କନକ ବ୍ୟୁରୋ : ଗଂଜାମ ଜିଲ୍ଲା ଧୋବାବନ୍ଦର ଗାଁର ସନ୍ୟାସୀ ବେହେରା । ପିଲାଦିନେ ଅସୁସ୍ଥତା କାରଣରୁ ଦୁଇଟି ଯାକ ଗୋଡ ଅଂଚଳ ହୋଇଯାଇଛି । ସଂପୂର୍ଣ୍ଣ ଦିବ୍ୟାଙ୍ଗ ପାଲଟିଯାଇଛନ୍ତି, ଅଧିକ ପାଠ ପଢିପାରିନାହାନ୍ତି । କିନ୍ତୁ ଅକ୍ଷମ ନୁହନ୍ତି । ଦୃଢ଼ ଆତ୍ମବଳ ତାଙ୍କୁ ସଂଘର୍ଷ ଭିତରେ ସକ୍ଷମ କରିପାରିଛି । ପରିବାର ଚଳାଇବା ପାଇଁ ଟ୍ରାଇ-ସାଇକେଲରେ ଗାଁକୁ ଗାଁ ଯାଇ ପରିବା ବିକୁଛନ୍ତି । ସେଥିରେ ପାଂଚ ପ୍ରାଣୀ ପରିବାର ମୁହଁରେ ଦାନା ଦେବା ସହ ସାନ ଭାଇକୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଏମବିଏ ପଢାଉଛନ୍ତି ।
ଅଜା ଆଇଙ୍କ ଘରେ ରହୁଛନ୍ତି ସନ୍ୟାସୀଙ୍କ ପରିବାର । ସ୍ତ୍ରୀ, ଦୁଇ ଯାଆଁଳା ପୁଅ ଓ ସାନ ଭାଇକୁ ନେଇ ତାଙ୍କ ସଂସାର । ସକାଳୁ ଉଠି ନିଜ ନିତ୍ୟକର୍ମ ସାରିବା ପରେ ତିନି ଚକିଆ ସାଇକେଲରେ ପରିବା ଲଦି ବିକିବାକୁ ବାହାରି ଯାଆନ୍ତି ସନ୍ୟାସୀ । ଚାଷୀଙ୍କ ପାଖରୁ ପନିପରିବା କିଣି, ୮ ରୁ ୧୦ ଖଣ୍ଡ ଗାଁ ବୁଲି ବିକ୍ରିବଟା କରିଥାନ୍ତି । ଦୈନିକ ୩ଶହରୁ ୪ଶହ ଟଙ୍କା ରୋଜଗାର କରି ସ୍ୱାଭିମାନର ସହ ବଂଚିବାକୁ ପ୍ରୟାସ ଜାରି ରଖିଛନ୍ତି ।
ସରକାରୀ ଯୋଜନାରେ ଭତା ଓ ମାସିକ ଚାଉଳ ସହ ଆବାସ ଘର ଖଣ୍ଡେ ପାଇଛନ୍ତି । ଏବେ ସରକାରୀ ସ୍ତରରେ ତିନି ଚକିଆ ମୋଟର ସାଇକେଲ ଓ କିଛି ଋଣ ମିଳିଲେ ପରିବା ବ୍ୟବସାୟକୁ ସନ୍ୟାସୀ ବଢ଼ାଇ ପାରନ୍ତେ ବୋଲି ଆଶା ରଖିଛନ୍ତି ।