ଋଣ ବୋଝରେ ଟେଲିକମ୍ ଜଗତ! ଦେଢ଼ ଲକ୍ଷ ଚାକିରି ପ୍ରତି ବିପଦ

47

ଦେଶର ଟେଲିକମ୍ (ଦୂରସଂଚାର) କ୍ଷେତ୍ର ଏବେ ଋଣ ବୋଝ ତଳେ ଚାପି ହୋଇଗଲାଣି । ଅନେକ କଂପାନିର କ୍ଷତି ବଢ଼ିଚାଲିଛି । ଏଭଳି ପରିସ୍ଥିତି ଯୋଗୁଁ ଏହି କ୍ଷେତ୍ର ସହିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡ଼ିତ ଥିବା ଦେଢ଼ ଲକ୍ଷ ଚାକିରି ପ୍ରତି ବିପଦ ସୃଷ୍ଟି ହୋଇଛି ।

ମୋବାଇଲ୍ ସେବା ପ୍ରଦାନ କରୁଥିବା କଂପାନିଗୁଡ଼ିକ ଉପରେ ୮ ଲକ୍ଷ କୋଟି ଟଙ୍କାର ଋଣ ବୋଝ ରହିଛି । କେତେକ କଂପାନି ମାଗଣା ସେବା ପ୍ରଦାନ କରୁଥିବାରୁ ଅନ୍ୟ କଂପାନିଗୁଡ଼ିକ ବିପୁଳ ପରିମାଣର କ୍ଷତି ସହୁଛନ୍ତି । କ୍ଷତି କମ୍ କରିବା ପାଇଁ ଏହି କଂପାନିଗୁଡ଼ିକ କାରବାର ସଙ୍କୁଚିତ କରିବା ଉପରେ ବିଚାର କରୁଛନ୍ତି । ଟେଲିକମ୍ କ୍ଷେତ୍ରର ଆର୍ଥିକ ସ୍ଥିତି ଭଲ ନାହିଁ ବୋଲି ଚଳିତ ବର୍ଷ ଏପ୍ରିଲରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ସତର୍କ କରାଯାଇଥିଲା ।

ଋଣ ବୋଝ ତଳେ ଟେଲିକମ୍ କଂପାନିଗୁଡ଼ିକ ଏଭଳି ଚାପି ହୋଇଯାଇଛନ୍ତି ଯେ ନିଜର କାରବାରକୁ ବଞ୍ଚାଇବା ପାଇଁ ସେମାନଙ୍କ ପାଖରେ ଖର୍ଚ କାଟ କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ହିଁ ନାହିଁ । ଟେଲିକମ୍ କଂପାନିଗୁଡ଼ିକ ମଧ୍ୟରେ ଯଦି ମିଶ୍ରଣ ହେବ ତେବେ ୨୦,୦୦୦-୨୫,୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରତି ବିପଦ ସୃଷ୍ଟି ହେବ । ମିଶ୍ରଣ ହେବାକୁ ଥିବା ଉଭୟ କଂପାନିଙ୍କୁ ଚୁକ୍ତି ସଫଳତାର ସହିତ ଲାଗୁ କରିବା ପାଇଁ ନିଜର ୧୦୦୦-୧୫୦୦ ପାଖାପାଖି କର୍ମଚାରୀଙ୍କୁ ବିଦା କରିବାକୁ ପଡ଼ିବ ।

ଟେଲିକମ୍ ଶିଳ୍ପର ଗତିବିଧି ଉପରେ ନଜର ରଖିଥିବା ବିଶେଷଜ୍ଞମାନେ କହିଛନ୍ତି ଯେ ଏହି କ୍ଷେତ୍ରରେ ଦେଖାଦେଇଥିବା ଅନିଶ୍ଚିତତା ଯୋଗୁଁ ପରୋକ୍ଷ ଭାବେ ଏହି କ୍ଷେତ୍ର ଉପରେ ନିର୍ଭରଶୀଳ ଥିବା ୧,୨୫,୦୦୦ ଚାକିରି ପ୍ରତି ବିପଦ ସୃଷ୍ଟି ହେବ ।

ଉଲ୍ଲେଖଯୋଗ୍ୟ, ନିଯୁକ୍ତି ପ୍ରଦାନ କରିବାରେ ଟେଲିକମ୍ କ୍ଷେତ୍ର ପଞ୍ଚମ ସ୍ଥାନରେ ରହିଛି । ଏହି କ୍ଷେତ୍ରରେ ପ୍ରତ୍ୟକ୍ଷ ଭାବେ ୨୦ ଲକ୍ଷରୁ ଅଧିକ ଲୋକ କାମ କରୁଛନ୍ତି । ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରତି ଏହି କ୍ଷେତ୍ରର ଅବଦାନ ୬.୫% ରହିଛି।