ହୁସିଆର୍ ! ଗୁଜବ ଖେଳାଇଲେ ହୋଇପାରେ ଜେଲ୍…ଏଣିକି ମିଛ ଖବର ପ୍ରଚାର କଲେ ବାନ୍ଧିନେବ ପୋଲିସ୍: ଆଜୀବନ ଜେଲ୍ ସହ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିପାରେ ଜରିମାନା

ନଜର ପକାନ୍ତୁ କଣ କହୁଛି ଆଇଟି ଆକ୍ଟ ଏବଂ କେଉଁ କେଉଁ ଖବର ଉପରେ ଲଗାଯାଇଛି ରୋକ୍

1,142

କନକ ବ୍ୟୁରୋ: ସାବଧାନ୍ ! ଏଣିକି ଗୁଜବ ଖେଳାଇଲେ ହେବ ଆଜୀବନ ଜେଲ୍ ! ମିଛ ଖବର ବା ଗୁଜବ କଲେ ଏବେ ବାନ୍ଧିନେବ ପୁଲିସ୍ । ଆଜିକାଲି ମୋବାଇଲ ଗାଁଠୁ ସହର, ପିଲାଙ୍କଠାରୁ ବୃଦ୍ଧ ସମସ୍ତଙ୍କ ହାତରେ ଦେଖିବାକୁ ମିଳୁଛି । ତେବେ ମୋବାଇଲ ଯୋଗୁଁ ଯୋଗାଯୋଗ କ୍ଷେତ୍ରରେ ସୁଧାର ଆସିଛି ସତ ହେଲେ ଏଥିରେ ବିଭିନ୍ନ ମିଥ୍ୟା ଖବର ମଧ୍ୟ ବ୍ୟାପକ ପ୍ରଚାର ଓ ପ୍ରସାର ହେଉଛି । ଯାହା ବିଭିନ୍ନ ସମୟରେ ଭୟଙ୍କର ରୂପ ନେଉଥିବା ବେଳେ ଏବେ ଏହା ପୋଲିସ ଓ ପ୍ରଶାସନ ମୁଣ୍ଡର ବ୍ୟଥାର କାରଣ ସାଜିଛି । ତେଣୁ ଏଭଳି ପରିସ୍ଥିତି ଉପରେ ଅଙ୍କୁଶ ଲଗାଇବା ପାଇଁ ଏବେ ଆଇଟି ଆକ୍ଟ-୨୦୦୮କୁ ଦେଶରେ କଡାକଡି କରିଦିଆଯାଇଛ । ତେବେ ନଜର ପକାନ୍ତୁ କଣ କହୁଛି ଆଇଟି ଆକ୍ଟ ଏବଂ କେଉଁ କେଉଁ ଖବର ଉପରେ ଲଗାଯାଇଛି ରୋକ୍ ।

ଜାମିନ ବିହୀନ ଅପରାଧରେ ସିଧା ଗିରଫ କରିପାରିବ ପୁଲିସ୍

ଆଇନ ବିଶେଷଜ୍ଞଙ୍କ ମତରେ, ଗୁଜବକାରୀଙ୍କ ବିରୋଧରେ ଆଇପିସି ଅଧିନରେ ମାମଲା ରୁଜୁ କରି ଗିରଫ କରିପାରିବେ ପୁଲିସ୍ । ଯଦି କୌଣସି ବ୍ୟକ୍ତି ଦୁଇ ଗୋଷ୍ଠୀ, ଧର୍ମ, ଜାତି, ବର୍ଣ୍ଣ କିମ୍ବା ଭାଷା ନାଁରେ ଘୃଣା ବିସ୍ତାର କରିବାକୁ ଚେଷ୍ଟା କରେ ତେବେ ତା ବିରୋଧରେ ଆଇପିସିର ଧାରା ୧୫୩ (ଏ) ଅନୁଯାୟୀ ମାମଲା ରୁଜୁ କରିପାରବ ପୁଲିସ୍ । ସେହିଭଳି ଯଦି କୌଣସି ବ୍ୟକ୍ତି ନିଜ କଥା କିମ୍ବା ଲେଖା କିମ୍ବା ଇସାରା ବା ଅନ୍ୟ କୌଣସି ତରିକାରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି ତେବେ ପୁଲିସ ଉକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ମାମଲା ରୁଜୁ କରିପାରିବ । ତେବେ ଏଭଳି ଲୋକଙ୍କ ବିରୋଧରେ ଉଭୟ ଆଇପିସି ଏବଂ ଆଇଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିହେବ । ଜାମିନ ବିହୀନ ଅପରାଧରେ ପୁଲିସ୍ ପାଖରେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାର ମଧ୍ୟ ଅଧିକାର ରହିଛି । ତେବେ ଯଦି ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡାଦେଶ ସହ ଜରିମାନା ଦଣ୍ଡ ଶୁଣାଇ ପାରନ୍ତି କୋର୍ଟ ।

ଘୃଣାଭାବ ସୃଷ୍ଟି କରୁଥିବା ତଥ୍ୟ କିମ୍ବା ବୟାନ ଉପରେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍

