ରାକ୍ଷୀ କିଣିଥିଲା ଭଉଣୀ. ଭାଇକୁ ଟାଣିନେଲା କୁମ୍ଭୀର । ଜଗା ଭାଇକୁ ହରାଇ ବାହୁନି କାନ୍ଦୁଛି ଭଉଣୀ ସୁଭଦ୍ରା । କହୁଛି, ଏଥର କାହା ହାତରେ ବାନ୍ଧିବି ରାକ୍ଷୀ ? ଭଗବାନ ତମେ ଏତେ ନିଷ୍ଠୁର ହେଲ କେମିତି ? ସମ୍ପର୍କର ଶେଷ ସ୍ମୃତିକୁ ଧରି ମୁଣ୍ଡପିଟି କାନ୍ଦୁଛି ଭଉଣୀ । ରାକ୍ଷୀ ପୂର୍ଣ୍ଣିବା ପୂର୍ବରୁ ରାଜକନିକାରୁ ଆସିଲା ଆଖି ଭିଜା କାହାଣୀ…

1,221

କନକ ବ୍ୟୁରୋ: ରାକ୍ଷୀ ଅଛି, ରୁଦ୍ର ନାହିଁ… ଭଉଣୀ ଅଛି ଭାଇ ନାହିଁ… ଭାଇଭଉଣୀ ସମ୍ପର୍କର ସୂତାଖିଅ ଆଜି ଶେଷ ସ୍ମୃତି ପାଲଟିଛି । ଆଉ ଆଖିରେ ଆଖିଏ ଲୁହ ନେଇ ଅଫେରା ରାଇଜକୁ ଚାଲିଯାଇଥିବା ଭାଇର ବାଟକୁ ଭଉଣୀ ଚାହିଁ ବସିଛି । ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା । କୁନି ଭାଇ ହାତରେ ରାକ୍ଷୀ ବାନ୍ଧି ତା ଶୁଭମନାସୀ ଥାନ୍ତା ଭଉଣୀ । ଚାଉଳ, ଚନ୍ଦନ ଦେଇ ସ୍ନେହର ସୂତାରେ ତା ଭାଇକୁ ନିଜ ଛାଇ ସହ ବାନ୍ଧି ଦେଇଥାନ୍ତା । ଆଉ କହିଥାନ୍ତା… ଭାଇ ! ମୁଁ ରାକ୍ଷୀ ବାନ୍ଧିଲି, ତୁ ରଖିବୁ ମାନ…

ଭାଇ ମୃତ୍ୟୁ ପରେ ଭାଙ୍ଗି ପଡିଛି ଉଭଣୀ । ମଝି ନଈକୁ କୁମ୍ଭୀର ଟାଣିନେବା ପରେ ଭଉଣୀର ସବୁ ଆଶା ମଉଳି ଯାଇଛି । ଦେହ ସିନା ଅଛି ହେଲେ ହଜିଯାଇଛି ଛାଇ, ନିଖୋଜ ହୋଇଛି ନିଶ୍ୱାସ । ଘର ଭିତରେ ଭାଇ ଭଉଣୀଙ୍କ ସେ କଳିଝଗଡା ଆଉ ଶୁଭୁନି କି ମାଆ ହାତ ତିଆରି ପିଠାମିଠା ପାଇଁ ଭାଗବଣ୍ଟା ହେଉନି । ନୂଆ ଡ୍ରେସ ପାଇଁ ବାପାଙ୍କ ଆଗରେ ଅଝଟ କରିବାକୁ ବି ଇଚ୍ଛା ହେଉନି । କାରଣ ଗୋଡ କଚାଡି ଅଳି କରିବାକୁ ଯେଉଁ ବଳ ଦରକାର ସେ ବଳ ଆଉ ନାହିଁ, ଭଉଣୀକୁ ଏକା କରି ଛାଡିଯାଇଛି ଭାଇ…

