରି ୧୮ରୁ ୪୪ ବର୍ଷର ବ୍ୟକ୍ତି ଏହି ପର୍ଯ୍ୟାୟରେ କରୋନା ଟିକା ନେବାକୁ କୁହାଯାଇଛି ।

ମିଳିଥିବା ତଥ୍ୟ ଅନୁସାରେ, ଦେଶରେ ମେ’ ୧ରୁ ୭ ତାରିଖ ମଧ୍ୟରେ ୨ କୋଟି ୪୨ ଲକ୍ଷ ଲୋକ ପଞ୍ଜିକରଣ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ଟ୍ୱିଟ୍ ଅନୁସାରେ ଏବେ ରାଜ୍ୟଗୁଡିକ ପାଖରେ ୭୨ ଲକ୍ଷ ଡୋଜ୍ ଟିକା ମହଜୁଦ ଅଛି ଏବଂ ଆଗାମୀ ୩ ଦିନ ମଧ୍ୟରେ ୪୨ ଲକ୍ଷ ଡୋଜ୍ ଟିକା ପଠାଯାଉଛି । ଅର୍ଥାତ ସରକାରଙ୍କ ପାଖରେ ପଞ୍ଜିକୃତ ହୋଇଥିବା ଲୋକଙ୍କୁ ଦିଆଯିବାକୁ ଥିବା ଟିକାର ଅଧା ମହଜୁଦ ଅଛି । ଦେଶରେ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଛି କରୋନା ଟିକାକରଣ । ସ୍ୱାସ୍ଥ୍ୟକର୍ମୀ, ଆଗଧାଡିର କରୋନା ଯୋଦ୍ଧା ଓ ୪୫ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ମିଶାଇଲେ ପ୍ରାୟ ୩୪ କୋଟି ଲୋକଙ୍କ ଟିକାକରଣ ହେବ ।

ସେହିପରି ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମିଶାଇଲେ ଏଥିରେ ଆଉ ୬୦ କୋଟି ଲୋକ ସାମିଲ ହେବେ । ଅର୍ଥାତ ୯୪ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବ । ବର୍ତମାନ ଦେଶରେ ଦୈନିକ ୧୭ଲକ୍ଷରୁ ମଧ୍ୟ କମ୍ ଲୋକଙ୍କ ଟିକାକରଣ ହେଉଛି । ଏବଂ ୯୪ କୋଟି ଲୋକଙ୍କୁ ଦୁଇଟି ଡୋଜ୍ ଟିକା ଦେବାପାଇଁ ମୋଟ୍ ୧୭୦ କୋଟି ଡୋଜ୍ ଟିକା ଆବଶ୍ୟକ । ହିସାବ କଲେ ଏଥିପାଇଁ ୧ ହଜାର ଦିନ ଅର୍ଥାତ ପ୍ରାୟ ୩ ବର୍ଷ ସମୟ ଲାଗିବ ବୋଲି କୁହାଯାଉଛି ।

ଜାଣନ୍ତୁ କେଉଁ ଦେଶରେ କେତେ ପ୍ରତିଶତ ହୋଇଛି କରୋନା ଟିକାକରଣ ?

– ଭାରତରେ ୯୪ କୋଟି ସାବାଳକଙ୍କ ଭିତରୁ ୧୪.୧ ପ୍ରତିଶତ ଲୋକଙ୍କ କରୋନା ଟିକାକରଣ ହୋଇଛି
– ଆମେରିକାରେ ଧାର୍ଯ୍ୟ ବୟସ ବର୍ଗର ୪୫% ଏବଂ ଇଂଲଣ୍ଡରେ ୫୨.୩% ଟିକାକରଣ ସରିଛିି
– ସ୍ପେନରେ ୨୮%, ଫ୍ରାନ୍ସରେ ୨୬.୪% ଏବଂ ଇଟାଲିରେ ୨୫.୭% ଲୋକଙ୍କ ଟିକାକରଣ ହୋଇପାରିଛି
– ବ୍ଲୁମବର୍ଗ ଭ୍ୟାକ୍ସିନ ଟ୍ରାକର ଅନୁସାରେ ବିଶ୍ୱରେ ଆଜିଯାଏଁ ୧୨୩ କୋଟି ଡୋଜ୍ ଟିକା ଦିଆଯାଇଛି
– ପ୍ରତିଦିନ ସାରାବିଶ୍ୱରେ ପ୍ରାୟ ୧ କୋଟି ୯୦ ଲକ୍ଷ ଡୋଜ୍ କରୋନା ଟିକା ଲୋକଙ୍କୁ ଦିଆଯାଉଛି
– ଆମ ଦେଶରେ ୧୮ରୁ ୪୪ ବର୍ଷ ମଧ୍ୟରେ କେବଳ ଦିଲ୍ଲୀ ଓ ଗୁଜରାଟରେ ୫%ରୁ ଅଧିକ ଲୋକଙ୍କ ଟିକାକରଣ ହୋଇଛି