ସେହିଭଳି ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇପିସିର ଧାରା ୫୦୫ ଅନୁସାରେ ମାମଲା ମଧ୍ୟ ରୁଜୁ କରିପାରିବ ପୋଲିସ୍ । ଯଦି କୌଣସି ବ୍ୟକ୍ତି ଦୁଇ ଗୋଷ୍ଠୀ କିମ୍ବା ବର୍ଗ ମଧ୍ୟରେ ହିଂସା ବା ଘୃଣା ଭାବ ସୃଷ୍ଟି କରିବାକୁ କୌଣସି ତଥ୍ୟ ବା ଷ୍ଟେଟମେଂଟ ଜାରି କରନ୍ତି ତେବେ ତାଙ୍କ ବିରୋଧରେ ଆଇପିସିର ଧାରା ୫୦୫ ଅନୁସାରେ ମାମଲା ରୁଜୁ କରିବ ପୁଲିସ । ଏହି ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହେଲେ ୩ ବର୍ଷ ଜେଲଦଣ୍ଡାଦେଶ ହେବା ନେଇ ନିୟମ ରହିଛି । ଫେସବୁକ, ଟୁଇଟର ତଥା ବିଭିନ୍ନ ସୋସିଆଲ ମିଡିଆ ଜରିଆରେ ହେଉଥିବା ଅପରାଧକୁ ରୋକିବା ପାଇଁ ୨୦୦୦ରେ ଇନଫରର୍ମେସନ ଆକ୍ଟ ପ୍ରସ୍ତୁତ କରାଯାଇଥିଲା । ଏହି ଇନଫରର୍ମେସନ ଟେକ୍ନୋଲୋଜି ଆକ୍ଟ-୨୦୦୦ର ଧାରା ୬୭ ଅନୁସାରେ ଆପଣ ସୋସିଆଲ ମିଡିଆରେ ଆପତିଜନକ, ହିିଂସାତ୍ମକ କିମ୍ବା ଭିନ୍ନ ଭିନ୍ନ ସମୁଦାୟଙ୍କ ମଧ୍ୟରେ ଘୃଣା ଭାବ ସୃଷ୍ଟି କଲା ଭଳି ପୋଷ୍ଟ, ଭିଡିଓ, କିମ୍ବା ଫଟୋ ସେୟାର କଲେ ଉକ୍ତ ବ୍ୟକ୍ତି ବିଶେଷଙ୍କୁ ଜେଲ୍ ସହ ଦେବାକୁ ପଡିପାରେ ମୋଟା ଅଙ୍କର ଜରିମାନା ।

ସୋସିଆଲ ମିଡିଆରେ ଗୁଜବ ଖେଳାଇଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍

ଆଇଟି ଆକ୍ଟ -୨୦୦୦ର ଧାରା ୬୭ ଅନୁଯାୟୀ, ଯଦି କେହି ପ୍ରଥମ ଥର ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରିବାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ତିନି ବର୍ଷ ପାଇଁ ଜେଲଦଣ୍ଡାଦେଶ ହୋଇପାରେ। ଏଥିସହ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ। ଯଦି ସମାନ ଅପରାଧ ପୁନରାବୃତ୍ତି ହୁଏ ତେବେ ଦୋଷୀଙ୍କୁ 5 ବର୍ଷ ଜେଲ ଏବଂ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ ।  କୌଣସି  ଧର୍ମର ଇଶ୍ବରଙ୍କ ଚିତ୍ରକୁ ମିଥ୍ୟା ଚିତ୍ରଣ କରିବାକୁ କିମ୍ବା ସେମାନଙ୍କ ବିଷୟରେ ମିଥ୍ୟା ପ୍ରଚାର କରିବାକୁ ମଧ୍ୟ ସାଇବର ଅପରାଧ ବିବେଚନା କରାଯିବ। ମିଥ୍ୟା ସୂଚନା ସହିତ ଇମେଲ କିମ୍ବା ବାର୍ତ୍ତା ମଧ୍ୟ ଆପଣଙ୍କୁ ଜେଲକୁ ପଠାଇପାରେ । ଆଇନ ଅନୁଯାୟୀ, ଯଦି ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରୁଥିବା ତଥା ଦଙ୍ଗା ସୃଷ୍ଟି କରୁଥିବା ପୋଷ୍ଟ ଲଗାଇବା ପରେ ଯଦି ଜଣେ ବ୍ୟକ୍ତି ମରିଯାଏ, ତେବେ ଅପରାଧୀଙ୍କୁ ତାଙ୍କର ସମସ୍ତ ଜୀବନ ଜେଲରେ ବିତାଇବାକୁ ପଡିବ। ଯଦି ଏହି ଗୁଜବ ସୋସିଆଲ ମିଡିଆ ମାଧ୍ୟମରେ ବିସ୍ତାର ହୁଏ, ସେଠାରେ ସାବ୍ୟସ୍ତତା ଅଛି ଏବଂ ସର୍ବସାଧାରଣ ସମ୍ପତ୍ତି ନଷ୍ଟ ହେଉଛି, ତେବେ ଏହି ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କଠାରୁ କ୍ଷତିପୂରଣ ଆଦାୟ କରାଯିବ ।