ଯେତେବେଳେ କୌଣସି ମାମଲାରେ ସଂପୃକ୍ତ ଥିବା ବ୍ୟକ୍ତି ତଥା ଅପରାଧୀଙ୍କୁ ପୁଲିସ୍ ଘଟଣାର ସତ୍ୟତା ଜାଣିବା ପାଇଁ ଜେରା କରିଥାଏ ସେତେବେଳେ ଉକ୍ତ ବ୍ୟକ୍ତି ଜଣକ ଦେଉଥିବା ବୟାନ ବାସ୍ତବରେ ସତ କି ନୁହେଁ ତାହା କହିବା ମୁସ୍କିଲ । ଯେଉଁ କାରଣରୁ କେତେବେଳେ ଦୋଷୀ ନିର୍ଦ୍ଦୋଷରେ ଖସି ଯାଉଛି ତ ପୁଣି କେତେବେଳେ ନ୍ୟାୟ ନପାଇଁ ଅଭିଯୋଗକାରୀ ବା ଅଭିଯୋଗକାରିଣୀଙ୍କୁ ନିରାଶର ମୁହଁ ଦେଖିବାକୁ ପଡୁଛି ।

Advertisment

ହେଲେ ଏବେ କିନ୍ତୁ ଏଭଳି ହେବ ନି, କାହିଁକି ନା ଏବେ ବ୍ୟକ୍ତିର ଚେହେରା ଦେଖିଲେ ହିଁ ଜଣା ପଡିଯିବ କି ସେ ଯେଉଁ ବୟାନ ଦେଉଛନ୍ତି ତାହା ପ୍ରକୃତରେ ସତ ନା ମିଛ । ଏଭଳି ଏକ ଯନ୍ତ୍ର ବିକଶିତ କରିଛି ଲଣ୍ଡନର ଏକ ଷ୍ଟାର୍ଟଅପ କଂପାନୀ । ଲଣ୍ଡନର ଷ୍ଟାର୍ଟଅପ ଫେସସଫ୍ଟ ‘ଆର୍ଟିଫିସିଆଲ ଇଂଟେଲିଜେନ୍ସ’  (Artificial Intelligence) ସହ ଜଡିତ ଥିବା ଏକ ଟେକନିକ୍ ବିକଶିତ କରିଛନ୍ତି । ଯେଉଁଥିରେ ମୁହଁର ଇମୋସନକୁ ପଢି ସତ ଏବଂ ମିଛର ଚିହ୍ନଟ କରିହେବ । ଯାହାର ପରୀକ୍ଷାମୂଳକ ବ୍ୟବହାର ଖୁବ ଶୀଘ୍ର ହିଁ ଉଭୟ ବ୍ରିଟେନ ଏବଂ ଭାରତରେ ହୋଇପାରେ ।

ସୂଚନା ମୁତାବକ, ଆପଣଙ୍କ ମସ୍ତିସ୍କରେ କଣ ଚାଲୁଛି ତାର ସୂଚନା ମୁହଁରେ ଥିବା ମାଇକ୍ରୋ ଏକ୍ସପ୍ରେସନ ସହ ମ୍ୟାଚ କରିଥାଏ । ତେବେ ୧୯୬୦ରେ ପ୍ରଥମ ଥର ପାଇଁ ମନୋବୈଜ୍ଞାନିକମାନେ ଏହାକୁ ଉଦ୍ଭାବନ କରିଥିଲେ । ମନୋବୈଜ୍ଞାନିକମାନେ ପ୍ରଥମ ଥର ଲାଗି ଆତ୍ମହତ୍ୟା ଉଦ୍ୟମ କରିଥିବା ରୋଗୀଙ୍କଠାରେ ଏହା ଦେଖିବାକୁ ପାଇଥିଲେ । ଯେଉଁମାନେକି ଅଧିକାଂଶ ସମୟରେ ମସ୍ତିସ୍କରେ ଚାଲିଥିବା ନକରାତ୍ମକ ବିଚାରଧାରାକୁ ଲୁଚାଉଥିଲେ ।

ବିଶେଷଜ୍ଞ ମତରେ, ଯଦି କୌଣସି ବ୍ୟକ୍ତି ଜବରଦସ୍ତି ହସିବାକୁ ଚେଷ୍ଟା କରୁଛି ତେବେ ଏହି ଇମୋସନ ତାଙ୍କ ଆଖିରେ ନଜର ଆସିନଥାଏ । ଏହା ଏକପ୍ରକାରର ମାଇକ୍ରୋ ଏକ୍ସପ୍ରେସନ । ତେବେ ପଚରା ଉଚରା ବେଳେ ଅପରାଧିର ଚେହେରାରେ ଦେଖାଯାଉଥିବା ଅସ୍ୱାଭାବିକ ଭାବନାକୁ ରେକର୍ଡ କରାଯାଇଥାଏ । ଏହାପରେ ମନୋବୈଜ୍ଞାନିକ ଏମାନଙ୍କର ବିଶ୍ଳେଷଣ କରି, ସ୍ପଷ୍ଟ କରନ୍ତି କି ଉକ୍ତ ବ୍ୟକ୍ତି ଜଣକ ଯାହା କହୁଛି ତାହା ପ୍ରକୃତରେ ସତ ନା କୌଣସି ମନଗଢା କାହାଣୀ । ତେବେ ଏହି ଟେକନିକର ବ୍ୟବହାର ଉଭୟ ବ୍ୟକ୍ତି ଏବଂ ଦେଶର ସୁରକ୍ଷା ପାଇଁ କରିହେବ । ଏହି ଟେକନିକ୍ ଜରିଆରେ ଭିଡ ଭିତରେ ଥିବା ଜଣେ ରାଗି ବ୍ୟକ୍ତିର ଚିହ୍ନଟ ମଧ୍ୟ କରାଯାଇପାରିବ ।