କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦ ପୁଣିଥରେ କଂଗ୍ରେସକୁ ଫେରିପାରନ୍ତି ବୋଲି ଆଲୋଚନା ହେଉଛି । ଏନେଇ କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି । ଏହି କ୍ରମରେ ସୋନିଆ ଗାନ୍ଧୀଙ୍କ ଅତି ଘନିଷ୍ଠ କୁହାଯାଉଥିବା ଅମ୍ବିକା ସୋନୀ ଆଜାଦଙ୍କ ସହ ଆଲୋଚନା ଚଳାଇଛନ୍ତି । ପ୍ରଥମେ ଆଜାଦଙ୍କୁ ଭାରତ ଯୋଡ ଯାତ୍ରାରେ ସାମିଲ କରିବାକୁ ପ୍ରୟାଶ କରାଯାଉଛି । ସୂଚନା ଥାଉକି ଚଳିତ ବର୍ଷ ଅଗଷ୍ଟମାସରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଓ କ୍ଷମତା ଉପରେ ପ୍ରଶ୍ନ ଉଠାଇ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସେ କହିଥିଲେ କି ରାହୁଲ ଗାନ୍ଧୀଙ୍କୁ କିଛି ଚାଟୁକାର ଘେରି ରହିଛନ୍ତି ।

Advertisment

କଂଗ୍ରେସ ଛାଡିବାର କିଛିଦିନ ପରେ ଜମ୍ମୁ-କାଶ୍ମୀରରେ ଆଜାଦ ଏକ ନୂଆ ରାଜନୈତିକ ଦଳ ଗଠନ କରିଥିଲେ । ଏହି ଦଳର ନାମ ଆଜାଦ ଡେମୋକ୍ରେଟିକ ଦଳ ବୋଲି ନାମିତ କରିଥିଲେ । ଆଜାଦଙ୍କ ଏଭଳି ନିଷ୍ପତ୍ତି ପରେ ଜମ୍ମୁ-କାଶ୍ମୀରରେ କଂଗ୍ରେସ ଦୁଇଭାଗ ହୋଇଯାଇଥିଲା । ଦଳର କିଛି ବରିଷ୍ଠ ନେତା ମଧ୍ୟ ଆଜାଦଙ୍କ ଦଳରେ ସାମିଲ ହୋଇଥିଲେ ।

ଆଜାଦ ନିଜର ରାଜନୈତିକ ଦଳ ଗଠନ କରିବାର ମାତ୍ର ୪ ମାସ ମଧ୍ୟରେ ଦଳ ଭାଙ୍ଗିବା ସହ ନିଜେ ଆଜାଦ ରାଜନୈତିକ ଭାବେ ଦୁର୍ବଳ ହୋଇପଡିଛନ୍ତି । ଏହି କ୍ରମରେ ଏବେ ସେ ପୁଣି କଂଗ୍ରେସକୁ ଫେରିବା ନେଇ ସକରାତ୍ମକ ଭାବନା ପ୍ରତିପୋଷଣ କରିଛନ୍ତି । ଏପଟେ କଂଗ୍ରେସ ବି ବିନା ସର୍ତରେ ତାଙ୍କୁ ଦଳକୁ ଫେରାଇଆଣିବାକୁ ଚେଷ୍ଟା ଚଳାଉଛି । ଏହା ଯଦି ସଫଳ ହୁଏ ତେବେ କଂଗ୍ରେସ ଜମ୍ମୁକାଶ୍ମୀରରେ ପୁଣିଥରେ ନିଜର ବଳ ଫେରିପାଇବ ବୋଲି ଅନୁମାନ କରାଯାଉଛି ।