ଚାକିରିଆଙ୍କ ପାଇଁ ବଡ ଖବର: ଏଣିକି ଚାକିରି ଛାଡିଲେ କିମ୍ବା ବରଖାସ୍ତ ହେଲେ ବି ମିଳିବ ଦରମା ; ଚାକିରି ଛାଡିବାର ୨ ଦିନ ଭିତରେ କର୍ମଚାରୀଙ୍କ ବକେୟ ଦରମା ଦେବାକୁ ମାଲିକ ବାଧ୍ୟ

783

ଏଣିକି ଚାକିରି ଛାଡିଲେ କିମ୍ବା ଚାକିରିରୁ ହଟାଇ ଦିଆଯାଇଥିଲେ କିମ୍ବା କୌଣସି କଂପାନୀ ବନ୍ଦ ହେବା ପରିସ୍ଥିତିରେ ନିଯୁକ୍ତିକର୍ତ୍ତା ଦୁଇ ଦିନ ମଧ୍ୟରେ କର୍ମଚାରୀଙ୍କୁ ବକେୟା ଦରମାର ପେମେଂଟ କରିବାକୁ ବାଧ୍ୟ ହେବେ । ତେବେ ସର୍ବନିମ୍ନ ପାରିଶ୍ରମିକ ବିଲରେ ଏହି ନିୟମ ପ୍ରଣୟନ କରାଯାଇଛି । ଗତ ମଙ୍ଗଳବାର ଦିନ ଏହି ବିଲଟିକୁ ଲୋକସଭାରେ ଉପସ୍ଥାପନା କରାଯାଇଛି । ତେବେ ପୂର୍ବରୁ ବି ଏହି ବିଲକୁ କ୍ୟାବିନେଟର ମଂଜୁରୀ ମିଳିସାରିଛି । ବିଲରେ ଉଲ୍ଲେଖ ରହିଛି କି, ଯଦି କୌଣସି କର୍ମଚାରୀ ଇସ୍ତଫା ଦିଅନ୍ତି କିମ୍ବା ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲେ ବା କୌଣସି କାରଣରୁ ସେ ଚାକିରି ଛାଡନ୍ତି ଏବଂ କୌଣସି କାରଣରୁ କଂପାନୀ ବନ୍ଦ ହୋଇଗଲା ତେବେ ସେହି କର୍ମଚାରୀଙ୍କୁ ଦୁଇ ଦିନ ମଧ୍ୟରେ ତାଙ୍କର ବକେୟା ବେତନ କଂପାନୀକୁ ପେମେଂଟ କରିବାକୁ ପଡିବ ।

ସବୁ କ୍ଷେତ୍ରର ଶ୍ରମିକଙ୍କୁ ମିଳିବ ସର୍ବନିମ୍ନ ମଜୁରୀ

ବିଲ ମୁତାବକ, ବର୍ତ୍ତମାନ କେବଳ ଅନୁସୂଚିତ କ୍ଷେତ୍ରର କର୍ମଚାରୀଙ୍କୁ ହିଁ ସର୍ବନିମ୍ନ ମଜୁରୀ ଦିଆଯାଇଥାଏ , ହେଲେ ଏହି ବିଲ୍ ଆସିବା ପରେ ସବୁ ସେକ୍ଟର ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ଦିଆଯିବ । କେନ୍ଦ୍ର ସରକାର ସର୍ବନିମ୍ନ ମଜୁରୀ ପାଇଁ ଗୋଟିଏ ଫ୍ଲୋର ୱେଜ୍ ପ୍ରସ୍ତୁତ କରିବେ । ଯାହାଦ୍ୱାରା କୌଣସି ବି ଶ୍ରମିକଙ୍କୁ କମ ପାରିଶ୍ରମିକ ତଥା ମଜୁରୀ ଦିଆଯାଇପାରିବ ନାହିଁ । ସେହିଭଳି ରାଜ୍ୟ ସରକାର ନିଜ ଭୌଗଳିକ ସ୍ଥିତି ଏବଂ ଅନ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ସର୍ବନିମ୍ନ ମଜୁରୀ ପ୍ରସ୍ତୁତ କରିପାରନ୍ତି ହେଲେ ସେ ମଜୁରୀ ଫ୍ଲୋର ୱେଜଠାରୁ କମ କରିପାରିବେ ନାହିଁ । ଯଦି କୌଣସି ରାଜ୍ୟ ଦ୍ୱାରା ନିର୍ଧାରିତ ମଜୁରୀ କେନ୍ଦ୍ରର ଫ୍ଲୋର ୱେଜଠାରୁ ଅଧିକ ହୁଏ, ତେବେ ଏଭଳି ପରିସ୍ଥିତିରେ ରାଜ୍ୟ ନିଜ ସର୍ବନିମ୍ନ ମଜୁରୀକୁ କମ କରିପାରିବେ ନାହିଁ ।

ବିଲରେ ଉଲ୍ଲେଖ ଥିବା ନିୟମାନୁସାରେ, ପ୍ରତି ପାଂଚ ବର୍ଷ ମଧ୍ୟରେ ରାଜ୍ୟମାନଙ୍କୁ ସର୍ବନିମ୍ନ ମଜୁରୀକୁ ରିଭାଇଜ କରିବାକୁ ବାଧ୍ୟତାମୂଳକ ହେବ । ନିୟମ ଅନୁସାରେ, ସର୍ବନିମ୍ନ ମଜୁରୀ ଦେଉନଥିବା ନିଯୁକ୍ତିକର୍ତ୍ତା ଯଦି ପ୍ରଥମ ଥର ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ଉପରେ ୫୦ ହଜାର ଟଙ୍କାର ଜରିମାନା ଲାଗିବ । ସେହିଭଳି ପାଂଚ ବର୍ଷ ଭିତରେ ଯଦି ଏଭଳି ଭୁଲ ଦ୍ୱିତୀୟ ଥର ପାଇଁ ହୁଏ ତେବେ ଉକ୍ତ କଂପାନୀ ତଥା ନିଯୁକ୍ତିକର୍ତ୍ତାଙ୍କୁ ଜରିମାନା ବାବଦକୁ ୧ ଲକ୍ଷ ଟଙ୍କା ଦେବା ସହ ତିନି ମାସ କାଳ ଜେଲଦଣ୍ଡାଦେଶ ମଧ୍ୟ ହୋଇପାରେ ।