ରାକ୍ଷାବନ୍ଧନ ପାଇଁ ଭଉଣୀ ପାର୍ବତୀ ସହ କିଛି ଦିନ ତଳେ ବଜାରକୁ ଯାଇ ରାକ୍ଷୀ କିଣିଥିଲା ରୁଦ୍ର । ବାଛି ବାଛି ମନ ପସନ୍ଦର ଏଇ ଚେନ୍ ରାକ୍ଷୀ କିଣି ଆଣିଥିଲା । ଆଉ କହିଥିଲା ଦେଇ ଲୋ, ତୁ ଆଗ ମୋ ହାତରେ ରାକ୍ଷୀ ବାନ୍ଧିବୁ । ତାପରେ ଯାଇ ଆଉ କାହା ହାତରେ । ତୋ ରାକ୍ଷୀ ପଇସା ସିନା ମୁଁ ଏବେ ଦେଇ ପାରୁନି । କିନ୍ତୁ ବଡ ହେଲେ ସବୁ ଦେଇଦେବି, ତୋ ପାଇଁ ସ୍କୁଟି କିଣି ଦେବି ଆଉ ତୋ ଛାଇ ଭଳି ସୁରକ୍ଷା ଦେଉଥିବି… କିନ୍ତୁ କିଏ ଜାଣିଥିଲା କଥା ଦେଇ ଭାଇ ତାର ଠକିଦେବ ବୋଲି । ତାକୁ ଏକା କରି ଆରପାରିକୁ ଚାଲିଯିବ ବୋଲି । ବୋଧେ ସେଇଥିପାଇଁ ଭାଇ ଦଇଥିବା ଶେଷ ଉପହାର ହାତଘଣ୍ଟାକୁ ଘଣ୍ଟାଘଣ୍ଟା ଧରି ଚାହିଁ ରହି ଭାଇକୁ ଝୁରୁଛି ଭଉଣୀ…

ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଏଭଳି ହୃଦୟଥରା କାହାଣୀ ଆସିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ପରିମାକୁନ୍ଦପୁର ଗାଁରୁ । ଗତ ୨୬ ତାରିଖ ଦିନ ସାଙ୍ଗଙ୍କ ସହ ଖରସ୍ରୋତା ନଦୀରେ ଗାଧୋଉଥିବା ବେଳେ ୧୦ ଶ୍ରେଣୀର ଛାତ୍ର ରୁଦ୍ର ବେହୁରାଙ୍କୁ କୁମ୍ଭୀର ଟାଣିନେଇଥିଲା । ମାଟ୍ରିକ ରେଜଲ୍ଟ ବାହାରିବାର ୪ ଦିନ ପୂର୍ବରୁ କୁମ୍ଭୀର ଆକ୍ରମଣରେ ରୁଦ୍ରଙ୍କର ମୃତ୍ୟୁ ହୋଇଥିଲା । ଆଉ ଘରର ଏକମାତ୍ର ପୁଅକୁ ହରାଇ ବାପାମାଆ ମୁଣ୍ଡ ପିଟି କାନ୍ଦୁଥିବା ବେଳେ ଭାଇକୁ ହରାଇ ଭଉଣୀ ଭାଙ୍ଗି ପଡିଛି । ଆଖିରୁ ନିଗିଡି ପଡୁଥିବା ଲୁହରେ ତା ଭାଇର ରାକ୍ଷୀ ଭିଜିଛି ଆଉ ସେ ରାକ୍ଷୀ ସବୁଦିନ ପାଇଁ ସାକ୍ଷୀ ପାଲଟିଛି…

ରାକ୍ଷୀ ଭିଜିଲା ଆଖି ଲୁହରେ

#ମୁଁ_କାହା_ହାତରେ_ବାନ୍ଧିବି_ରାକ୍ଷୀ…#ମୋ_ଭାଇ #ତୁ_କୁଆଡେ_ଗଲୁରେ…ରାକ୍ଷୀ କିଣିଥିଲା ଭଉଣୀ. ଭାଇକୁ ଟାଣିନେଲା କୁମ୍ଭୀର । ଜଗା ଭାଇକୁ ହରାଇ ବାହୁନି କାନ୍ଦୁଛି ଭଉଣୀ ସୁଭଦ୍ରା । କହୁଛି, ଏଥର କାହା ହାତରେ ବାନ୍ଧିବି ରାକ୍ଷୀ ? ଭଗବାନ ତମେ ଏତେ ନିଷ୍ଠୁର ହେଲ କେମିତି ? ସମ୍ପର୍କର ଶେଷ ସ୍ମୃତିକୁ ଧରି ମୁଣ୍ଡପିଟି କାନ୍ଦୁଛି ଭଉଣୀ । ରାକ୍ଷୀ ପୂର୍ଣ୍ଣିବା ପୂର୍ବରୁ ରାଜକନିକାରୁ ଆସିଲା ଆଖି ଭିଜା କାହାଣୀ…#SpecialReport #Rakhi #Rakhshabandhan #Kendrapara #Odisha

Posted by Kanak News on Saturday, August 1, 2020