ସତ୍ୟଭାମାଙ୍କ ସଂଘର୍ଷକୁ ସଲାମ୍…ଦିବ୍ୟାଙ୍ଗ ହୋଇ ବି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ..ଘୁସୁରି ଘୁସୁରି ୨୦ରୁ ଅଧିକ ମହିଳାଙ୍କୁ କରିଲେଣି ଆତ୍ମନିର୍ଭରଶୀଳ

522

କନକ ବ୍ୟୁରୋ: ସତ୍ୟଭାମାଙ୍କ ଦୃଢ଼ ଇଛାଶକ୍ତି ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା । ଅଢ଼େଇ ବର୍ଷ ବେଳେ ବାପା ଆରପାରିକୁ ଚାଲିଗଲେ ଆଉ ୫ବର୍ଷରେ ମାଆ । ତେବେ ସତ୍ୟଭାମା ୧୧ମାସର ହୋଇଥିବାବେଳେ ଜ୍ୱରରେ ପଡିବାପରେ ପୋଲିଓ ଆକ୍ରାନ୍ତ ହୋଇ ଦୁଇଟି ଯାକ ଗୋଡ ଅକାମି ହୋଇଯିବାରୁ ବାଟ ଚାଲିବାରୁ ବଞ୍ଚିତ ହେଲେ । ଏବେ ବୟସର ଅପରାହ୍ନରେ ପାଦ ଥାପିଥିଲେ ବି ନିଜର ଇଛାଶକ୍ତି ଆଗରେ ସବୁ କିଛି ଯେପରି ତୁଛ ହୋଇଯାଇଛି । ଘୁସୁରି ଘୁସୁରି ଚାଲୁଥିବା ସତ୍ୟଭାମା ଏବେ ୨୦ରୁ ଅଧିକ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରାଇବାରେ ସକ୍ଷମ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

 

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମୁଗୁପୁର ଗ୍ରାମର ସତ୍ୟଭାମା ସାହୁଙ୍କ ସଂଘର୍ଷଭରା କାହାଣୀ । ବାପା ଭୀମସେନ ସାହୁ ଓ ମା ସୁଲୋଚନା ନାୟକଙ୍କ ଦୁଇ ଝିଅଙ୍କ ମଧ୍ୟରୁ ବଡ ଝିଅ ସତ୍ୟଭାମା । ଛୋଟ ବୟସରୁ ବାପା ମା ଚାଲିଗଲା ପରେ ପୋଲିଓ ଯୋଗୁଁ ନିଜ ଗୋଡରେ ସେ ଚାଲି ପାରି ନଥିଲେ । ସେଥିପାଇଁ ସେ ସ୍କୁଲ ମଧ୍ୟ ଯାଇ ନାହାନ୍ତି ହେଲେ ପତ୍ର ବିନିମୟ ପାଠ୍ୟକ୍ରମ ଯୋଗେ ସପ୍ତମ ଶ୍ରେଣୀ ପଢ଼ିବାପରେ ଚାଟଶାଳି କରି ଛୁଆ ମାନଙ୍କୁ ଶିକ୍ଷାଦାନ କରିଥିଲେ । ପରେ ସେ ଗାଁରେ ଥିବା ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ଆଶ୍ରମରେ ରହି ଟେଲରିଂ, ଧୂପ କାଠି, ହଳଦିଗୁଣ୍ଡ, ଝୋଟ ପଟି, ପେପର ମ୍ୟାଚିଂ ପରି ସାମଗ୍ରୀ ତିଆରି କରି ନିଜେ ଆତ୍ମନିର୍ଭର ଶୀଳ ହେବାସହ ଗାଁର ଅନେକ ପରିବାରକୁ ଆତ୍ମନିର୍ଭରଶୀଳ କରିପାରିଛନ୍ତି ।

ସତ୍ୟଭାମା ଜଣେ ଶ୍ରୀ ଅରବିନ୍ଦଙ୍କ ଭକ୍ତ ଭାବେ ୪୦ବର୍ଷ ହେଲା ମୁଗୁପୁର ଆଶ୍ରମର ସମସ୍ତ ବୁଝାସୁଝା କରିଥାନ୍ତି । ଏହି ଆଶ୍ରମ ଭିତରେ ସେ ନିଜର କୁଟୀର ଶିଳ୍ପଟି ଖୋଲି ଗାଁର ୨୦ରୁ ଅଧିକ ମହିଳାଙ୍କୁ ରୋଜଗାରର ମାଧ୍ୟମ ଦେଖାଇଛନ୍ତି । ତାଙ୍କ ହାତ ତିଆରି ଧୂପ ଏବେ ସାରା ରାଜ୍ୟରେ ଆଦୃତ ହୋଇପାରିଛି । ସେ ଏହି ଅବସ୍ଥାରେ ଓରମାସର ସହଯୋଗରେ ରାଜ୍ୟର ବିଭିନ୍ନ ପ୍ରାନ୍ତରକୁ ଯାଇ ନିଜର ପ୍ରସ୍ତୁତ ସାମଗ୍ରୀକୁ ବିକ୍ରୀ କରୁଛନ୍ତି । ତାଙ୍କ ଦୃଢ଼ ମନୋବଳ ଯୋଗୁଁ ସେ ଆଜି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଯଦି ସରକାରୀ ସହାୟତା ମିଳିପାରନ୍ତା ସେ ତାଙ୍କର କୁଟୀର ଶିଳ୍ପଟିକୁ ଆଗେଇନେଇ ଅଧିକ ଲୋକଙ୍କୁ ଆତ୍ମନିର୍ଭରଶୀଳ କରିପାରନ୍ତେ ବୋଲି ନିବେଦନ କରିଛନ୍ତି ସତ୍ୟଭାମା ।