ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି । ରଥାରୁଢ ଦିଅଁଙ୍କ ପାଖରେ ଅଧର ଉଚ୍ଚ ହାଣ୍ଡିରେ ଲାଗି ହେବ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ପଣା : ରଥରେ ଅବସ୍ଥାନ କରୁଥିବା ଚଣ୍ଡି-ଚାମୁଣ୍ଡାଙ୍କ ଶାନ୍ତି ପାଇଁ ମହାପ୍ରଭୁଙ୍କ ନିଆରା ରୀତି

178

କନକ ବ୍ୟୁରୋ : ଆଜି ରଥ ଉପରେ ପାଳିତ ହେବ ଶ୍ରୀଜଗନ୍ନାଥଙ୍କ ଅଧରପଣା ନୀତି । ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁମାନଙ୍କର ଦକ୍ଷିଣାଭିମୁଖୀ ଯାତ୍ରା ସମାପ୍ତି ପରେ ଅଧରପଣା ନୀତି ଉଲ୍ଲେଖ ରହିଛି । ରଥରୁଢ ଦିଅଁମାନଙ୍କ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ଅଧର ଉଚ୍ଚ ମାଟି ହାଣ୍ଡି ରେ ଏହି ପଣା ଦିଆଯାଉଥିବାରୁ ଏହାକୁ ଅଧର ପଣା କୁହାଯାଏ । ଅଧରପଣା ଭୋଗ ବିଧିତ ପ୍ରାୟ ୪୫୦ରୁ ଅଧିକ ପୁରୁଣା ବୋଲି କୁହାଯାଏ । ପୂର୍ବରୁ ଦଶମୀ, ଏକାଦଶୀ ଓ ଦ୍ୱାଦଶୀରେ ତିନିଥର ଠାକୁରଙ୍କ ଅଧରପଣା ନୀତି ହେଉଥିଲା ବୋଲି ସଂସ୍କୃତିଗବେଷକ କହନ୍ତି । କିନ୍ତୁ ବର୍ତମାନ ଏହା କେବଳ ଥରେ ହିଁ କରାଯାଉଛି । ପଣାରେ ଲାଗୁଥିବା ସମସ୍ତ ସାମଗ୍ରୀ ପୁରୀର ବଡ ଓଡିଆ ମଠ ଓ ରାଘବଦାସ ମଠ ଯୋଗାଇଥାନ୍ତି ।

ସିଂହଦ୍ୱାର ନିକଟସ୍ଥ କୂପରୁ ଅଧରପଣା ନୀତି ପାଇଁ ପାଣି ଆସିଥାଏ । ଶାସ୍ତ୍ରଜ୍ଞଙ୍କ ମତରେ ରଥରେ ଅବସ୍ଥାନ କରୁଥିବା ଚଣ୍ଡୀ-ଚାମୁଣ୍ଡାଙ୍କ ପାଇଁ ଏହି ଅଧରପଣା ନୀତି ହୋଇଥାଏ । ଫଳରେ ସେମାନେ ଶାନ୍ତି ହୋଇ ନିଜ ସ୍ଥାନ ଫେରିଥାନ୍ତି । ଏବେ ନଜର ପକାଇବା ଆଜିର ଅଧରପଣା ପାଇଁ ଧାର୍ଯ୍ୟ ହୋଇଥିବା ନୀତି ଉପରେ … ସକାଳ ୬ଟାରୁ ୮ ମଧ୍ୟରେ ତିନିରଥ ମଙ୍ଗଳ ଆଳତି, ମଇଲମ-ତଲବଲାଗି ଓ ଅବକାଶ ଶେଷ ହେବ । ସକାଳ ୧୦ଟାରୁ ୧୦ଟା ୩୦ ମଧ୍ୟରେ ଗୋପାଳ ବଲ୍ଲଭ, ଦିନ ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ସକାଳ ଧୂପ ଅନୁଷ୍ଠିତ ହେବ । ଏହା ପରେ ମଇଲମ, ମହାସ୍ନାନ ଓ ଦିନ ୨ଟା ସୁଦ୍ଧା ବେଶଶେଷ ହେବ । ଅପରାହ୍ନ ୩ଟା ୩୦ରୁ ୪ଟା ୩୦ ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି ଅନୁଷ୍ଠିତ ହେବ । ରାତି ୮ ସୁଦ୍ଧା ତିନିରଥର ଅଧରପଣା ନୀତି ଶେଷ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଂଟ କରାଯାଇଛି ।