କନକ ବ୍ୟୁରୋ: ଚାଳ ଛପର ଘର, ମାଟି ଚଟାଣ ଉପରେ ଚାରି ଜଣ ମଣିଷ । ବଡ଼ପୁଅକୁ ଦେଖାଯାଉନି ବୋଲି ଅଗଣାରେ ନିସ୍ତେଜ ହୋଇ ଶୋଇ ରହିଛି ୨୦ ବର୍ଷ ତଳୁ ଦୃଷ୍ଟିଶକ୍ତି ହରାଇଥିବା ଭେଣ୍ଡିଆ ପୁଅ । ଘରର ଅବସ୍ଥା ଭଳି ଏମାନଙ୍କ ଦୁଃଖର ଦଦରା କାନ୍ଥ ବାହାରୁ ଦେଖିଲେ ଅତିବ୍ୟସ୍ତ କରିଦେଉଛି । ଆଉ ସେଥିପାଇଁ ଅସହାୟତା ଆଖିରେ ଚାଳଘର ଅଗଣାରୁ ସାହାଯ୍ୟ ଅପେକ୍ଷାରେ ପୂରା ପରିବାର ।
କାମାକ୍ଷାନଗର ନୂଆଁ ଆଳତୁମା ଗାଁର ଚଗଲି ମଲ୍ଲିକ । ଜନ୍ମରୁ ଚଗଲିଙ୍କୁ ସବୁ ଦେଖାଯାଉଥିଲା ହେଲେ ୨୦୦୨ ଅର୍ଥାତ୍ ୨୦ ବର୍ଷ ହେବ ତାଙ୍କ ଦୁନିଆର ସବୁ ଆଲୋକ ଧିରେ ଧିରେ ଲିଭିଗଲା ଆଉ ଏବେ ଚାରିଆଡ ଖାଲି ଅନ୍ଧାର ଆଉ ଅନ୍ଧାର । ଯନ୍ତ୍ରଣା ଯେବେ ଦୁଇଗୁଣା ହୋଇଯାଏ । ସେତେବେଳେ ମୁହଁରୁ ହସ ମରିଯାଏ, ଚାରିଆଡେ ଶୂନ୍ୟତାର ଶବ୍ଦ ଶୁଣାଯାଏ । ହେଲେ ଚଗଲିଙ୍କ ମାଆ ଚଗଲିକୁ କେବେ ବି ଏକା ଛାଡ଼ି ନାହାନ୍ତି । ମମତା ପ୍ରେମଭରା ପାନିଆରେ ପୁଅର ମୁଣ୍ଡକୁ କୁଣ୍ଡାଇ ଦେଉଛନ୍ତି, ସ୍ନେହବୋଳା ହାତରେ ଆଉଁସି ଦେଇ ପୁଅ ଭଲ ହୋଇଯିବ ବୋଲି ଆଶା ରଖିଛନ୍ତି ।
ଚିକିତ୍ସା ପାଇଁ ଚାରିଆଡେ ବୁଲି ବୁଲି ଶେଷରେ ଅର୍ଥ ଅଭାବରୁ ଏବେ ବିଛଣା ପଡି ରହିଛି ପୁଅ । ଦୁଃଖ ବି ସାଙ୍ଗସାଥୀକୁ ନେଇ ଆସିଲା ଭଳି ଘରର ସାନ ଝିଅକୁ ବି ଛାଡ଼ିଲାନି । ଦୁର୍ଘଟଣାରେ ସାନ ଭଉଣୀ ସାବିତ୍ରୀଙ୍କର ମଧ୍ୟ ଗୋଡ଼ ପୋଡ଼ିଯାଇଛି । ହେଲେ ସେ ନିଜ କଥା ନୁହେଁ ବରଂ ମୋ ଭାଇକୁ ଭଲ କରିଦିଅ ବୋଲି ସରକାର ଓ ପ୍ରଶାସନକୁ ସାହାଯ୍ୟ ମାଗିଛନ୍ତି ।
ଅନ୍ୟପଟେ ସାହି ପଡ଼ିଶା ମଧ୍ୟ ଚଗଲିଙ୍କ ଏଭଳି ଅବସ୍ଥା ଦେଖି ସହାୟତାର ନିବେଦନ କରିଛନ୍ତି । ଆଉ ଏହି ଦାରୁଣତାର ଖବର ନେଇ ଆମ ପ୍ରତିନିଧି କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ । ଖୋଦ୍ ଉପ ଜିଲ୍ଲାପାଳ ଚଗଲିଙ୍କ ଚିକିତ୍ସା ପ୍ରଶାସନ ତରଫରୁ କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଖବର ତ ବାଜିଲା, ଏବେ କେବଳ ଚଗଲିଙ୍କ ଚିକିତ୍ସାକୁ ଅପେକ୍ଷା । ଆମେ ଆଶା କରୁଛୁ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ତୁରନ୍ତ କାର୍ଯ୍ୟକାରୀ ହେବ, ଆଉ ଚଗଲିଙ୍କ ଦୃଷ୍ଟି ଶକ୍ତି ଫେରାଇ ତାଙ୍କ ପରିବାର ମୁହଁରେ ହସ ଫୁଟିବ ।