ପଞ୍ଚମ ପାଳିର ଶେଷ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ । କହିଲେ, ଆଗାମୀ ୧୦ ବର୍ଷ ଆମ ପାଇଁ ନିର୍ଣ୍ଣାୟକ

639

କନକ ବ୍ୟୁରୋ : ପଞ୍ଚମପାଳିର ଶେଷ କ୍ୟାବିନେଟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣ ରଖିଛନ୍ତି । ସେ ତାଙ୍କ ଅଭିଭାଷଣରେ କହିଛନ୍ତି କି, ଓଡ଼ିଶାର ଭବିଷ୍ୟତ ଉଜ୍ୱଳ । ୧୯୩୬ ମସିହାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇଥିଲା, ତେଣୁ ୨୦୩୬ ମସିହାରେ ଓଡିଶା ଶତବାର୍ଷିକ ପାଳନ କରିବାକୁ ଯାଉଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ଶତବାର୍ଷିକ ପାଳନ ବେଳକୁ ଓଡିଶା ଦେଶର ୧ନମ୍ବର ରାଜ୍ୟ ହେଉ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଆଗାମୀ ୧୦ ବର୍ଷ ଆମ ପାଇଁ ନିର୍ଣ୍ଣାୟକ । ଆଗାମୀ ୧୦ ବର୍ଷ ମଧ୍ୟରେ ଆମେ ଏକ ସଶକ୍ତ ଓଡ଼ିଶା ଗଠନ କରିବୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ଯୁବପିଢିଙ୍କ ଶିକ୍ଷା ଏବଂ କର୍ମ ନିଯୁକ୍ତି ଉପରେ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ଯୁବକମାନେ ନୂତନ ଓଡ଼ିଶା ନିର୍ମାଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି ।

ସେପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ପରୋକ୍ଷରେ ରାଜ୍ୟରେ ପୁଣି ବିଜେଡି ସରକାର ଗଠନ କରିବ ବୋଲି ଆଶା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କ୍ରମରେ ସେ କହିଛନ୍ତି କି ଦେଶର ରାଜନୈତିକ ଇତିହାସରେ ଓଡ଼ିଶା ନୂଆ ରେକର୍ଡ କରିବ ।

ଅନ୍ୟପଟେ ଗତ ୫ବର୍ଷରେ ରାଜ୍ୟ ସରକାରଙ୍କ ସଫଳତା ମଧ୍ୟ ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି କି, ଗତ ୫ ବର୍ଷ ୫ଟି ନୀତି ଉପରେ ଆଧାରିତ ଥିଲା । ଇତିହାସ ଏହି ସମୟକୁ ଏକ ମାଇଲଖୁଣ୍ଟ ଭାବେ ମନେ ରଖିବ, ଯାହା ଓଡିଶାକୁ ଏହାର ଲୋକଙ୍କ ପାଇଁ ପରିବର୍ତ୍ତନ ଏବଂ ସମୃଦ୍ଧିର ଏକ ଦୃଢ ମାର୍ଗରେ ଆଣିଥିଲା । ଏହି ସମୟ ମଧ୍ୟରେ ସମଗ୍ର ରାଜ୍ୟରେ ଏବଂ ଜନସଂଖ୍ୟାର ପ୍ରତ୍ୟେକ ବର୍ଗରେ ପରିବର୍ତ୍ତନ ଦୃଶ୍ୟମାନ ହେଉଛି । ସ୍ୱଚ୍ଛ ଶାସନ ଏବଂ ପ୍ରଯୁକ୍ତିବିଦ୍ୟାର ତୀବ୍ର ବ୍ୟବହାର ମାଧ୍ୟମରେ ଆମ ଟିମ୍ କାର୍ଯ୍ୟ କରିଛି । ଏବଂ ସ୍ୱଳ୍ପ ସମୟ ମଧ୍ୟରେ ଉଲ୍ଲେଖନୀୟ ସଫଳତା ସୃଷ୍ଟି କରିଛି ।